Home General ଧିମା ଗତିରେ ଆଗଉଛି ସୁଭଦ୍ରା ଶକ୍ତି କେନ୍ଦ୍ର

ଧିମା ଗତିରେ ଆଗଉଛି ସୁଭଦ୍ରା ଶକ୍ତି କେନ୍ଦ୍ର

ଭୁବନେଶ୍ୱର : ଗାଁ ଗହଳର ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବି କରିବାପାଇଁ ପଞ୍ଚାୟତ ସ୍ତରରେ ୧୮୮୮ ଟି ସୁଭଦ୍ରା ଶକ୍ତି କେନ୍ଦ୍ର ଅନୁମୋଦିତ ହୋଇଥିବାବେଳେ ଏଥି ମଧ୍ୟରୁ ଶହେଟି ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ସେହିଭଳି ପ୍ରତି ଜିଲ୍ଲାରେ ଗୋଟିଏ କରି ସୁଭଦ୍ରା ଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏଥିରୁ ପାଖପାଖି ୧୦ଟି କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି ।

ମହିଳାଙ୍କ ପ୍ରସ୍ତୁତ ସାମଗ୍ରୀ ପ୍ରତି ଆଦର ବୃଦ୍ଧି ପାଉଥିବାରୁ ପଞ୍ଚାୟତ ସ୍ତରରେ ମହିଳା ଶକ୍ତି କେନ୍ଦ୍ର ଖୋଲିବାପାଇଁ ସରକାର ନିଷ୍ପତ୍ତି ନେବାପରୋ ପ୍ରଥମ ପର୍ଯ୍ୟାୟରେ ୧୮୮୮ କେନ୍ଦ୍ରକୁ ଅନୁମମୋନ କରିଛନ୍ତି । ତେବେ ଏଥି ମଧ୍ୟରୁ ମୟୁରଭଞ୍ଜରେ ସର୍ବାଧିକ ୨୩ଟି ସୁଭଦ୍ରା ଶକ୍ତିକେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏଠାରେ ୧୦୮ଟି କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ରହିଛି । ଏହା ପଛକୁ ବରଗଡ ଜିଲ୍ଲାରେ ୧୧ଟି କେନ୍ଦ୍ର ଓ ଭଦ୍ରକରେ ୭ଟି କେନ୍ଦ୍ର ସ୍ଥାପନ ହୋଇପାରିଛି । ବହୁ ଜିଲ୍ଲାରେ ପଞ୍ଚାୟତ ସ୍ତରରେ ଏହା ଆରମ୍ଭ ହୋଇପାରି ନାହିଁ ।

ବ୍ଲକ ସ୍ତରରେ କିନ୍ତୁ ସୁଭଦ୍ରା ଶକ୍ତି କେନ୍ଦ୍ରର କାର୍ଯ୍ୟ ସନ୍ତୋଷଜନକ ରହିଛି । ଏଠାରେ ୩୩୮ ଟି କେନ୍ଦ୍ରକୁ ସରକାର ଅନୁମୋଦନ କରିଥିବାବେଳେ ଏଥି ମଧ୍ୟରୁ ୩୨୨ଟି ନିର୍ମାଣ ସମପୂର୍ଣ୍ଣ ହୋଇଛି ଏବଂ ୩୦୯ଟି କାର୍ଯ୍ୟକ୍ଷମ ହୋଇଛି । ତେବେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ରର ଅଧା ଲକ୍ଷ୍ୟ ବି ପୂରଣ ହୋଇପାରି ନାହିଁ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କରି ନିର୍ମାଣ ପାଇଁ ଲକ୍ଷ୍ୟ ଥିବାବେଳେ ଏଥିରୁ ଗତବର୍ଷ ଶେଷ ସୁଦ୍ଧା ୧୩ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୮ଟି କାର୍ଯ୍ୟକ୍ଷମ ହୋଇଛି ।

ରାଜ୍ୟ ସରକାର ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ସୁଭଦ୍ରା ଶକ୍ତି କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଆଗଉଥିବାବେଳେ ଖୋଦ ରାଜଧାନୀରେ ନିର୍ମାଣ ହୋଇଥିବା ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର କିନ୍ତୁ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଖୋଦ ସରକାରୀ ସଂସ୍ଥା ଏଠାରୁ ସାମଗ୍ରୀ ଖରିଦ କରିବାପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି କେନ୍ଦ୍ରରୁ ଗୋଟିଏ ପରେ ଗୋଟିଏ ଷ୍ଟଲ ବନ୍ଦ ହେଉଥିବାରୁ ପୂର୍ବାପେକ୍ଷା ଲୋକଙ୍କ ଆଗମନ ହ୍ରାସ ପାଇବାରେ ଲାଗିଛି ।

ରାଜଧାନୀରେ ଥିବା ସୁଭଦ୍ରା ଶକ୍ତି କେନ୍ଦ୍ରରେ ମହିଳା ଉତ୍ପାଦ ସାମଗ୍ରୀ ସହିତ ଶାଢୀ, ରୂପା ଗହଣା, ଝୋଟ, ପିତ୍ତଳ ସାମଗ୍ରୀ ଆଦି ରହିଛି । ଏଠାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଏହା ପରିସରକରେ କୋରାପୁଟ କଫି ସେଣ୍ଟର ଖୋଲିଥିବାବେଳେ ସରକାର ଇତି ମଧ୍ୟରେ ତାହାକୁ ବନ୍ଦକରି ଦେଇଛନ୍ତି ।

ସେହିଭଳି ସରକାରୀ ବିଭାଗଗୁଡିକ ସେମାନଙ୍କ ଆବଶ୍ୟକ ସାମଗ୍ରୀ ଯଥା କାଗଜ, କପଡା ବ୍ୟାଗ୍‍ ସହିତ ଉତ୍ତରୀୟ ଏବଂ ଉପଢୌକନ ସାମଗ୍ରୀ ଏଠାରୁ ଖରିଦ କରିବାପାଇଁ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ଖୋଲାବଜାରରୁ ବ୍ୟବସାୟୀଙ୍କ ଠାରୁ ଏହିସବୁ ସାମଗ୍ରୀ ଖରିଦ କରୁଥିବାବେଳେ ଖୋଦ ନିଜେ ଖୋଲିଥିବା କେନ୍ଦ୍ରରୁ ଏହାକୁ କାହିଁକି କିଣୁ ନାହାନ୍ତି ତାହା ବଡ ପ୍ରଶ୍ନବାଚୀ ହୋଇଛି । ସରକାରୀ ସ୍ତରରେ ଏଭଳି ମନୋଭାବ ଜାରି ରହିଲେ ଏହାର ପ୍ରଭାବ କେବଳ ରାଜସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ନୁହେଁ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରର କେନ୍ଦ୍ର ଉପରେ ପହିବ ବୋଲି କୁହାଯାଉଛି । (ତଥ୍ୟ)