Home News in Odia ପରିବହନ ଭବନରେ ଆଧୁନିକ କ୍ୟାଣ୍ଟିନ

ପରିବହନ ଭବନରେ ଆଧୁନିକ କ୍ୟାଣ୍ଟିନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ର କର୍ପୋରେଟ୍ ଅଫିସ ‘ପରିବହନ ଭବନ’, ଭୁବନେଶ୍ୱର ଠାରେ ଆଜି ଏକ ଆଧୁନିକ କ୍ୟାଣ୍ଟିନର ଉଦଘାଟନ କରାଯାଇଛି। କ୍ୟାଣ୍ଟିନଟିର ଉଦଘାଟନ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଏବଂ ଓଏସଆରଟିସି ର ସିଏମ୍‍ଡି ଶ୍ରୀ ଏନ.ବି.ଏସ. ରାଜପୁତ ଓ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମିତାଭ ଠାକୁରଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।

ନୂତନ କ୍ୟାଣ୍ଟିନ ପ୍ରତିଷ୍ଠା ଓଏସଆରଟିସି ର କର୍ମଚାରୀ କଲ୍ୟାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ମାଧ୍ୟମରେ କର୍ମଚାରୀମାନଙ୍କ ପାଇଁ ପରିଷ୍କାର, ସ୍ୱଚ୍ଛ ଓ ସୁବିଧାଜନକ ଭୋଜନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି, ଯାହା କାର୍ଯ୍ୟସ୍ଥଳର ସକାରାତ୍ମକ ପରିବେଶ ସୃଷ୍ଟିରେ ସହାୟକ ହେବ ।

ଆଧୁନିକ ରୋଷେଇ ଉପକରଣରେ ସୁସଜ୍ଜିତ କ୍ୟାଣ୍ଟିନ ଉନ୍ନତମାନର ଖାଦ୍ୟ ପ୍ରସ୍ତୁତିକୁ ନିଶ୍ଚିତ କରିବ। ଏଠାରେ ପ୍ରାକୃତିକ ଆଲୋକ ଓ ମୁକ୍ତ ବାୟୁ ଚଳାଚଳ ସହିତ ୨୦ ଜଣରୁ ଅଧିକ ଲୋକ ବସିପାରିବାର ବ୍ୟବସ୍ଥା ରହିଛି। ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ସମେତ ବିଭିନ୍ନ ପ୍ରକାରର ଭୋଜନ ତାଲିକାରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଉପଲବ୍ଧ ରହିବ । କ୍ୟାଣ୍ଟିନଟି ପ୍ରତି କାର୍ଯ୍ୟଦିବସରେ ସକାଳ ୯ଟା ୩୦ ମିନିଟ୍ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ଶ୍ରୀ ସରୋଜ ରାଉତ, ଯୁକ୍ତ ସଚିବ ଓ ରେଲ୍ ସମନ୍ୱୟ କମିଶନର ଶ୍ରୀ କୌସ୍ତୁଭ ଦୀପ୍ତ ପାଣି, ଓଏସଆରଟିସି ର ସାଧାରଣ ପରିଚାଳକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ, ସ୍ବତନ୍ତ୍ର ସଚିବ ଶ୍ରୀମତୀ ଦେବଦତ୍ତା ସୁରଞ୍ଜିତା ଜେନା ଓ ବାଣିଜ୍ୟ–ପରିବହନ ବିଭାଗ ଏବଂ ଓଏସଆରଟିସି ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।