Home General ପ୍ରାଣୀ କଲ୍ୟାଣ ଗାନ୍ଧୀଜୀଙ୍କ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ଥିଲା

ପ୍ରାଣୀ କଲ୍ୟାଣ ଗାନ୍ଧୀଜୀଙ୍କ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ଥିଲା

ଭୁବନେଶ୍ୱର : ପ୍ରାଣୀ କଲ୍ୟାଣ ଗାନ୍ଧୀଜୀଙ୍କ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ଥିଲା। ସେ ଏକଥା କେବଳ କହୁନଥିଲେ, ନିଜ କାର୍ଯ୍ୟରେ କରି ଦେଖାଉଥିଲେ। ତେଣୁ ଜୀବଜଗତ ପ୍ରତି ସକରାତ୍ମକ ମନୋଭାବ ପୋଷଣ କରିଲେ ଆମେ ଗାନ୍ଧୀଜୀଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇ ପାରିବା ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ପରିବେଶବିତ୍ ଶ୍ରୀମତୀ ମାନେକା ସଞ୍ଜୟ ଗାନ୍ଧୀ କହିଛନ୍ତି।

ଆଜି ସ୍ଥାନୀୟ ଜୟଦେବ ଭବନରେ ପୂର୍ବତନ ବିଧାୟକ ତଥା ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ଷୋଡ଼ଶ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା ସମାରୋହ’କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ  ‘ ଗାନ୍ଧୀଜୀ ଓ ପ୍ରାଣୀ କଲ୍ୟାଣ ‘ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀମତୀ ଗାନ୍ଧୀ ଏକଥା କହିଛନ୍ତି। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗାନ୍ଧୀ ଶବ୍ଦ ସୁଗନ୍ଧରୁ ଆସିଛି।

ଗାନ୍ଧୀ ନିଜେ ତ ସୁଗନ୍ଧିତ ଥିଲେ, ସେ ଯୁଆଡ଼େ ଯାଉଥିଲେ, ସୁଗନ୍ଧ ପ୍ରବାହିତ କରୁଥିଲେ।  ପ୍ରାଣୀ କଲ୍ୟାଣ ତାଙ୍କ କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ଥିଲା। ସେ ଏକଥା କେବଳ କହୁନଥିଲେ, ନିଜ କାର୍ଯ୍ୟରେ କରି ଦେଖାଉଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ଉକ୍ତି – ‘ଗୋଟିଏ ଦେଶ ନିଜ ଜୀବଜନ୍ତୁଙ୍କ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରେ, ତାହାରି ଉପରେ ହିଁ ସେ ଦେଶର ମହାନତା ଓ ନୈତିକ ପ୍ରଗତିକୁ ଅନୁଶୀଳନ କରାଯାଇପାରେ’ କୁ ଉଦ୍ଧାର କରି ଶ୍ରୀମତୀ ଗାନ୍ଧୀ କହିଥିଲେ ଯେ, ଜୀବ ସୁରକ୍ଷା ଆମର ନୈତିକ କର୍ତ୍ତବ୍ୟ ବୋଲି ଗାନ୍ଧୀଜୀ କହୁଥିଲେ।

ଶ୍ରୀମତୀ ଗାନ୍ଧୀ ପୁଣି କହିଥିଲେ ଯେ, ଗାନ୍ଧୀଙ୍କ ବକ୍ତବ୍ୟ ଏତେ ପ୍ରଭାବଶାଳୀ ଯେ, ଆଜି ବି ଲୋକେ ତାଙ୍କଦ୍ୱାରା ପ୍ରଭାବିତ ହେଉଛନ୍ତି। ଧର୍ମ, ସବୁ ଜୀବନ୍ତ ପ୍ରାଣୀକୁ ସମ୍ମାନ ଦେବା ଶିଖାଏ। ଆମେ ଦିନସାରା ନୃଶଂସ ଆଚରଣ ପ୍ରଦର୍ଶନ କରି ରାତିରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା, ଭଗବାନ ମତେ କ୍ଷମା କରିଦିଅ। ଇଏ କି ପ୍ରକାର ଆଚରଣ? ଗାନ୍ଧୀଜୀ କହୁଥିଲେ, ମଣିଷ ମାଂସ ଖାଇବାକୁ ଜନ୍ମ ହେଇନି, ସେ ଜନ୍ଣତଃ ଶାକାହାରୀ।  ପ୍ରାଣୀ ଜଗତ ଉପରେ ମଣିଷର ଅତ୍ୟାଚାର ସବୁଠାରୁ ବଡ଼ ହିଂସା। କୌଣସି ଜୀବ ପ୍ରତି ଅତ୍ୟାଚାର, ହିନ୍ଦୁତ୍ବର ଅବମାନନା।

