Home General ଇଟାଲିରୁ ଆସିଥିଲା ଗାନ୍ଧୀ ହତ୍ୟା ବନ୍ଧୁକ

ଇଟାଲିରୁ ଆସିଥିଲା ଗାନ୍ଧୀ ହତ୍ୟା ବନ୍ଧୁକ

ଭୁବନେଶ୍ୱର : ଯେଉଁ ବନ୍ଧୁକରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ତାହା ଗାନ୍ଧୀ ହତ୍ୟାର ୧୪ବର୍ଷ ପୂର୍ବରୁ ଇଟାଲିରେ ନିର୍ମିତ ହୋଇଥିଲା । ଏହି ବନ୍ଧୁକଟି ଏବେ ବି ନୂଆଦିଲ୍ଲୀର ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ନିକଟବର୍ତ୍ତୀ ଗାନ୍ଧୀ ଜାତୀୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।

ଯେଉଁ ବନ୍ଧୁକରେ ଗାନ୍ଧୀଜୀଙ୍କୁ ହତ୍ୟା କରାଯାଇଥିଲା ତାହା ଥିଲା ଏକ ୯ଏମ୍‍ଏମ୍‍ ବେରେଟା ସେମି ଅଟୋମେଟିକ୍‍ ପିସ୍ତଲ । ଯାହାର କ୍ରମିକ ନମ୍ବର ଥିଲା ୬୦୬୮୨୪ । ସେ ସମୟରେ ଏହି ପିସ୍ତଲ ବିଦେଶରେ ବେଶ୍‍ ଆଦୃତି ଲାଭ କରିଥିଲା । ବିଶେଷକରି ସାମରିକ ଓ ପୁଲିସ କାର୍ଯ୍ୟାନୁଷ୍ଠାନରେ ଏହା ବ୍ୟବହୃତ ହେଉଥିଲା । ନିକଟବଳୟରୁ ଏହି ପିସ୍ତଲରୁ ଯାହା ଉପରକୁ ଗୁଳି ଚଳାଯାଏ ସେମାନଙ୍କର ବଞ୍ôଚବା ସମ୍ଭାବନା ପ୍ରାୟ କ୍ଷୀଣ ଥାଏ ।

୧୯୩୪ ମସିହାରେ ଇଟାଲିରେ ତିଆରି ହୋଇଥିବା ଏହି ବେରେଟା ସେମି ଅଟୋମେଟିକ୍‍ ପିସ୍ତଲର ଗାନ୍ଧୀ ହତ୍ୟାସ୍ଥଳ ନୂଆଦିଲ୍ଲୀର ବିରଳା ଭବନକୁ ଯାତ୍ରାର ଏକ ଲମ୍ବା କାହାଣୀ ରହିଛି । ଇଟାଲିର ଏକଛତ୍ରବାଦୀ ଶାସକ ବେନିତୋ ମୁସଲିନ୍‍ଙ୍କ ସେନା ବାହିନୀର ଜଣେ ଅଧିକାରୀଙ୍କୁ ଏହି ବନ୍ଧୁକ ଦିଆଯାଇଥିଲା । ଆବିସିନିଆ ଯୁଦ୍ଧରେ ମୁସଲିନ୍‍ଙ୍କ ଏହି ସାମରିକ ଅଧିକାରୀ ଜଣକ ଉକ୍ତ ବେରେଟା ପିସ୍ତଲ ବ୍ୟବହାର କରିଥିଲେ । ତେବେ ଏହି ଯୁଦ୍ଧରେ ମୁସଲିନ୍‍ଙ୍କ ସେନାର ପରାଜୟ ହୋଇଥିଲା ଏବଂ ସେ ସମୟରେ ଚତୁର୍ଥ ଗ୍ୱାଲିଅର ପଦାତିକ ବାହିନୀ ବ୍ରିଟିଶ ସେନାକୁ ସହାୟତା କରିବା ପାଇଁ ଆବିସିନିଆ ଯାଇଥିଲା । ମୁସଲିନ୍‍ଙ୍କ ସେନାର ପରାଜୟ ପରେ ଗ୍ୱାଲିଅର ପଦାତିକ ବାହିନୀର ଲେପ୍ଟନାଣ୍ଟ କର୍ଣ୍ଣେଲ ଭି.ଭି. ଯୋଶୀ ଇଟାଲି ସେନାଧିକାରୀଙ୍କଠାରୁ ଏହା ଜବତ କରିଥିଲେ ଏବଂ ଯୁଦ୍ଧ ବିଜୟର ସ୍ମାରକୀ ଭାବେ ସେ ଏହାକୁ ନିଜ ପାଖରେ ସାଇତି ରଖିଥିଲେ ।

