Home Health ଘରୋଇ ଡାକ୍ତରଖାନାରେ ବଢୁଛି ସିଜରିଆନ ପ୍ରସବ

ଘରୋଇ ଡାକ୍ତରଖାନାରେ ବଢୁଛି ସିଜରିଆନ ପ୍ରସବ

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ପ୍ରସୂତୀମାନଙ୍କ ପାଇଁ ସରକାର ସମସ୍ତ ପ୍ରକାର ସୁବିଧା ପ୍ରଦାନ ସତ୍ୱେ ରାଜ୍ୟରେ ଘରୋଇ ଡାକ୍ତରଖାନାରେ ପିଲା ଜନ୍ମ ସଂଖ୍ୟା ବୃଦ୍ଧି ପାଉଛି । ବର୍ଷକୁ ବର୍ଷ ଘରୋଇ ଡାକ୍ତରଖାନାରେ ଅପରେସନ ପଦ୍ଧତିରେ ପିଲାଜନ୍ମ (ସିଜରିଆନ୍‍) ସଂଖ୍ୟା ବଢି ଚାଲିଥିବା ଲକ୍ଷ୍ୟ କରାଯାଉଛି ।

ଗର୍ଭବତୀ ମହିଳାମାନଙ୍କ ଲାଗି ସରକାରୀ ଡାକ୍ତରଖାନାରେ ମାଗଣାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଠାରୁ ଆରମ୍ଭକରି ପିଲାଜନ୍ମ ପର୍ଯ୍ୟନ୍ତ ସମସ୍ତ ସୁବିଧା ରହିଥିବା ସରକାର ବାରମ୍ବାର କହୁଛନ୍ତି । ଏଥି ସହିତ ଯେଉଁମାନେ ସରକାରୀ ଡାକ୍ତରଖାନାରେ ପିଲାଜନ୍ମ କରୁଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଓ ପରିବହନ ଖର୍ଚ୍ଚ ଯୋଗାଇ ଦିଆଯାଉଛି ।

ଏହା ସତ୍ୱେ ବି ଗର୍ଭବତୀ ମହିଳାମାନେ ଘରୋଇ ଡାକ୍ତରଖାନାକୁ ପ୍ରଥମ ପସନ୍ଦ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ ବର୍ଷରେ ରାଜ୍ୟର ବେସରକାରୀ ତଥା ଘରୋଇ ଡାକ୍ତରଖାନାରେ ସାଧାରଣ ପଦ୍ଧତିରେ ୩୯,୮୪୧ ଜଣ ପିଲା ଜନ୍ମ ହୋଇଥିବାବେଳେ ସିଜରିଆନ ପଦ୍ଧତିରେ ୭୨ହଜାରରୁ ଅଧିକ ପିଲା ଜନ୍ମ ହୋଇଥିଲେ । ଏହିବର୍ଷ ସରକାରୀ ଡାକ୍ତରଖାନାରେ ସାଧାରଣ ପ୍ରସବ ତୁଳନାରେ ପ୍ରାୟ ୩୦ହଜାର ଅଧିକ ପ୍ରସବ ସିଜରିଆନ ପଦ୍ଧତିରେ ହୋଇଥିଲା ।

୨୦୨୧-୨୨ ବର୍ଷରେ ଘରୋଇ ଡାକ୍ତରଖାନାରେ ପୂର୍ବବର୍ଷ ତୁଳନାରେ ସାଧାରଣ ପ୍ରସବ ସଂଖ୍ୟା ହ୍ରାସ ପାଇଥିଲା । ଏହିବର୍ଷ ୨୭,୨୩୮ ଟି ପ୍ରସବ ସାଧାରଣ ପ୍ରକ୍ରିୟାରେ ହୋଇଥିବାବେଳେ ୮୦ହଜାରରୁ ଅଧିକ ପ୍ରସବ ସିଜରିଆନ ପଦ୍ଧତିରେ ହୋଇଥିଲା । ଏହିବର୍ଷ ସରକାରୀ ଡାକ୍ତରଖାନାରେ ସିଜରିଆନ ପ୍ରସବ ସଂଖ୍ୟା ୮୬ ହଜାରକୁ ଟପିଯାଇଥିଲା ।