ନିଜ ସମ୍ପର୍କରେ ଶ୍ରୀମତୀ ଗାନ୍ଧୀ କହିଥିଲେ,ମୁଁ କମ୍ ବୟସରେ ବାହା ହୋଇଥିଲି। ମାଂସ ଖାଉଥିଲି। କିନ୍ତୁ ଜୀବଜନ୍ତୁ ଦେଖିଲେ ତାକୁ ସୁରକ୍ଷା ଦେବାକୁ କହୁଥିଲି। ମୋ ସ୍ବାମୀ ଥରେ କହିଲେ-  ତୁମେ ସାରାଦିନ ଜୀବ ସୁରକ୍ଷା କଥା କହି ମୋତେ ଅସ୍ତବ୍ୟସ୍ତ କରିଦେଉଛ, କିନ୍ତୁ ରାତିରେ ମାଂସ ଖାଉଛ। ତମେ ମାଂସ ଖାଇବା ଛାଡ଼, ନହେଲେ ଜୀବ ସୁରକ୍ଷା କଥା କହିବା ଛାଡ଼। ସେଦିନ ମୁଁ ବହୁତ କାନ୍ଦିଲି। ସେଇ ରାତିରୁ ଆମିଷ ଖାଦ୍ୟ ବର୍ଜନ କଲି।

ନିଜ ବକ୍ତବ୍ୟରେ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଥିଲେ, ସ୍ବର୍ଗତ ନାୟକଙ୍କ ଜୀବ ସୁରକ୍ଷା ପ୍ରତି ଅବଦାନ ପାଇଁ ଆମ ଅନୁଷ୍ଠାନ ପିପୁଲ୍ସ ଫର୍ ଆନିମଲ ତାଙ୍କୁ ଅନେକ ବର୍ଷ ତଳେ ସମ୍ମାନିତ କରିଥିଲା । ‘ମହାତ୍ମା ଗାନ୍ଧୀ ଓ ପ୍ରାଣୀ କଲ୍ୟାଣ’ ଶୀର୍ଷକ ଏ ଆଲୋଚନା ସମଗ୍ର ଭାରତବର୍ଷରେ ପ୍ରଥମ ଆଲୋଚନା ବୋଲି ଦର୍ଶାଇ ସେ ଫାଉଣ୍ଡେସନକୁ ସାଧୁବାଦ ଜଣାଇଥିଲେ।

ସମାରୋହରେ ଭିତ୍ତି ଭାଷଣ ପ୍ରଦାନ କରି ପ୍ରଫେସର ନିବେଦିତା ମହାନ୍ତି ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ପ୍ରକୃତି, ଜୀବଜନ୍ତୁ ଏବଂ ପରିବେଶକୁ ସେ ଖୁବ ଭଲ ପାଉଥିଲେ। ଏକ ଉନ୍ନତ ସମାଜ ଗଠନ କରିବା ଥିଲା  ତାଙ୍କର ସ୍ବପ୍ନ। ଆମେ ଏହି ସ୍ବପ୍ନ ସାକାର କରି ପାରିଲେ ତାହାହିଁ ହେବ ମାଟିର ଗାନ୍ଧୀ ରାଜକିଶୋର ନାୟକଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି।

ପ୍ରାରମ୍ଭରେ ଫାଉଣ୍ଡେସନର କର୍ମକର୍ତ୍ତା ତଥା ରାଜକିଶୋର ନାୟକଙ୍କ ପୁଅ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିବା ସହିତ କହିଥିଲେ ଯେ, ଯେପର୍ଯ୍ୟନ୍ତ ଗାନ୍ଧୀ ବିଚାରଧାରା ଲୋକଙ୍କୁ ପ୍ରଭାବିତ କରୁଥିବ , ସେ ପର୍ଯ୍ୟନ୍ତ ଜନମାନସରେ ଗାନ୍ଧୀ ବଞ୍ଚିଥିବେ।

ସମାରୋହରେ ସଭାପତିତ୍ବ କରି ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସଭାପତି ପ୍ରହଲାଦ କୁମାର ସିଂହ ଗାନ୍ଧୀଜୀଙ୍କ ତିନି ମାଙ୍କଡ଼ ପ୍ରସଙ୍ଗ ଉପସ୍ଥାପନ କରିବା ସହିତ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଫାଉଣ୍ଡେସନର ସମ୍ପାଦକ ଶ୍ରୀଯୁକ୍ତ ପର୍ଶୁରାମ ଦ୍ବିବେଦୀ ମଞ୍ଚାସୀନ ଥିଲେ। ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଫାଉଣ୍ଡେସନର ସଦସ୍ୟ ଶ୍ରୀଯୁକ୍ତ ନୀଳୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।