Home General ଜିଲ୍ଲା ପୁନର୍ଗଠନ କେବେ ?

ଜିଲ୍ଲା ପୁନର୍ଗଠନ କେବେ ?

ଭୁବନେଶ୍ୱର : ନବେ ଦଶକରେ ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଭଳି ବଡ଼ବଡ଼ ଜିଲ୍ଳାଗୁଡ଼ିକରେ ବିଭାଜନ କରି ପରବର୍ତ୍ତୀ ସମୟରେ ନୂଆ ଜିଲ୍ଲା ଗଠନ ଲାଗି ଯେଉଁ ପ୍ରସ୍ତାବ ରହିଥିଲା ତାହା ଏଯାବତ୍‍ କାର୍ଯ୍ୟକାରୀ ହୋଇପାରି ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ସେତେବେଳେ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ପୁରୀ, କଟକ, ଗଞ୍ଜାମ ଭଳି ବଡ଼ବଡ଼ ଜିଲ୍ଲାଗୁଡ଼ିକୁ ବିଭାଜିତ କରି ଅନେକ ନୂଆ ଜିଲ୍ଲା ଗଠନ କରାଯାଇଥିଲା । ଏହି ପ୍ରକ୍ରିୟାରେ ଫୁଲବାଣୀ ଜିଲ୍ଳାର ମଧ୍ୟ ବିଭାଜନ ହୋଇଥିଲା । ତେବେ କେତେକ କାରଣ ଯୋଗୁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭାଜନ କରି ନୂଆ ଜିଲ୍ଲା ସେତେବେଳେ ଗଢ଼ାଯାଇ ପାରିନଥିଲା ।

ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୩ ଭାଗ କରି ନୂତନ ଜିଲ୍ଲା ଗଠନ ପାଇଁ ବାରମ୍ବାର ଦାବି ଉଠୁଥିବାବେଳେ ଆଉ କେତେକ ମହଲ ଏହି ତିନୋଟି ବଡ଼ ଜିଲ୍ଲାକୁ ନଭାଙ୍ଗିବା ପାଇଁ ମତ ଦେଉଛନ୍ତି । ଇତିମଧ୍ୟରେ ବିଭାଜିତ ଗଞ୍ଜାମ ଜିଲ୍ଲାକୁ ଭାଙ୍ଗି ଘୁମୁସର ଜିଲ୍ଲା ଗଠନ ପାଇଁ ମଧ୍ୟ ଦାବି ଉଠୁଛି । ଏହାଛଡ଼ା ରାଜ୍ୟର ଆଉ କେତେକ ସବ୍‍ଡିଭିଜନ୍‍କୁ ଜିଲ୍ଲା ମାନ୍ୟତା ଦେବା ଲାଗି ମଧ୍ୟ ବାରମ୍ବାର ବିଭିନ୍ନ ସଂଗଠନ ଦାବି ଉଠାଉଛନ୍ତି । ଏହାଛଡ଼ା ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ପ୍ରଶାସନିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ଲାଗି ମଧ୍ୟ ବହୁ ବର୍ଷରୁ ଦାବି ହୋଇଆସୁଛି । ଖୋର୍ଦ୍ଧା ଜିଲ୍ଳା ଗଠନ ବେଳେ ଏହାର ମହକୁମା ଭୁବନେଶ୍ୱରରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲା ସଦର ମହକୁମା ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହୋଇଛି ।

ଜିଲ୍ଲା ପୁନର୍ଗଠନ ପ୍ରସ୍ତାବ ଦୀର୍ଘବର୍ଷ ଧରି ସରକାରଙ୍କ ବିଚାରାଧୀନ ରହିଛି । ଏହାଛଡ଼ା ବ୍ଲକ ଓ ତହସିଲ ପୁନର୍ଗଠନ ଲାଗି ମଧ୍ୟ ବାରମ୍ବାର ଦାବି ଉଠୁଛି । ତେବେ ଏ ସଂକ୍ରାନ୍ତରେ କେବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେବ ସେଥିଘେନି ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳୁନଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତଗୁଡ଼ିକର ପୁଣିଥରେ ପୁନର୍ଗଠନ କରାଯାଇପାରେ ବୋଲି ଶୁଣାଯାଉଛି ।

ବଡ଼ବଡ଼ ଜିଲ୍ଲାଗୁଡ଼ିକୁ ଆବଶ୍ୟକତା ଭିତ୍ତିରେ ଭାଙ୍ଗି ଛୋଟଛୋଟ ନୂଆ ଜିଲ୍ଲାମାନ ଗଠନ କରାଗଲେ ସେଠାରେ ଜିଲ୍ଲାପାଳ, ଏସ୍‍ପିଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ରହିବେ । ଯାହାଫଳରେ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ ପାଇବ ବୋଲି ଯୋଜନା ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି । ତେବେ ଜିଲ୍ଲା ପୁନର୍ଗଠନ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ।(ତଥ୍ୟ)