Home Education ଆଦର୍ଶ ବିଦ୍ୟାଳୟରେ ପଦବୀ ପୂରଣ କେବେ ?

ଆଦର୍ଶ ବିଦ୍ୟାଳୟରେ ପଦବୀ ପୂରଣ କେବେ ?

ଭୁବନେଶ୍ୱର : ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ଦୁଇ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ଖାଲି ପଡିଛି । ଶିକ୍ଷକ ପଦବୀ ସହିତ ଏହିସବୁ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦବୀରେ ବି ଗୁରୁତର ସ୍ଥିତି ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧିରେ ରାଜ୍ୟର ୩୦ଟି ଜିଲ୍ଲାରେ ୩୧୫ଟି ଆଦର୍ଶ ବିଦ୍ୟାଳୟ ରହିଛି । ଏଥି ମଧ୍ୟରେ ୩୧୪ଟି ବ୍ଲକରେ ଗୋଟିଏ କରି ବିଦ୍ୟାଳୟ ଥିବାବେଳେ ରାଜଧାନୀରେ ସ୍ୱତନ୍ତ୍ର ଆଇକନିକ୍‍ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଏହିସବୁ ବିଦ୍ୟାଳୟ ପାଇଁ ୭ହଜାର ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏଥିରୁ ପାଖପାଖି ଅଢେଇ ହଜାର ପଦବୀ ଖାଲି ପଡିଛି ।

ଏହି ସୂଚନା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଜଣେ କରି ଅଧ୍ୟକ୍ଷ ପଦବୀ ଥିବାବେଳେ ଏଥିରୁ ମାତ୍ର ୫୪ଟି ବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀ ପୂରଣ ହୋଇ ପାରିଛି । ସେହିଭଳି ୩୧୫ଟି ଉପାଧ୍ୟକ୍ଷ ପଦବୀ ମଧ୍ୟରୁ ୧୩୦ଟି ପୂରଣ ହୋଇଛି । ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ୩୧୫ଟି କରି ମୋଟ୍‍ ୬୩୦ ପଦବୀ ଥିବାବେଳେ ଏଥିରୁ ୪୪୬ ଟି ପଦବୀ ଖାଲି ପଡିଛି ।

ଅନ୍ୟ ଶିକ୍ଷକ ପଦବୀ ମଧ୍ୟରେ ୨୦୦୯ଟି ପିଜିଟି ଶିକ୍ଷକ ପଦବୀ ମଧ୍ୟରୁ ୮୮୩ଟି ଖାଲି ପଡିଥିବାବେଳେ ୩୧୪୦ଟି ଟିଜିଟି ଶିକ୍ଷକ ପଦବୀ ମଧ୍ୟରୁ ୬୫୫ଟି ଖାଲି ରହିଛି । ଅନ୍ୟ ଶିକ୍ଷକ ସ୍ତରରେ ୧୨୫୭ଟି ପଦବୀ ଥିବାବେଳେ ଏଥିରୁ ୪୮୩ଟି ପଦବୀ ଖାଲି ପଡିଥିବା ଜଣାଯାଇଛି ।

ଆଦର୍ଶ ବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମ ଢାଞ୍ଚାରେ ପାଠପଢା ସହିତ ଏଠାରେ ହଷ୍ଟେଲ ସୁବିଧା ଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଏହି ସରକାରୀ ବିଦ୍ୟାଳୟରେ ପଢାଇବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ହେଲେ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିବା ଏବେ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।

ସମସ୍ତ ଉପାଧ୍ୟକ୍ଷ ପଦବୀଗୁଡିକରେ ନିଯୁକ୍ତି ପଦୋନ୍ନତି ଭିତ୍ତିକ ହୋଇଥିବାବେଳେ ଟିଜିଟି ପଦବୀଗୁଡିକରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରାଯାଉଛି । ଅଧ୍ୟକ୍ଷ ଓ ପିଜିଟି ଶିକ୍ଷକ ପଦବୀଗୁଡିକ ଉଭୟ ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହୋଇଥାଏ । ଆବଶ୍ୟକତା ଅନୁଯାୟୀ କାଲି ପଡିଥିବା ଶିକ୍ଷକ ପଦବୀଗୁଡିକ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ବାରମ୍ବାର କହୁଥିବାବେଳେ ଏହା କେବେ ପୂରଣ କରାଯିବ ତାହାକୁ ଏବେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚାହିଁ ବସିଛନ୍ତି । (ତଥ୍ୟ)