Home Health ଗୁଟ୍‍ଖା କଟକଣା ପାଇଁ ଚିନ୍ତାରେ ପ୍ରଶାସନ

ଗୁଟ୍‍ଖା କଟକଣା ପାଇଁ ଚିନ୍ତାରେ ପ୍ରଶାସନ

ଭୁବନେଶ୍ୱର : ବାର ବର୍ଷ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୁଣି ଥରେ ଗୁଟ୍‍ଖା ଓ ତମାଖୁ ଉପରେ କଟକଣା ଲଗାଇଥିବାବେଳେ ଏହା କିଭଳି କାର୍ଯ୍ୟକାରୀ ହେବ ସେହି ଚିନ୍ତା ଏବେ ପ୍ରଶାସନକୁ ଘାରିଛି । କାରଣ ସ୍ୱାସ୍ଥ୍ୟ ବିଭାଗର କଟକଣାକୁ ଅର୍ଥ ବିଭାଗ ନମାନି ଏହିସବୁ ସାମଗ୍ରୀ ଉପରୁ ଟିକସ ଆଦାୟ କରିବାରେ ଲାଗିଛି ।

ନିକଟରେ ସ୍ୱାସ୍ଥ୍ୟ ବିଭାଗ ଗୁଟ୍‍ଖା ଓ ତମାଖୁ ଉପରେ ଯେଉଁ କଟକଣା ଜାରି କରିଛି ତାହା ଅବିକଳ ୨୦୧୩ ଜାନୁଆରୀ ୩ ତାରିଖରେ ଜାରି ହୋଇଥିବା କଟକଣାର ନକଲ । ସେତେବେଳେ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୁଟ୍‍ଖା ଓ ତମାଖୁ ଯୁକ୍ତ ପାନମସଲାର ଉତ୍ପାଦନ, ମହଜୁଦ ଓ ବିକ୍ରୟ ଉପରେ କଟକଣା ଲଗାଇଥିଲା ।

ହେଲେ ସ୍ୱାସ୍ଥ୍ୟ ବିଭାଗର ଏହି କଟକଣାକୁ ଅର୍ଥ ବିଭାଗ ନମାନି ସମ୍ପୃକ୍ତ ନିଷିଦ୍ଧ ସାମଗ୍ରୀ ଉପରୁ ଟିକସ ଆଦାୟ କଲା । ୧୨ ବର୍ଷ ମଧ୍ୟରେ ଅର୍ଥ ବିଭାଗ ଏହିସବୁ ସାମଗ୍ରୀରୁ ପ୍ରାୟ ହଜାରେ କୋଟି ଟଙ୍କାର ଟିକସ ଆଦାୟ କରିଥିବା ଜଣାଯାଇଛି । ଅର୍ଥ ବିଭାଗ ଟିକସ ଆଦାୟ କରୁଥିବାରୁ ବ୍ୟବସାୟୀମାନେ ବେଧଡକ ହୋଇ ଦେଶର ପ୍ରାୟ ୧୭ଟି ରାଜ୍ୟରୁ ଏହିସବୁ ସାମଗ୍ରୀ ଆମଦାନୀ କରିବା ସହିତ ତାହାକୁ ରାଜ୍ୟରେ ବିକ୍ରି କରିବାରେ ଲାଗିଲେ । କେତେକ ତମାଖୁ କମ୍ପାନୀ ମଧ୍ୟ ଓଡିଶାରେ ବିଭିନ୍ନ ବ୍ରାଣ୍ଡ୍‍ରେ ସେମାନଙ୍କର ସାମଗ୍ରୀ ଉତ୍ପାଦନ କଲେ ।

ସବୁଠାରୁ ବଡ କଥା ହେଲା ଅର୍ଥ ବିଭାଗ ଟିକସ ବାବଦରେ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବାରୁ ସ୍ୱାସ୍ଥ୍ୟ ଓ ପରିମାଣ କଲ୍ୟାଣ ବିଭାଗ ମଧ୍ୟ ନିଜ ବିଜ୍ଞପ୍ତି କାର୍ଯ୍ୟକାରୀ ଉପରେ ସେତେଟା ଗୁରୁତ୍ୱ ଦେଲା ନାହିଁ । ଫଳରେ ଏହି ବିଜ୍ଞପ୍ତି ୧୨ ବର୍ଷ ଧରି ଏକପ୍ରକାର ରାଜ୍ୟରେ ଅଚଳ ହୋଇ ରହିଲା । ଏବେ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ଗୁଟଖା, ତମାଖୁ ଓ ତମାଖୁଯୁକ୍ତ ପାନମସଲା ନିଷିଦ୍ଧ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।

ରାଜ୍ୟ ସରକାରଙ୍କର ଏଭଳି ଦୁଇ ଦୁଇଟି ବିଜ୍ଞପ୍ତି ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କର କୋଟ୍‍ପା ଆଇନ୍‍ ମଧ୍ୟ ବଳବତ୍ତର ରହିଛି । ଏହି ଆଇନ୍‍କୁ ଇତି ମଧ୍ୟରେ ୨୨ ବର୍ଷ ବିତିଲାଣି । ଏଥିରେ ବ୍ୟବସ୍ଥା ରହିଛି ଯେ ରାଜ୍ୟର ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‍ଖା, ସିଗାରେଟ, ତମାଖୁ ଆଦି ବିକ୍ରି କରାଯାଇ ପାରିବନାହିଁ । ଏହାକୁ ମହଜୁଦ ଓ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି ଭଳି କେନ୍ଦ୍ର ସରକାରଙ୍କ କୋଟ୍‍ପା ଆଇନ୍‍ ମଧ୍ୟ ରାଜ୍ୟରେ ଏକ ପ୍ରକାର ଅକାମୀ ହୋଇ ପଡିଛି । ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ବେଧଡକ ଭାବେ ଗୁଟ୍‍ଖା ଓ ତମାଖୁଯୁକ୍ତ ପାନମସଲା ଏବଂ ସିଗାରେଟ ବିକ୍ରି ହେଉଛି । ଛୋଟ ଛୋଟ ପିଲା ମଧ୍ୟ ଏହାକୁ ଚୋବାଇବାରେ ଲାଗିଛନ୍ତି ।

ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି ପରେ ଗୁଟ୍‍ଖା ବେପାରୀମାନେ ଗଚ୍ଛିତ ଥିବା ସାମଗ୍ରୀକୁ ଲୁଚାଇବା ସହିତ ଗୁଟ୍‍ଖାର ଦର ଦୁଇଗୁଣା କରିବାରେ ଲାଗିଛନ୍ତି । ପ୍ରଥମେ ଏହିସବୁ ସାମଗ୍ରୀ ଉପରୁ ଟିକସ ଆଦାୟ ବନ୍ଦ ସହିତ ରାଜ୍ୟର ପ୍ରତି ପ୍ରବେଶପଥରେ ଏହାର କଡାକଡି ଯାଞ୍ଚ ଏବଂ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ନହେଲେ ବାରବର୍ଷ ପରେ ପୁଣିଥରେ ଯେଭଳି ବିଜ୍ଞପ୍ତି ପ୍ରକାଶ ପାଇଲା ଆଉ କିଛିବର୍ଷ ପରେ ଏହାର ପୁନରାବୃତ୍ତି ହିଁ ହେବା (ତଥ୍ୟ)