୨୦୨୨-୨୩ ବର୍ଷରେ ଘରୋଇ ଡାକ୍ତରଖାନାରେ ଏକ ଲକ୍ଷ ୩୦ହଜାର ପ୍ରସବ ହୋଇଥିବାବେଳେ ଏଥି ମଧ୍ୟରେ ପାଖାପାଖି ୧ଲକ୍ଷ ପ୍ରସବ ସିଜରିଆନ ପଦ୍ଧତିରେ ହୋଇଥିଲା । ସେହିବର୍ଷ ସରକାରୀ ଡାକ୍ତରଖାନାରେ ସିଜରିଆନ ପ୍ରସବ ସଂଖ୍ୟା ୮୩ ହଜାରକୁ ଟପିଯାଇଥିଲା ।

୨୦୨୩-୨୪ ବର୍ଷରେ ରାଜ୍ୟରେ ଘରୋଇ ଡାକ୍ତରଖାନାଗୁଡିକରେ ସିଜରିଆନ ପ୍ରସବ ସଂଖ୍ୟା ୧ଲକ୍ଷ ୧୩ହଜାରକୁ ଅତିକ୍ରମ କରିଥିବାବେଳେ ସରକାରୀ ଡାକ୍ତରଖାନାରେ ସିଜରିଆନ ସଂଖ୍ୟା ୮୨ ହଜାରକୁ ହ୍ରାସ ପାଇଥିଲା । ୨୦୨୪-୨୫ ବର୍ଷରେ ରାଜ୍ୟର ଘରୋଇ ଡାକ୍ତରଖାନାଗୁଡିକରେ ସିଜରିଆନ ପ୍ରସବ ସଂଖ୍ୟା ୧ଲକ୍ଷ ୨୪ ହଜାରକୁ ଟପିଥିବାବେଳେ ସରକାରୀ ଡାକ୍ତରଖାନାରେ ପୂର୍ବବର୍ଷ ତୁଳନାରେ ଏହି ପ୍ରସବ କିନ୍ତୁ ସାମାନ୍ୟ ହ୍ରାସ ପାଇଥିଲା ।

ଘରୋଇ ଡାକ୍ତରଖାନାରେ ସିଜରିଆନ ପ୍ରସବ ସଂଖ୍ୟା ବୃଦ୍ଧି ପାଇବା ଏବେ ସ୍ୱାସ୍ଥ୍ୟ ପ୍ରଶାସନ ଓ ବିଶେଷଜ୍ଞମାନଙ୍କୁ ଆଚମ୍ବିତ କରିଛି । ସରକାରଙ୍କର ସମସ୍ତ ପ୍ରକାର ମାଗଣା ଯୋଜନା ସତ୍ୱେ ଲୋକେ ଏତେ ସଂଖ୍ୟାରେ କାହିଁକି ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଏହା ପଛରେ ବୀମା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ବୀମା ଅର୍ଥ ପାଇବାପାଇଁ ଉଭୟ ଚିକିତ୍ସକ ଓ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଗର୍ଭବତୀ ମହିଳାମାନଙ୍କୁ ଘରୋଇ ଡାକ୍ତରଖାନା ମୁହାଁ କରୁଥିବାବେଳେ ବହୁ ଗର୍ଭବତୀଙ୍କ ପରିବାର ବୀମା ଅର୍ଥ ସହିତ ବ୍ୟାପକ ଖର୍ଚ୍ଚାନ୍ତ ବି ହେଉଛନ୍ତି ।

ଏଭଳି ଘଟଣା ନଜରକୁ ଆସିବାପରେ ଗତ ସରକାର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ସିଜରିଆନ ପ୍ରସବ ଉପରେ ବିସ୍ତୃତ ରିପୋର୍ଟ ମଗାଯାଇଥିଲା । ମାତ୍ର କିଛି ଦିନର ତୁମ୍ବିତୋଫାନ ପରେ ତାହା ନାଲିଫିତା ତଳେ ରହିଯାଇଥିବା ଜଣାଯାଇଛି । (ତଥ୍ୟ)