ଭୁବନେଶ୍ୱର : ରାଜ୍ୟ ରାଜଧାନୀର ରାଜନୈତିକ ମହଲରେ ଏବେ ଘୋଡ଼ା ବେପାର ଚର୍ଚ୍ଚା ଜୋର ଧରୁଛି । ବିକି ହେବା ପାଇଁ ବହୁତ ଘୋଡ଼ା ପ୍ରସ୍ତୁତ ଥିବାବେଳେ ସେମାନଙ୍କୁ କିଣିବା ପାଇଁ ବି ବେପାରୀ ପ୍ରସ୍ତୁତ । ଏହି ମୌକା ହାତଛଡ଼ା କରିବାକୁ ଉଭୟ ଚାହୁଁନାହାନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଏପ୍ରିଲ ୨ ତାରିଖରେ ରାଜ୍ୟସଭାର କେତେଗୁଡିଏ ଆସନ ଖାଲି ପଡୁଛି । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ରହିଛି । ଏହି ୪ଟି ଆସନ ମଧ୍ୟରୁ ଦୁଇଟି କ୍ଷମତାସୀନା ବିଜେପି ବିଜେଡି ପାଖରୁ ଛଡ଼ାଇ ନେଇଥିବାବେଳେ ଆଉ ଦୁଇଟିରେ ବିଜେଡିର ସାଂସଦ ରହିଛନ୍ତି ।
ବିଧାନସଭାରେ ଦଳୀୟ ବିଧାୟକଙ୍କ ଆଧାରରେ ଯଦି କ୍ରସ୍ଭୋଟିଂ ନହୁଏ ତେବେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନ ସହଜରେ ନିଜ ବିଧାୟକଙ୍କ ସଂଖ୍ୟା ଭିତ୍ତିରେ ଅକ୍ତିଆର କରିନେବେ । ତେବେ କ୍ରସଭୋଟିଂର ଭୟ ବି ସବୁ ଦଳକୁ ଅଛି । ବିଶେଷକରି ବିଜେଡିରେ ଯେଭଳଳି ଗୋଷ୍ଠୀ କନ୍ଦଳ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ରହୁଛି ସେଥିରେ ବିଜେଡି ଯାହାକୁ ଦଳୀୟ ପ୍ରାର୍ଥୀ କରିବ ସେ ଯେ ନିଜ ଦଳ ବିଧାୟକମାନଙ୍କଠାରୁ ସଂପୂର୍ଣ୍ଣ ଭୋଟ ପାଇବେ ତାହାର ବି ଗ୍ୟାରେଣ୍ଟି ନାହିଁ ।
ଅନ୍ୟପକ୍ଷରେ କଂଗ୍ରେସ ଓ ତା’ର ସହଯୋଗୀ ସିପିଏମ୍ର ୧୫ଜଣ ବିଧାୟକ ଓଡ଼ିଶା ବିଧାନସଭାରେ ରହିଛନ୍ତି । ରାଜ୍ୟସଭା ନିର୍ବର୍ାଚନ ଲାଗି ମନୋନୟନ ପତ୍ର ଦାଖଲ ଲାଗି ସର୍ବନିମ୍ନ ୧୦ଜଣ ସମର୍ଥକଙ୍କ ଆବଶ୍ୟକତା ରହିଛି । ଏହାକୁ ଆଧାର କରି କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଦଳର ରାଜ୍ୟଶାଖା ସଭାପତି ଘୋଷଣା କରିଛନ୍ତି । ଯଦି ବିଜେଡି ଓ ବିଜେପିର କିଛି ଅସନ୍ତୁଷ୍ଟ ବିଧାୟକ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦିଅନ୍ତି ତା’ହେଲେ ଦଳୀୟ ପ୍ରାର୍ଥୀ ଜିଣିବା ବି ଅସମ୍ଭବପର ନୁହେଁ । ଅତୀତରେ ବହୁବାର ବିରୋଧୀ ଦଳକୁ ଚକ୍ମା ଦେଇ ଶାସନ କ୍ଷମତାରେ ଥିବାବେଳେ କଂଗ୍ରେସ କ୍ରସ ଭୋଟିଂ ଆଧାରରେ ରାଜ୍ୟସଭା ଆସନ ଦଖଲ କରିବାର ନଜିର ରହିଛି । ତେବେ କଂଗ୍ରେସ ଦଳ ଭିତରେ ଯେଭଳି ଗୋଷ୍ଠୀ ବିବାଦ ସହିିତ ପରସ୍ପର ପ୍ରତି କାଦୁଆ ଫିଙ୍ଗା ରାଜନୀତି ଚାଲୁଛି ସେଥିରେ ଯେ ସବୁ କଂଗ୍ରେସ ବିଧାୟକ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବେ ତାହାର ବି ଗ୍ୟାରେଣ୍ଟି କେହି ଦେଇପାରୁ ନାହାନ୍ତି ।
