Home General ଓଡ଼ିଶାରେ ବଢ଼ୁଛି ନିଶା ବ୍ୟବହାର

ଓଡ଼ିଶାରେ ବଢ଼ୁଛି ନିଶା ବ୍ୟବହାର

ଭୁବନେଶ୍ୱର : ୫ବର୍ଷ ଭିତରେ ଓଡ଼ିଶାରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକ ମାଧ୍ୟମରେ ମଦ କାରବାର ପ୍ରାୟ ଦୁଇଗୁଣ ବଢ଼ିଛି । ଏହା ସହିତ ତାଳ ଦେଇ ଅବକାରୀ ରାଜସ୍ୱର ପରିମାଣ ବି ଦୁଇଗୁଣରୁ ଅଧିକ ହୋଇଯାଇଛି ।

ରାଜ୍ୟ ସରକାର ‘ଆମ ସଂକଳ୍ପ- ନିଶା ନୁହେଁ ଜୀବନ’ ନାମରେ ପ୍ରଚାର ପ୍ରସାର କରୁଥିବାବେଳେ ଓଡ଼ିଶାରେ କିନ୍ତୁ ଉଭୟ ସ୍ୱୀକୃତିପ୍ରାପ୍ତ ନକଲି ଓ ଚୋରା ନିଶା କାରବାର କିନ୍ତୁ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହି ହାରରେ ନିଶା ପ୍ରସାରଣ ଲାଗିରହିଲେ ୨୦୨୯ ସୁଦ୍ଧା ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ବିଜେପି ପକ୍ଷରୁ ରାଜ୍ୟବାସୀଙ୍କ ନିକଟରେ ଗତ ନିର୍ବାଚନ ବେଳେ ଯେଉଁ ସଂକଳ୍ପପତ୍ରଜାରି କରାଯାଇଥିଲା ତାହା କେତେଦୂର କାର୍ଯ୍ୟକାରୀ ହୋଇପାରିଥିବ ସେଥିଘେନି ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଉଛି ।

ଭାଟ୍‍ ସମେତ ଅବକାରୀ ରାଜସ୍ୱର ପରିମାଣ ୨୦୨୪-୨୫ ବର୍ଷରେ ୧୧୪୨୯ କୋଟି ଟଙ୍କାକୁ ଆମ ରାଜ୍ୟରେ ଟପିଛି । ଏହି ପରିମାଣ ୨୦୨୦-୨୧ ବର୍ଷରେ ୫୪୦୦ କୋଟି ଟଙ୍କା ଥିବାବେଳେ ୨୦୦୦-୦୧ ବେଳକୁ ତାହା ୧୫୦ କୋଟି ଟଙ୍କାରୁ କମ୍‍ ଥିଲା । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଗତ ୨୫ବର୍ଷ ମଧ୍ୟରେ ଓଡ଼ିଶାରେ ମଦ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀର ବ୍ୟବହାର ଢେର ବଢ଼ିଛି ।
ସରକାରୀ ହିସାବ ମୁତାବକ ୨୦୨୦-୨୧ ବର୍ଷରେ ଓଡ଼ିଶାରେ ୨୦ କୋଟି ଲିଟରରୁ ଅଧିକ ପରିମାଣର ଭାରତ ତିଆରି ବିଦେଶୀ ମଦ, ବିଅର, ଦେଶୀ ମଦ ଓ ବାହାର ଭାଟି ମଦ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ କାରବାର ହୋଇଥିଲା । ଏହି ପରିମାଣ ୨୦୨୪-୨୫ ବର୍ଷରେ କିନ୍ତୁ ୪୦ କୋଟି ଲିଟରରୁ ଅଧିକ ଥିଲା ।

