Home News in Odia ପୁରୀର ହେବ ମହାକଳେବର

ପୁରୀର ହେବ ମହାକଳେବର

ଭୁବନେଶ୍ୱର : ପୁରୀକୁ ମହାନଗର ଘୋଷଣା କରାଯାଇଥିବାବେଳେ ଏହାର ମହା କଳେବର କରାଯିବ । ପୁରୀ ଆଖପାଖରେ ଥିବ ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରାଯିବା ସହିତ ଏଠାରେ ଟିପି ସ୍କିମ୍‍ କାର୍ଯ୍ୟକାରୀ ହେବ ଏବଂ ଏଠାରେ ବହୁମୁଖୀ ମାର୍କେଟ କମ୍ପେ୍ଲକ୍ସ ସହିତ ପାର୍କ ଓ ପାର୍କିଂ ସ୍ଥାନ ଆଦି ନିର୍ମାଣ କରାଯିବ ବୋଲି କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିବାପରେ ପ୍ରତିଶ୍ରୁତି ଅନୁଯାୟୀ ୨୮ଟି ନୂଆ ଏନଏସି, ୭ଟି ମ୍ୟୁନିସିପାଲିଟି ଓ ଗୋଟିଏ ମହାନଗର ନିଗମ ପ୍ରତିଷ୍ଠା ହୋଇଛି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ଧନ୍ୟବାଦ ଦେଇଥିଲେ ।

ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ୨୮ଟି ନୂଆ ଏନଏସି ଦାୟିତ୍ୱରେ ବିଡିଓମାନେ ରହିଥିବାବେଳେ ଖୁବ୍‍ଶୀଘ୍ର ଏଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରଯାିବ । ସେହିଭଳି ନୂତନ ଏନଏସି ପାଇଁ ନୂଆ ଦପ୍ତର ନିର୍ମାଣ ସହିତ ଆଲୋକ, ରାସ୍ତାଘାଟ ଓ ପରିମଳ ଆଦି ପ୍ରତ୍ୟେକ ପାଇଁ ୫୦ଲକ୍ଷ ଟଙ୍କା କରି ସମସ୍ତ ପୌରପାଳିକାକୁ ଯୋଗାଇ ଦିଆଯାଇଛି । ନୂତନ ଅଫିସ ଗୃହ ପାଇଁ ସରକାର ୬ କୋଟି ଟଙ୍କା ଯୋଗାଇ ଦେବେ ଏବଂ ଏଥିପାଇଁ ମଡେଲ ଡିପିଆର ପ୍ରସ୍ତୁତ ପାଇଁ କୁହାଯାଇଛି । ସେହିଭଳି ୭ଟି ମ୍ୟୁନିସିପାଲିଟି ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି ।

ତେବେ ପୁରୀ ମହାନଗର ନିଗମ ମାନ୍ୟତା ପାଇବାପରେ ଏଠାରେ ପରିମଳ ଓ ଡ୍ରେନ ପାଇଁ ୨ କୋଟି ଟଙ୍କା କରି ଯୋଗାଇ ଦିଆଯାଇଥିବାବେଳେ ଆଲୋକ ବ୍ୟବସ୍ଥା ପାଇଁ ୧କୋଟି ଟଙ୍କା ପ୍ରଦାନ କରାଯାଇଛି । ପୁରୀ ଆମର ପରିଚୟ ହୋଇଥିବାରୁ ଏଥିପାଇଁ ଯାହା ଅର୍ଥ ଆବଶ୍ୟକ ପଡିବ ତାହା ସରକାର ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିଭଳି ଭୁବନେଶ୍ୱର ମହାନଗର ନିଗମର କଳେବର ବୃଦ୍ଧି ପାଇଁ ଏହାର ଆଖପାଖରେ ଥିବା ୭ଟି ପଞ୍ଚାୟତର ୨୬ଟି ରାଜସ୍ୱ ଗ୍ରାମର ଲୋକଙ୍କ ମତାମତ ଲୋଡାଯାଇଛି । ସେମାନେ ବିଏମ୍‍ସି ଅଧିନରେ ରହିବେ କି ନାହିଁ ସମ୍ମତି ଜଣାଇବାପରେ ଏହି ପ୍ର୍ରକ୍ରିୟା ଆଗକୁ ବଢିବ । ସେହିଭଳି ବ୍ରହ୍ମପୁର ମହାନଗର ନିଗମର ବିସ୍ତାର ପାଇଁ ୧୨ଟି ପଞ୍ଚାୟତର ୩୪ରାଜସ୍ୱ ଗ୍ରାମର ଲୋକଙ୍କ ମତାମତ ଲୋଡାଯାଇଛି ।
ମନ୍ତ୍ରୀ ଡାକ୍ତର ମହାପାତ୍ର କହିଥିଲେ ଯେ ଚଳିତବର୍ଷରୁ ଜନଗଣନା ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ସରକାର ନୂତନ ଏନଏସି, ମ୍ୟୁନିସିପାଲଟି ଓ ମହାନଗର ନିଗମର ଘୋଷଣା କରିଛନ୍ତି । ଏହା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଆଗାମୀ ଦିନରେ ଯେଉଁଠାରୁ ଏ ସଂକ୍ରାନ୍ତୀୟ ଦାବି ଆସିବ ସରକାର ତାହା ଉପରେ ବିଚାର କରିବେ ।