ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟଗୁଡିକୁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ମୁହଁ ମୋଡୁଥିବାବେଳେ ବିଦ୍ୟାଳୟରେ ମୌଳିକ ସୁବିଧାର ଅଭାବକୁ ଏଥିପାଇଁ କେତେକାଂଶରେ ଦାୟୀ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦେଢ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ଥିବାବେଳେ ୫ଶହରୁ ଅଧିକ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ସୁବିଧା ନଥିବା ଜଣାଯାଇଛି ।
ବିଦ୍ୟାଳୟ ସଂକ୍ରାନ୍ତରେ ହୋଇଥିବା ସର୍ବଶେଷ ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟରେ ମୋଟ୍ ୪୮,୪୬୩ଟି ସରକାରୀ ବିଦ୍ୟାଳୟ ରହିଥିବାବେଳେ ଏଥି ମଧ୍ୟରୁ ୩୩୭୨ଟି ବିଦ୍ୟାଳୟର ପାଚେରୀ ନାହିଁ । ଏହିସବୁ ବିଦ୍ୟାଳୟରେ ଦିନବେଳା ପାଠପଢା ହେଉଥିବାବେଳେ ରାତିବେଳା ଗାଈଗୋରୁ ଶୋଉଛନ୍ତି । ସେହିଭଳି ଏହି ବିଦ୍ୟାଳୟଗୁଡିକରେ ଗଛଟିଏ ଲଗାଇବା ବି ସମ୍ଭବପର ହେଉନାହିଁ । ଏଥିରୁ ସର୍ବାଧିକ ୬୩୦ ବିଦ୍ୟାଳୟ ରହିଛି କୋଟରାପୁଟ ଜିଲ୍ଲାରେ । ରାୟଗଡାରେ ୪୫୩ଟି ବିଦ୍ୟାଳୟର ବି ପାଚେରୀ ନାହିଁ । ଖୋର୍ଦ୍ଧା ଜିଲ୍ଲାରେ ୮୧ଟି ବିଦ୍ୟାଳୟରେ ପାଚେରୀ ନଥିବାବେଳେ ପୁରୀ ଜିଲ୍ଲାରେ ୨୦୦ ବିଦ୍ୟାଳୟ ଏହି ତାଲିକାରେ ରହିଛି ।
ତେବେ ରାଜ୍ୟରେ ମାତ୍ର ୧୩ଟି ବିଦ୍ୟାଳୟକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଦ୍ୟାଳୟର ପକ୍କା ଘର ରହିଛି । ଏହି ୧୩ଟି ବିଦ୍ୟାଳୟ ମଧ୍ୟରୁ କେନ୍ଦ୍ରାପଡା, ମାଲକାନଗିରି ଓ ଗଞ୍ଜାମରେ ଦୁଇଟି କରି ବିଦ୍ୟାଳୟ ରହିଥିବାବେଳେ କଟକ, ଯାଜପୁର, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ ଓ ନୟାଗଡ ଜିଲ୍ଲାରେ ଗୋଟିଏ କରି ବିଦ୍ୟାଳୟ ରହିଛି ।
ସେହିଭଳି ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟଗୁଡିକ ମଧ୍ୟୁ ୧୪୫୪ଟି ବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ଶୌଚାଳୟ ସୁବିଧା ନାହିଁ । ଏହି ତାଲିକାରେ ରାୟଗଡା ଜିଲ୍ଲାର ସର୍ବାଧିକ ୨୪୯ଟି ବିଦ୍ୟାଳୟ ରହିଥିବାବେଳେ ବରଗଡ ଜିଲ୍ଲାରେ ୧୭୩ ଓ କେନ୍ଦୁଝର ଜିଲ୍ଲାରେ ୧୩୮ଟି ରହିଛି । ସେହିଭଳି ୫୭୪ ଟି ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନାହିଁ । ଏହି ତାଲିକାରେ ନୂଆପଡା ଜିଲ୍ଲାର ୫୪ଟି ବିଦ୍ୟାଳୟ ରହିଥିବାବେଳେ ବାଲେଶ୍ୱର ଜିଲ୍ଲାର ୪୦ଟି ବିଦ୍ୟାଳୟ ରହିଛି । ତେବେ ଭଦ୍ରକ ଓ ଜଗତ୍ସିଂହପୁର ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ରହିଛି ।
ତେବେ ରାଜ୍ୟର ୯୫୨୫ଟି ସରକାରୀ ବିଦ୍ୟାଳୟରେ ପିଲାଙ୍କ ପାଇଁ ଖେଳପଡିଆ ଟିଏ ନ।।ହିଁ । ଏଥି ମଧ୍ୟରେ କୋରାପୁଟ ଜିଲ୍ଲାର ୧୫୩୧ଟି ବିଦ୍ୟାଳୟ ରହିଥିବାବେଳେ ବଲାଙ୍ଗିର ଜିଲ୍ଲାର ୮୯୯ଟି ବିଦ୍ୟାଳୟ ରହିଛି । ତେବେ ଯାଜପୁର ଜିଲ୍ଲାରେ ଥିବା ୧୭୬୩ଟି ବିଦ୍ୟାଳୟ ମଧ୍ୟରୁ ମାତ୍ର ୩ଟିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଦ୍ୟାଳୟରେ ଖେଳପଡିଆ ସୁବିଧା ରହିଛି ଯାହାକି ରାଜ୍ୟରେ ଏକ ରେକର୍ଡ ।
ସେହିଭଳି ରାଜ୍ୟର ୧୫୮୮ଟି ବିଦ୍ୟାଳୟରେ ବିଦ୍ୟୁତ୍ ସୁବିଧା ନାହିଁ । ବିଦ୍ୟୁତ୍ ସୁବିଧା ନଥିବା ସ୍କୁଲ ତାଲିକାରେ ଭଦ୍ରକ, ଝାରସୁଗୁଡାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାର ସରକାରୀ ବିଦ୍ୟାଳୟ ରହିଛି । ଏହିସବୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖରାଦିନେ କେବଳ ଗରମରେ ଆଉଟୁ ପାଉଟୁ ହେଉନାହାନ୍ତି, ସେମାନଙ୍କ ବିଦ୍ୟାଳୟରେ ଟିଭିଟିଏ ଚାଲିବା ବି ସମ୍ଭବପର ହୋଇପାରୁ ନାହିଁ ।
ସରକାରୀ ବିଦ୍ୟାଳୟରେ ଏହିସବୁ ସର୍ବନିମ୍ନ ମୌଳିକ ସୁବିଧାର ଅଭାବ ଯୋଗୁଁ ମାଗଣା ମଧ୍ୟାହ୍ନଭୋଜନ, ପୁସ୍ତକ ଓ ପୋଷାକ ଦିଆଗଲେ ମଧ୍ୟ ଘରୋଇ ବିଦ୍ୟାଳୟରେ ବର୍ଷକୁ ବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି । (ତଥ୍ୟ)

