ଭୁବନେଶ୍ୱର : ରାଜଧାନୀରେ ବାୟୁ ପ୍ରଦୂଷଣକୁ ରୋକିବାପାଇଁ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ସହର ସଫେଇରୁ ଉଡୁଥିବା ଧୂଳିକଣା ଏବେ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହୋଇଛି । ସହରର ପ୍ରମୁଖ ରାସ୍ତାଠାରୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ରାତି ପାହିଲେ ଝାଡୁମରା ହେଉଥିବାରୁ ଏହା ପରିବେଶକୁ ଅଧିକ ବିଗାଡିବାରେ ଲାଗିଛି ।
ସହରର କେତେକ ପ୍ରମୁଖ ରାସ୍ତାରେ ବିଏମ୍ସି ପକ୍ଷରୁ ଯାନ୍ତ୍ରିକ ସଫେଇ ହେଉଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ସଫେଇ କର୍ମଚାରୀମାନେ ଝାଡୁ ମାରି ରାସ୍ତାଘାଟ ସଫା କରୁଛନ୍ତି । ରାତି ପାହିଲେ ଏମାନେ ହାତରେ ଝାଡୁଧରି ରାସ୍ତା ସଫା କରିବା ସମୟରେ ବ୍ୟାପକ ଧୂଳି ଉଡୁଛି । ଯଦିଓ କେତେକ ସ୍ଥାନରେ ରାତିବେଳା ଝାଡୁ ମରାଯାଉଛି ତାହା କିନ୍ତୁ କିଛି ହାଟ ବଜାରରେ ସୀମିତ ରହୁଛି ।
ଶୀତ ଦିନେ ରାସ୍ତାରେ ଝାଡୁ ମରାଯିବା ସମୟରେ ସମ୍ପୃକ୍ତ ଅଞ୍ଚଳ ଧୂଳିମୟ ହୋଇ ଯାଉଛି । ଏପରିକି ସେହି ରାସ୍ତା ଦେଇ ଲୋକେ ଯିବାକୁ ଭୟ କରୁଛନ୍ତି । ଏହାଛଡା ସକାଳୁ ଗହଳି ହେଉଥିବା ବ୍ୟବସାୟ ପ୍ରତିଷ୍ଠାନ, ମଲ୍ ଆଦି ସମ୍ମୁଖରେ ଝାଡୁ ମରାଯିବା ଫଳରେ ସେହିସବୁ ଅଞ୍ଚଳରେ କେବଳ ଲୋକେ ଧୂଳିମୟ ହେଉନାହାନ୍ତି ଗଛର ପତ୍ରସବୁ ମଧ୍ୟ ଧୂଳିରେ ନିଜର ସବୁଜିବା ହରାଇଲେଣି ।
ଯେଉଁସବୁ ସ୍ଥାନରେ ସମ୍ଭବ ସେଠାରେ ଝାଡୁ ମାରିବା ପୂର୍ବରୁ ଯଦି ଜଳ ସିଞ୍ଚନ କରାଯାଇ ପାରନ୍ତା ତେବେ ଏଭଳି ଅବସ୍ଥା ସୃଷ୍ଟି ହୁଅନ୍ତା ନାହିଁ । ଏଥିରେ ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍ଗୁଡିକ ସାମିଲ କରି ସେମାନଙ୍କ ଦ୍ୱାରା ଜଳ ସିଞ୍ଚନ କରାଯାଇ ପାରିଲେ ସହରର ବାୟୁ ପ୍ରଦଷଣକୁ କିଛି ମାତ୍ରାରେ ରୋକାଯାଇ ପାରନ୍ତା ବୋଲି ମତପ୍ରକାଶ ପାଉଛି ।