ବିଜେପିର ଦୁଇ ଓ ବିଜେଡିର ଜଣେ ପ୍ରାର୍ଥୀଙ୍କୁ ଦଳୀୟ ହୁଇପ୍ ମାନି ବିଧାୟକମାନେ ଭୋଟ ଦେବା ପରେ ଯେତେ ବଳକା ଭୋଟ ରହୁଛି ତାହା ସହିତ ଯଦି କଂଗ୍ରେସ ଓ ସିପିଏମ୍ର ଭୋଟ ମିଶିଯାଏ ତା’ହେଲେ ଚତୁର୍ଥ ଆସନଟି ବିଜେପି କିମ୍ବା ଏହାର ସମର୍ôଥତ ସ୍ୱାଧୀନ ପ୍ରାର୍ଥୀ ସହଜରେ ଦଖଲ କରିପାରିବେ । ଅନ୍ୟପକ୍ଷରେ ବିଜେପିକୁ ବିରୋଧ କରିବା ପାଇଁ ଯଦି ଶେଷ ମୁହୂର୍ତ୍ତରେ ବିଜେଡି ଓ କଂଗ୍ରେସ ହାତ ମିଳାନ୍ତି ତା’ହେଲେ ବି ଏମାନଙ୍କ ସମର୍ôଥତ ଚତୁର୍ଥ ପ୍ରାର୍ଥୀ ସହଜରେ ଜିଣିପାରିବେ ।
ଅତୀତରେ ବିଜେଡି ନେତୃତ୍ୱକୁ ଖୋଲା ଚାଲ୍ୟେଞ୍ଜ ଦେଇ ଦିଲ୍ଳୀପ ରାୟ ନିର୍ବାଚନ ଲଢ଼ି ସବୁ ଦଳର ବିଧାୟକଙ୍କ କ୍ରସ ଭୋଟିଂ ଭିତ୍ତିରେ ନିର୍ବାଚନ ଜିଣିଥିଲେ । ପ୍ୟାରୀମୋହନ ମହାପାତ୍ର ଓ ବୈଷ୍ଣବ ଚରଣ ପରିଡ଼ା ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବାବେଳେ ଅନୁରୂପ କ୍ରସଭୋଟିଂ ସ୍ଥିତି ଉପୁଜିଥିଲା । ବିଜେଡି ଗଠନ ପରେ ହୋଇଥିବା ପ୍ରଥମ ରାଜ୍ୟସଭା ନିର୍ବାଚନରେ ମଧ୍ୟ କ୍ରସଭୋଟିଂ ଯୋଗୁ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଥିଲେ ।
କେବଳ କ୍ରସଭୋଟିଂ ନୁହେଁ, ବିଧାୟକମାନେ ପ୍ରଥମ ପସନ୍ଦ ପରେ କାହାକୁ କେତେ ସଂଖ୍ୟକ ଦ୍ୱିତୀୟ ପସନ୍ଦ ଭୋଟ ଦେଉଛନ୍ତି ତା’ଉପରେ ବି ଫଳାଫଳ ନିର୍ଭର କରେ । ଅବଶ୍ୟ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ହୁଇପ୍ ଜାରି କରିବାର ବ୍ୟବସ୍ଥା ରହିଛି । ଏହା କରାଗଲେ ଭୋଟ ଦାନ ପୂର୍ବରୁ ବିଧାୟକମାନେ ବାଲାଟ ପେପର୍ରେ କାହାକୁ ଭୋଟ ଦେଇଛନ୍ତି ତାହା ଉପସ୍ଥିତ ଦଳୀୟ ପ୍ରାତିନିଧିଙ୍କୁ ଦେଖାଇବାକୁ ପଡ଼ିବ । ଏହାଫଳରେ କ୍ରସଭୋଟିଂ ସମ୍ଭାବନା କମିଥାଏ । ତେବେ ହୁଇପ୍ ନମାନି ଯେଉଁମାନେ କ୍ରସଭୋଟିଂ କରିବେ ସେମାନଙ୍କ ବିଧାନସଭା ସଭ୍ୟପଦ ରଦ୍ଦ ହେବ ନାହିଁ କେବଳ ଦଳୀୟନେତୃତ୍ୱ ଯାହା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏ ପରିପ୍ରେକ୍ଷୀରେ ଚତୁର୍ଥ ଆସନ ଅକ୍ତିଆର କରିବା ଲାଗି କିଛି ନେତାଙ୍କ ଦୃଢ଼ୋକ୍ତି ଓ ଅନ୍ୟମାନଙ୍କ ପ୍ରସ୍ତୁତି ପରିପ୍ରେକ୍ଷୀରେ ଘୋଡ଼ା ବେପାର ବଜାର ବେଶ୍ ସରଗରମ ହେବାରେ ଲାଗିଛି । (ତଥ୍ୟ)

