Home Administration ଓଏଏସ୍‍ କ୍ୟାଡରରେ ପୁଣି ବିଭ୍ରାଟ ଆଶଙ୍କା

ଓଏଏସ୍‍ କ୍ୟାଡରରେ ପୁଣି ବିଭ୍ରାଟ ଆଶଙ୍କା

ଭୁବନେଶ୍ୱର : ଆଇନଗତ ବିବାଦ ଯୋଗୁ ଓଡ଼ିଶା ପ୍ରଶାସନିକ ସେବା କ୍ୟାଡର୍‍ରେ ବର୍ଷବର୍ଷ ଧରି ଚୂଡ଼ାନ୍ତ ବରିଷ୍ଠତା ତାଲିକା ପ୍ରକାଶ ପାଉନଥିବାବେଳେ ଏବେ ଅନ୍ୟ କ୍ୟାଡର୍‍ର ପ୍ରାୟ ୨୦ଜଣ ଅଫିସରଙ୍କୁ ପିଛିଲା ତାରିଖରୁ ଓଏଏସ୍‍ ଭାବେ ନିଯୁକ୍ତି ସହ ପଦୋନ୍ନତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ପରିପ୍ରେକ୍ଷୀରେ ନୂଆ ବିବାଦ ମୁଣ୍ଡ ଟେକିବାର ସମ୍ଭାବନା ଦେଖାଦେଇଛି । ଏଥିଘେନି ଯୁଗ୍ମ ସଚିବ ଓ ଅତିରିକ୍ତ ଶାସନ ସଚିବ ପାହ୍ୟାର ବହୁ ବରିଷ୍ଠ ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଏହି ନୂଆ ବିବାଦଟି ମୁଣ୍ଡ ଟେକୁଛି ୧୯୯୭ ବ୍ୟାଚ୍‍ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳଫଳ ଭିତ୍ତିରେ ନିଯୁକ୍ତିକୁ କେନ୍ଦ୍ରକରି । ଏ ସଂକ୍ରାନ୍ତରେ ସ୍ୟାଟ୍‍ ଓ ହାଇକୋର୍ଟରେ ମାମଲା ଚାଲିବା ପରେ ପୁଣି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦରକାର ପଡ଼ିଥିଲା । ତେବେ ରାଜ୍ୟ ସରକାରଙ୍କ ଯୁକ୍ତିକୁ ଠିକଣା ଭାବେ କୋର୍ଟରେ ଉପସ୍ଥାପନ ନକରି ସେତେବେଳର ଜଣେ ସରକାରୀ ଓକିଲ ସରକାରଙ୍କ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଅଦାଲତକୁ ଦେଇଥିଲେ ତାହା ଆଧାରରେ ସୁପ୍ରିମକୋର୍ଟ ମୂଳ ମାମଲାର ଫଇସଲା କରିଥିଲେ । ଏ ପ୍ରସଂଗ ଜଣାପଡିବା ପରେ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସଂପୃକ୍ତ ରାଜ୍ୟ ସରକାରଙ୍କ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ୍‍ ବିଭାଗକୁ କୁହାଯାଇଥିଲା ।

ଅନ୍ୟପକ୍ଷରେ ଅଦାଲତଙ୍କ ଆଦେଶ ଠିକଣା ଭାବରେ କାର୍ଯ୍ୟକାରୀ କରାଯାଉନଥିବାରୁ ସୁପ୍ରିମକୋର୍ଟ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରୁଥିଲେ । ତେବେ ଗତବର୍ଷ ଜୁଲାଇ ମାସରେ ପୁଣିଥରେ ଏହି ମାମଲା ସୁପ୍ରିମକୋର୍ଟରେ ଉଠିଥିଲା ଏବଂ ସେତେବେଳେ କୁହାଯାଇଥିଲା ଯେ ପୂର୍ବରୁ ଅନୁରୂପ ମାମଲାରେ ସତ୍ୟଜିତ ଦାସ ଓ ରୁଦ୍ରନାରାୟଣ ଆଚାର୍ଯ୍ୟ ନାମକ ଦୁଇଜଣ ଆବେଦନକାରୀଙ୍କ ପାଇଁ ସରକାର ସୁପରନ୍ୟୁମେରାରୀ ପଦବୀ ସୃଷ୍ଟି କରି ସେମାନଙ୍କୁ ଯେଭଳି ଓଏଏସ୍‍ କ୍ୟାଡର୍‍ରେ ଅବସ୍ଥାପିତ କରିଛନ୍ତି ସେହିଭଳି ଅନ୍ୟ ଆବେଦନକାରୀ ଓ ଅନ୍ୟ ଅଧିକାରୀଙ୍କ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବା କଥା ।

ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତା’ର କାର୍ଯ୍ୟକାରିତା ପାଇଁ ରାଜସ୍ୱ ବିଭାଗକୁ ସୁପରନ୍ୟୁମେରାରୀ ପଦବୀ ସୃଷ୍ଟି ପାଇଁ କହିଥିବାବେଳେ ଅର୍ଥ ବିଭାଗ କିନ୍ତୁ ଏଥିରେ ଆପତ୍ତି ଉଠାଇଥିଲା । ତେବେ ସରକାରଙ୍କ ଆଦେଶ ନିଆଯାଇଥିବାରୁ ଏହା ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଇତିମଧ୍ୟରେ ପଦକ୍ଷେପ ନିଆଯାଇଛି । ଫଳରେ ଓଏଫ୍‍ଏସ୍‍ ଚାକିରିରେ ଥିବା ୩ଜଣ, ସବ୍‍ ରେଜିଷ୍ଟ୍ରାର୍‍ ଥିବା ୪ଜଣ, ସମବାୟ ସେବା ପଦବୀରେ ଥିବା ୯ଜଣ, ଶିକ୍ଷା ସେବାରେ ଥିବା ୨ଜଣଙ୍କ ସମେତ ୧୯ଜଣ ଅଧିକାରୀଙ୍କ ପାଇଁ ସୁପରନ୍ୟୁମେରାରୀ ପଦବୀ ସୃଷ୍ଟି କରାଯାଇ ସେମାନଙ୍କୁ ଓଏଏସ୍‍ କ୍ୟାଡର୍‍ରେ ଭର୍ତ୍ତି କରିବା ଲାଗି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ଯେଉଁ ୧୯ଜଣ ଅଧିକାରୀଙ୍କୁ ଓଏଏସ୍‍ କ୍ୟାଡରକୁ ଆଣିବାପାଇଁ ନିଷ୍ପତ୍ତି ହୋଇଛି ସେମାନଙ୍କୁ ଏବେ ଜଣଙ୍କର ଦେହାନ୍ତ ହୋଇଯାଇଥିବାବେଳେ ଆଉଜଣେ ସ୍ୱେଚ୍ଛାକୃତ ଅବସର ନେଇଯାଇଛନ୍ତି ଏବଂ ଅନ୍ୟଜଣେ ମଧ୍ୟ ସରକାରୀ ଚାକିରିରେ ନାହାନ୍ତି ।

ଅଭିଯୋଗ ହେଉଛି ଯେ ଏହି ୧୯ଜଣଙ୍କ ଭିତରୁ କେତେକ ଭିନ୍ନ କ୍ୟାଡର୍‍ରେ ଚାକିରି କରିବା ଲାଗି ସେମାନଙ୍କ ମୂଳ ଆବେଦନରେ ଉଲ୍ଳେଖ କରିଥିଲେ ଓ ତଦନୁଯାୟୀ ସେମାନଙ୍କୁ ଅର୍ଥ ସେବା ଓ ଅନ୍ୟ କ୍ୟାଡର୍‍ରେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଏବେ ୧୯ଜଣ ଅଧିକାରୀଙ୍କୁ ଅନ୍ୟ କ୍ୟାଡର୍‍ରୁ ଆଣି ସେମାନଙ୍କୁ ଓଏଏସ୍‍ କ୍ୟାଡରଭୁକ୍ତ କରିବା ସହ ପିଛିଲା ତାରିଖରୁ ପଦୋନ୍ନତି ଓ ବେତନ ନିର୍ଦ୍ଧାରଣ କରି ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ଅଣାଯାଉଥିବା ଫଳରେ ଏହି କ୍ୟାଡର୍‍ରେ ପ୍ରାୟ ୨୭ବର୍ଷ ଧରି କାର୍ଯ୍ୟରତ ଥାଇ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ପଦୋନ୍ନତି ପାଇଆସୁଥିବା ବହୁ ଅଧିକାରୀଙ୍କ ବରିଷ୍ଠତା ଓ ଚାକିରି ସର୍ତ୍ତାବଳୀ ବିଭ୍ରାଟ ହେବାର ଆଶଙ୍କା ଉପୁଜିଛି । ଏଥିଘେନି ଚାପା ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ସେତେବେଳର ଜଣେ ସରକାରୀ ଓକିଲଙ୍କ ତ୍ରୁଟି ଯୋଗୁ ଏଭଳି ବିଭ୍ରାଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି । (ତଥ୍ୟ)