ସେହିଭଳି ଶୀତଦିନ ହୋଇଥିବାରୁ ଓ ଚଳିତବର୍ଷ ରାଜଧାନୀରେ ଶୀତର ପ୍ରକୋପ ରେକର୍ଡ ଅତିକ୍ରମ କରିଥିବାରୁ ଲୋକେ ରାସ୍ତାଘାଟ, ଗଳିକନ୍ଦିରେ ପଡିଥିବା ଅଳିଆରେ ନିଆଁ ଲଗାଇ ସେଠାରେ ନିଆଁ ପୁଇଁବାରେ ଲାଗୁଛନ୍ତି । ଏମାନଙ୍କୁ ସଚେତନ କରିବା ସହିତ ଶୁଖିଲା ପତ୍ର, କାଠି ଆଦିକୁ ଉଠାଇ ନିଆଗଲେ ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ ରୋକାଯାଇ ପାରନ୍ତା । ସେହିଭଳି ସହରର ଯେଉଁସବୁ ସ୍ଥାନରେ ରାସ୍ତାଉପରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ସେଠାରେ ଦିନରେ ଅତି କମ୍ରେ ଦୁଇ ତିନିଥର ଜଳ ସିଞ୍ଚନ କରାଗଲେ ବାୟୁ ମଣ୍ଡଳରେ ଧୂଳିକଣା ମିଶିବାକୁ ରୋକାଯାଇ ପାରନ୍ତା ବୋଲି ମତପ୍ରକାଶ ପାଉଛି ।
ଅନ୍ୟ ପକ୍ଷରେ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ବାୟୁ ପ୍ରଦୂଷଣରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିବାରୁ ସେମାନଙ୍କୁ ନିୟୋଜିତ କରୁଥିବା ସଂସ୍ଥାମାନେ ମାସ୍କ ଯୋଗାଇ ଦେବାକୁ ଦାବି ହେଉଛି । ଠିକା ସଂସ୍ଥାମାନେ ଏ ଦିଗରେ ଦୃଷ୍ଟି ନଦେଲେ ବହୁ ସଫେଇ କର୍ମଚାରୀ ବାୟୁ ପ୍ରଦୂଷଣରେ ଖୁବ୍ଶୀଘ୍ର ଆକ୍ରାନ୍ତ ହୋଇଯିବେ ବୋଲି ମତ ଦେଉଛନ୍ତି ।
ସହରରେ ଏବେ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ଗାଡିମୋଟର ଧୂଆଁ ହୋଇଥିବାବେଳେ ସରକାର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କଡାକଡି କରିଛନ୍ତି । ଏହା ସତ୍ୱେ ବି କିଛି ଯାନ ବାହାନ ରାସ୍ତାରେ କଳାଧୂଆଁ ଛାଡି ଯା’ ଆସ କରୁଥିବାରୁ ସେମାନଙ୍କୁ ଧରିବାପାଇଁ ସହରର ବିଭିନ୍ନ ସ୍ଥାନରେ ମୋବଇଲ୍ ଯାଞ୍ଚ କରାଯିବା ସପକ୍ଷରେ ସାଧାରଣ ଲୋକେ ମତପ୍ରକାଶ କରୁଛନ୍ତି । କାରଣ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପ୍ରାୟତଃ ସବୁ ଯାନ ପାଶ୍ କରିଯାଉଥିବାରୁ ଓ କିଛି ଯାନ ବାହାନ ଜାଲ୍ ସାର୍ଟିଫିକେଟ ହାସଲ କରୁଥିବାରୁ ସେମାନଙ୍କୁ ଜବତ କରାଯାଇ ପାରିଲେ ବାୟୁ ପ୍ରଦୂଷଣ ସମସ୍ୟାର କିଛିଟା ସମାଧାନ ହୋଇ ପାରନ୍ତା । ଉଲ୍ଲେଖନୀୟ ଯେ ରାଜଧାନୀର ବାୟୁ ପ୍ରଦୂଷଣ ଚଳିତମାସରେ ୩୮୦ ଏକ୍ୟୁଆଇ ଛୁଇଁଥିବାବେଳେ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ତଥାପି ଏବେ ବି ବାୟୁର ମାନ କ୍ଷତିକାରକ ସ୍ଥିତିରେ ରହିଥିବାନେଇ ଲୋକଙ୍କୁ ସତର୍କ କରାଯାଉଛି । (ତଥ୍ୟ)

