Home News in Odia ସୀମାନ୍ତ ଥାନାରେ କର୍ମଚାରୀ ସଙ୍କଟ

ସୀମାନ୍ତ ଥାନାରେ କର୍ମଚାରୀ ସଙ୍କଟ

ଭୁବନେଶ୍ୱର : ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଥିବା ଥାନାଗୁଡିକରେ କର୍ମଚାରୀ ସଙ୍କଟ । ସୀମାରେ ଥିବା ୮୮ଟି ଥାନା ପାଇଁ ୨୩୬୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବାବେଳେ ଏଥିରୁ ପାଖାପାଖି ୬ଶହ ପଦବୀ ଖାଲି ପଡିଛି

ଅନ୍ୟ ରାଜ୍ୟର ସୀମାକୁ ଲାଗିଥିବା ପୁଲିସ୍‍ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର,ବରଗଡ, ବ୍ରହ୍ମପୁର, ଗଜପତି, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ରାଉରକେଲା ଓ ସୁନ୍ଦରଗଡ ପୁଲିସ୍‍ ଜିଲ୍ଲା । ଏହିସବୁ ଜିଲ୍ଲାରେ ପ୍ରାୟତଃ ପଡୋଶୀ ରାଜ୍ୟରୁ ନକ୍ସଲଙ୍କ ସହିତ ସରକାରୀ କର୍ମଚାରୀମାନେ ବି ଅନୁପ୍ରବେଶ କରୁଛନ୍ତି । ନିଶାବେପାରୀଙ୍କ ଠାରୁ ଆରମ୍ଭ କରି ଖଣି ଖାଦାନ, ବାଲି ଲୁଟେରାମାନେ ମଧ୍ୟ ଓଡିଶାକୁ ଆସି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରୁଚନ୍ତି ।

ଏମାନଙ୍କୁ ଜଗିବା ଦାୟିତ୍ୱ ରହିଛି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଥିବା ଥାନାଗୁଡିକରେ । ହେଲେ ଲକ୍ଷ୍ୟ କରାଯାଇଛି ଯେ ଏହିସବୁ ଥାନାରେ ଛଅ ଶହ ପାଖାପାଖି ପଦବୀ ଖାଲି ପଡିଛି । ଫଳରେ ଆଇନ୍‍ଶୃଙ୍ଖଳା ରକ୍ଷାକରିବା କର୍ମଚାରୀଙ୍କ ପକ୍ଷେ କାଠିକର ପାଠ ହେଉଛି ।

ଅନ୍ୟ ରାଜ୍ୟର ଅନୁପ୍ରବେଶ କ୍ଷେତ୍ରରେ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛି କୋରାପୁଟ । ଏଠାରେ ଥିବା କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ତେବେ କୋରାପୁଟରେ ଥିବା ୭ଟି ସୀମାନ୍ତବର୍ତ୍ତୀ ଥାନରେ ଏକାଧିକ ପଦବୀ ଖାଲି ରହିଛି । ଏହିସବୁ ଥାନାରେ ୧୩ଜଣ ଏସ୍‍ଆଇ, ୩୭ଜଣ କନେଷ୍ଟବଳ ପଦବୀ ଖାଲି ପଡିଛି । ତେବେ ଏଠାରେ ୭ଟି ଇନ୍ସପେକ୍ଟର ପଦବୀ ଥିବାବେଳେ ୯ଜଣ ଇନ୍ସପେକ୍ଟର କାର୍ଯ୍ୟ କରୁଛନ୍ତି । ଅନ୍ୟତମ ସୀମାନ୍ତ ତଥା ନକ୍ସଲ ପ୍ରବଣ ଜିଲ୍ଲା ମାଲକାନଗିରିରେ ୧୧ଟି ଥାନା ରହିଥିବାବେଳେ ୧୪ଟି ଏଏସଆଇ ପଦବୀ ସମେତ ୧୮୬ଟି ଓଏଏସଏଫ୍‍ ପଦବୀ ଖାଲି ପଡିଛି ।

ସୀମା ବିବାଦ ସହିତ ସୁବର୍ଣ୍ଣରେଖାରୁ ବାଲି ଉଠାଣ ନେଇ ପଶ୍ଚିମବଙ୍ଗର ବାଲିମାଫିଆମାନେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ସୀମାକୁ ଲାଗିଥିବା ବାଲେଶ୍ୱର ଜିଲ୍ଲାର ୪ଟି ଥାନା ଯଥା ଜଳେଶ୍ୱର,ଭୋଗରାଇ, କର୍ମଦା ଓ ରାଇବଣିଆରେ ୪ଟି ଏସ୍‍ଆଇ, ୯ଟି ଏଏସ୍‍ଆଇ, ୩ଟି ହାବିଲଦାର ଓ ୪ଟି କନେଷ୍ଟବଳ ପଦବୀ ଖାଲି ପଡିଛି । ଏଥି ସହିତ ଏହି ଚାରିଟି ଥାନାରେ ୧୩ଟି ଓଏପିଏଫ୍‍ ପଦବୀ ଖାଲି ପଡିଛି ।

ସୀମା ବିବାଦକୁ ପ୍ରଶମିତ କରିବାପାଇଁ ରାଜ୍ୟର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଖାଲି ପଡିଥିବା ପୁଲିସ୍‍ ପଦବୀଗୁଡିକ ପୂରଣ ପାଇଁ ମତପ୍ରକାଶ ପାଉଛି । କାରଣ ପୁଲିସ୍‍ କର୍ମଚାରୀମାନେ ହିଁ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳର ଅନ୍ତଃରାଜ୍ୟ ଅପରାଧୀଙ୍କ ଗତିବିଧି, ଚୋରା ଚାଲାଣ, ମାନବ ଚାଲାଣ, ଖଣି ଖନନ ଭଳି ବେଆଇନ୍‍ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି । ଏହାଛଡା ପୁଲିସ ପକ୍ଷରୁ ସୀମାରେ ନିୟମିତ ପାଟ୍ରୋଲିଂ ବି କରିଥାନ୍ତି । ତେଣୁ କେବଳ ଖାଲି ପଡିଥିବା ପଦବୀ ପୂରଣ ନୁହେଁ, ଅଧିକ ପଦବୀ ସୃଷ୍ଟି ସହିତ ସୀମାର ସୁରକ୍ଷା ପାଇଁ ଆବଶ୍ୟକ ସାଜ ସରଞ୍ଜାମ ଯୋଗାଇଦେବାକୁ ମଧ୍ୟ ମତପ୍ରକାଶ ପାଉଛି । (ତଥ୍ୟ)