ପରବର୍ତ୍ତୀ ସମୟରେ ଲେପ୍ଟନାଣ୍ଟ ଯୋଶୀ ଗ୍ୱାଲିଅର ମହାରାଜା ଜିଆଜି ରାଓ ସିନ୍ଧିଆଙ୍କ ଏଡିସି ଭାବେ ମୁତୟନ ହୋଇଥିଲେ । ତେବେ କର୍ଣ୍ଣେଲ ଯୋଶୀଙ୍କଠାରୁ ଏହା କିପରି ଜଗଦିଶ ପ୍ରସାଦ ଗୋଏଲ ନାମକ ଜଣେ ବ୍ୟକ୍ତିଙ୍କ ହାତକୁ ଆସିଲା ତାହା ଏବେ ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଛି । ଗୋଏଲ କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧୀ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଦଣ୍ଡବତିଙ୍କୁ ଉକ୍ତ ପିସ୍ତଲଟି ବିକ୍ରୟ କରିଥିଲେ । ଗ୍ୱାଲିଅରର ଜଣେ ଡାକ୍ତରଙ୍କ ଘରେ ୧୯୪୮ ଜାନୁଆରୀ ୨୮ ସନ୍ଧ୍ୟାରେ ଦଣ୍ଡବତିଙ୍କଠାରୁ ଏହି ସେମି ଅଟୋମେଟିକ୍‍ ପିସ୍ତଲଟି ଅନ୍ୟତମ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡ଼ସେ କିଣିଥିଲେ । ଉକ୍ତ ଡାକ୍ତର ମଧ୍ୟ ଗାନ୍ଧୀ ହତ୍ୟା ମାମଲାରେ ଗିରଫ ହୋଇଥିଲେ ।

୧୯୪୮ ଜାନୁଆରୀ ୩୦ ଅପରାହ୍ଣ ୫ଟା ୧୭ ମିନିଟ୍‍ରେ ଗାନ୍ଧୀଜୀ ପ୍ରାର୍ଥନା ସଭାକୁ ଆସିବା ବାଟରେ ବିରଳା ଭବନ ପରିସରରେ ମାତ୍ର ୨ଫୁଟ ଦୂରରୁ ନାଥୁରାମ ଏହି ପିସ୍ତଲରୁ ତିନୋଟି ଗୁଳି ଗାନ୍ଧୀଙ୍କ ଉପରକୁ ଚଳାଇଥିଲା ଓ ସେ ‘ହେ ରାମ୍‍’ ଉଚ୍ଚାରଣ କରି ସେହିଠାରେ ଟଳି ପଡ଼ିଥିଲେ । ପୂର୍ବରୁ ସେହିମାସ ୨୦ ତାରିଖରେ ନାଥୁରାମ ସଦଳବଳେ ଗାନ୍ଧୀଙ୍କୁ ହତ୍ୟା କରିବା ପାଇଁ ବିରଳା ଭବନ ଆସିଥିଲା । ତେବେ ସେମାନଙ୍କ ଗୋଷ୍ଠୀ ମଧ୍ୟରେ ତାଳମେଳ ରହିନଥିବାରୁ ଅନ୍ୟତମ ଅପରାଧୀ ଶଙ୍କରଲାଲ ପାହ୍ୱା ବୋମା ବିସ୍ଫୋରଣ କରି ପଳାଇଯିବାକୁ ଉଦ୍ୟମ କରିଥିବାବେଳେ ଜଣେ ମହିଳା ତାକୁ କାବୁ କରିନେଇଥିଲେ । ସେହିପରି ଗାନ୍ଧୀଙ୍କୁ ହତ୍ୟା କରିବା ପରେ ନାଥୁରାମ ସେଠାରୁ ଖସିଯିବା ପୂର୍ବରୁ କାର୍ଯ୍ୟରତ ଓଡ଼ିଆ ମାଳି ରଘୁନାଥ ନାୟକ ତାକୁ କାବୁ କରିନେଇଥିଲେ । ରଘୁନାଥ ନାୟକଙ୍କ ଘର ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାରେ । ଗାନ୍ଧୀ ହତ୍ୟା ମାମଲାରେ ସେ ବି ଜଣେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଥିଲେ । (ତଥ୍ୟ)