୨୦୨୦-୨୧ ବର୍ଷରେ ଓଡ଼ିଶାରେ ୫ କୋଟି ୪୩ଲକ୍ଷ ଲିଟର ଭାରତ ତିଆରି ବିଦେଶ ମଦ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ କାରବାର ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହାର ପରିମାଣ ୮ କୋଟି ୪୦ଲକ୍ଷ ଲିଟରରୁ ଅଧିକ ଥିଲା । ଏଥିମଧ୍ୟରୁ ପାଖାପାଖି ୬୪ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ ରାଜ୍ୟ ବାହାରୁ ଆମଦାନି ହୋଇଥିଲା । ସରକାରୀ ସ୍ୱୀକୃତିପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ ଏହି ୫ବର୍ଷରେ ବିଅର ବ୍ୟବହାର ପରିମାଣ ପାଖାପାଖି ୪ଗୁଣ ବଢ଼ିଛି । ୨୦୨୦-୨୧ ବର୍ଷରେ ଓଡ଼ିଶାରେ ୪ କୋଟି ୭୧ଲକ୍ଷ ଲିଟର ବିଅର ସ୍ୱୀକୃତିପ୍ରାପ୍ତ ଦୋକାନଗୁଡ଼ିକରେ କାରବାର ହୋଇଥିବାବେଳେ ଏହା ବୃଦ୍ଧି ପାଇ ୨୦୨୪-୨୫ ବର୍ଷରେ ୧୬ କୋଟି ୭୮ଲକ୍ଷ ଲିଟରକୁ ଟପିଛି । ଏଥିମଧ୍ୟରୁ ପ୍ରାୟ ୨କୋଟି ୪୬ଲକ୍ଷ ଲିଟର ରାଜ୍ୟ ବାହାରୁ ଆମଦାନି କରାଯାଇଛି ।

ସେହିଭଳି ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ମଧ୍ୟ ଦେଶୀ ମଦର କାରବାର ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । କେବଳ ସ୍ୱୀକୃତିପ୍ରାପ୍ତ ମଦ ଦୋକାନଗୁଡ଼ିକ ମାଧ୍ୟମରେ ୨୦୨୦-୨୧ ବର୍ଷରେ ୮୨ଲକ୍ଷ ୫୩ ହଜାର ଲିଟର ଦେଶୀ ମଦ କାରବାର ହୋଇଥିବାବେଳେ ୨୦୨୪-୨୫ବର୍ଷରେ ତା’ର ପରିମାଣ ୧କୋଟି ୮୩ଲକ୍ଷ ୨୮ ହଜାର ଲିଟରକୁ ବୃଦ୍ଧି ପାଇଛି । ସେହିପରି ୨୦୨୦-୨୧ ବର୍ଷରେ ୯କୋଟି ୯ଲକ୍ଷ ଲିଟର ବାହାର ଭାଟି ମଦ ସରକାରୀ ସ୍ୱୀକୃତିପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ କାରବାର କରାଯାଇଥିବାବେଳେ ୨୦୨୪-୨୫ରେ ତା’ର ପରିମାଣ ପ୍ରାୟ ୧୩କୋଟି ୧୫ଲକ୍ଷ ଲିଟରରେ ପହଞ୍ôଚଥିବା କୁହାଯାଉଛି । ଏହାଛଡ଼ା ବହୁ ସ୍ୱୀକୃତିପ୍ରାପ୍ତ ଦୋକାନରୁ ନକଲି ମଦ ମଧ୍ୟ ଧରା ହେଉଛି । ଅବକାରୀ ଓ ପୁଲିସ ବିଭାଗର ଚଢ଼ଉବେଳେ ବି ବିପୁଳ ପରିମାଣର ଚୋରା ମଦ ସହିତ ମଦ ତିଆରି ସାମଗ୍ରୀ, ଚରସ, ବ୍ରାଉନ୍‍ସୁଗାର, ହେରୋଇନ୍‍ ଓ ଗଞ୍ଜେଇ ଭଳି ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ମଧ୍ୟ ଜବତ ହେଉଛି ।(ତଥ୍ୟ)