Home Health ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ

ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ

ଭୁବନେଶ୍ୱର :  ଭୁବନେଶ୍ୱରର ଅନ୍ଧାରୁଆଠାରେ  ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ  ଇତି ମଧ୍ୟରେ ଆରମ୍ଭ ହୋଇଛି ।  ଶିଳ୍ପ ପ୍ରତିଷ୍ଠା  ନିମନ୍ତେ ଆବଶ୍ୟକୀୟ  ବୈଧାନିକ ଏବଂ ଆଇନ୍‌ଗତ ଅନୁମତି ମଧ୍ୟ ଦିଆସରିଛି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁ​‌ଷ୍ଠିତ  ରାଜ୍ୟସ୍ତରୀୟ ବାଇଓଟେକ୍ କାର୍ଯ୍ୟାନ୍ୱୟନ  କମିଟିର ଆଲୋଚନାରୁ  ଏହା ଜଣାପଡିଛି ।  ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ  ଅନୁଷ୍ଠିତ ଏହି ବୈଠକରେ  ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ଶାସନ ସଚିବ  ଶ୍ରୀ ମନୋଜ ମିଶ୍ର ରାଜ୍ୟରେ ବାଇଓଟେକ୍  ନିୟାମକର ବାସ୍ତବ କାର୍ଯ୍ୟାନ୍ୱୟନ  ସମ୍ବନ୍ଧିତ  ପ୍ରଶାସନିକ  ଏବଂ ଆର୍ଥିକ  ବିଷୟବସ୍ତୁ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର  ସମୀକ୍ଷା କରି ଟିକା ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ  ଗୁରୁତ୍ୱପୂର୍ଣ୍ଣ  ଭିତ୍ତିଭୂମି ନିର୍ମାଣ ତ୍ୱରାନିତ୍ୱ କରିବା ନିମନ୍ତେ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ଭାରତ ବାଇଓଟେକ୍ ଇଣ୍ଟରନେସନାଲ୍ କମ୍ପାନୀ ଏବଂ ଅନ୍ଧାରୁଆ ବାଇଓଟେକ୍ ପାର୍କ ପାଇଁ ଗଠିତ  ସ୍ୱତନ୍ତ୍ର  ଏସ୍.ପି.ଭି.ଙ୍କୁ ନିର୍ଦ୍ଦେଶ  ଦେଇଥିଲେ  ।  ୨୦୨୨ ଜୁନ୍ ମାସ ସୁଦ୍ଧା  ଏହି ୟୁନିଟ୍‌ରୁ  ଟିକା ଉତ୍ପାଦନ  ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ  କରାଯାଇଥିଲା ।   

ବାଇଓଟେକ୍‌ରେ ନୂତନ ପରୀକ୍ଷାନିରୀକ୍ଷା ଏବଂ ଶିଳ୍ପାନୁଷ୍ଠାନ  ପ୍ରତିଷ୍ଠାକୁ  ଅଧିକ ତ୍ୱରାନିତ  ଓ ଲକ୍ଷ୍ୟଭେଦୀ କରିବା ନିମନ୍ତେ  ଏକ ବୃତ୍ତିଗତ  ନିର୍ଦ୍ଦେଶାଳୟ  ତିଆରି କରିବା ପାଇଁ  ମଧ୍ୟ  ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗୀୟ ଶାସନ ସଚିବ  ଶ୍ରୀ  ମିଶ୍ର  କହିଥିଲେ ଯେ  ଓଡ଼ିଶା ବାଇଓଟେକ୍  ନିୟାମକ ୨୦୧୮ ଅନୁସାରେ ବାଇଓଟେକ୍‌ରେ  କାମକରୁଥିବା  ନବ-ଅନୁସନ୍ଧାନକାରୀ (ଇନକୁବେଟର) ଏବଂ ଷ୍ଟାଟ୍‌ଅପ୍‌ମାନଙ୍କୁ ଜମି, ଜମିର କିସମ ପରିବର୍ତ୍ତନ, ଷ୍ଟାମ୍ପ ଡ୍ୟୁଟି, ତାଲିମ, ପୁଞ୍ଜିନିବେଶ, ବ୍ୟାଙ୍କ୍ ଋଣ ଉପରେ ସୁଧ ଆଦି  ବିଷୟରେ  ବିଭିନ୍ନ ପ୍ରକାର  ରିହାତି ଦିଆଯାଉଛି ।  ବୃତ୍ତିଗତ ପରିଚାଳନା  ମାଧ୍ୟମରେ  ଏସବୁ ରିହାତିର  ଅଧିକ ଫଳଦାୟୀ ବିନିଯୋଗ ହୋଇପାରିବ  ।

ଏକ ସ୍ୱତନ୍ତ୍ର ବୃତିଗତ ନିର୍ଦ୍ଦେଶାଳୟ  ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ  ହେବା ପର୍ଯ୍ୟନ୍ତ ଇପିକଲ୍ ଏବଂ ଶିଳ୍ପ  ବିଭାଗର ଆନୁଷ୍ଠାନିକ  ବ୍ୟବସ୍ଥା ମାଧ୍ୟମରେ  ବାଇଓଟେକ୍  ୟୁନିଟ୍  ମାନଙ୍କର  ପ୍ରୋତ୍ସାହନ ଜାରି ରଖିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।  ବାଇଓଟେକ୍ ଇନକୁବେଟର ମାନଙ୍କୁ  ବିଭିନ୍ନପ୍ରକାର ସହାୟତା  ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଓ ଶିଳ୍ପ ବିଭାଗର  ଫଣ୍ଡ ଅଫ୍ ପଣ୍ଡସ୍ ରେ ୧୫ କୋଟି ଟଙ୍କାର  ପ୍ରାବଧାନ କରାଯାଇଥିଲା ।

ଇଡ୍‌କୋର ଅଧ୍ୟକ୍ଷ  ଓ ପରିଚାଳନା ନିର୍ଦ୍ଦେଶକ  ସଂଜୟ କୁମାର ସିଂ ଜଣାଇଥିଲେ ଯେ  ଭୁବନେଶ୍ୱରର ଇନ୍‌ଫୋସିଟି ନିକଟରେ ଇଡ୍‌କୋ ଦ୍ୱାରା  ଏକ  ଆଧୂନିକ  ଜିରୋ-ହବ୍  ଇନ୍‌କୁବେସନ୍  ଭବନ ନିର୍ମାଣ କରାଯାଇଛି ।  ବର୍ତ୍ତମାନ ଇନ୍‌କୁବେସନ୍ ୟୁନିଟ୍ ନିମନ୍ତେ  ଏହି ଜିରୋ-ହବ୍  ଭବନରୁ ୨୮ ହଜାର ବର୍ଗଫୁଟ୍  ଯାଗା  ଦିଆଯାଇପାରିବ ।  

ଏହି ଭବନରେ  ଅଧିକ ଆଧୂନିକ  ସୁବିଧା ସୁଯୋଗ  ସୃ​‌ଷ୍ଟିକରି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ  ବାଇଓଟେକ୍ ଆଦି  କ୍ଷେତ୍ରରେ କାମକରୁଥିବା  ଇନକୁବେଟରମାନଙ୍କୁ ଏଥିରେ ସ୍ଥାନ  ଦେବା ପାଇଁ  ବୈଠକରେ ସ୍ଥିର  ହୋଇଥିଲା ।  ଏହା ଦ୍ୱାରା ଏହି  ଭବନରେ ପରସ୍ପରର-ପରିପୂରକ ଭିତ୍ତିକ  ଏକ ଆଧୂନିକ  ନବ-ଅନୁସନ୍ଧାନ ବାତାବରଣ ସୃଷ୍ଟି ହୋଇପାରିବ ବୋଲି  ବିଭାଗୀୟ ଶାସନ ସଚିବ  ଶ୍ରୀ ମିଶ୍ର କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଓଡ଼ିଶାରେ କାର୍ଯ୍ୟରତ ନବ-ଅନୁସନ୍ଧାନକାରୀ  ମାନଙ୍କର ପ୍ରଦର୍ଶନ ଖୁବ୍ ଉତ୍ସାହଜନକ ଅଛି ।  ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୭୮୦ଟି ଇନ୍‌କୁବେଟର ୟୁନିଟ୍ କାର୍ଯ୍ୟକରୁଛି ।  ଏମାନଙ୍କ ମଧ୍ୟରୁ ୬୫ ରୁ ଉର୍ଦ୍ଧ୍ଵ  ଇନ୍‌କୁବେଟର ନିଜ ନିଜର ଉତ୍ପାଦ ନିମନ୍ତେ  ପ୍ୟାଟେଣ୍ଟ୍, ଟ୍ରେଡ୍‌ମାର୍କ ଓ କପିରାଇଟ୍ ଆଦି ଅନୁମତି ପାଇସାରିଛନ୍ତି । ସମୁଦାୟ ଇନ୍‌କୁବେଟରମାନଙ୍କ ମଧ୍ୟରୁ ପ୍ରାୟ ୭୫ ଜଣ ବାଇଓଟେକ୍ କ୍ଷେତ୍ରରେ କାମ କରୁଛନ୍ତି ।

ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ର  ଭାରତ ବାଇଓଟେକ୍  ଇର୍ଟରନେସନାଲ୍  ଲିଃଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଉଛି ।  ଏହି କମ୍ପାନୀର  ରୋଟାଭାଇରସ୍, ଡାଇରିଆ, ମ୍ୟାଲେରିଆ, ଜାପାନୀ ଜ୍ୱର, ରାବିସ୍, ମହାମାରୀ ଇନ୍‌ଫ୍ଲୁଏଞ୍ଜା ଆଦି  ବିଭିନ୍ନ ପ୍ରକାର  ଆଧୂନିକ ଟିକା  ଉତ୍ପାଦନ  କ୍ଷେତ୍ରରେ  ଅଭିଜ୍ଞତା ରହିଛି ।  ଅନ୍ଧାରୁଆଠାରେ  ବର୍ତ୍ତମାନ ନିର୍ମାଣାଧିନ ୟୁନିଟ୍ ରେ  କରୋନା  ଓ  ମ୍ୟାଲେରିଆ  ଟିକା  ସମେତ  ପ୍ରାୟ ୧୦ ପ୍ରକାର ଟିକା ଉତ୍ପାଦନ  କରିବା ନିମନ୍ତେ  ଲକ୍ଷ୍ୟ  ରଖାଯାଇଛି ।

ଉନ୍ନୟନ କମିଶନର ପ୍ରୀଦୀପ କୁମାର ଜେନା, ଶିଳ୍ପ ବିଭାଗ  ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା, ଅର୍ଥ ବିଭାଗ  ପ୍ରମୁଖ ଶାସନ ସଚିବ  ଅଶୋକ କୁମାର ମୀନା, ଶକ୍ତି ବିଭାଗ  ପ୍ରମୁଖ ଶାସନ ସଚିବ  ନିକୁଞ୍ଜବିହାରୀ ଧଳ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଂଜୟ କୁମାର ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା  ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ  ପ୍ରତିନିଧି ସଦସ୍ୟମାନେ ବୈଠକର  ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।