ଭୁବନେଶ୍ୱର : ପ୍ରଶାସନିକ ବିଳମ୍ବ କାରଣରୁ ଚଳିତ ବର୍ଷ ରାଜ୍ୟରେ ପିଆଜ ରସୁଣ ଉତ୍ପାଦନ ପ୍ରଭାବିତ ହେବ । କାରଣ ଠିକଣା ସମୟରେ ଏହି ଚାଷପାଇଁ ବିହନ ଯୋଗାଣ ହୋଇପାରି ନାହିଁ ।
ରାଜ୍ୟରେ ମସଲା ଚାଷ ମିଶନ ଜରିଆରେ ଚାଷୀମାନଙ୍କୁ ପିଆଜ, ରସୁଣ, ଅଦା, ହଳଦୀ, ଧନିଆ ଆଦି ଚାଷପାଇଁ ସରକାର ରିହାତି ଦରରେ ଉନ୍ନତମାନର ବିହନ ଯୋଗାଣ କରିଥାନ୍ତି । ଏଥିରେ ମୁଖ୍ୟ ହେଉଛି ପିଆଜ ଓ ରସୁଣ । କାରଣ ଏହିଦୁଇ ସାମଗ୍ରୀର ଅଧିକ ବ୍ୟବହାର ସହିତ ଏବେ ବି ଏଥିପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ।
ପିଆଜ ଓ ରସୁଣ ବିହନ ଯୋଗାଣ ଓଡିଶା ରାଜ୍ୟ ବିହନ ନିଗମ ଜରିଆରେ ହୋଇଥାଏ । ଏଥିପାଇଁ କୃଷି ବିଭାଗଅର୍ଥ ଯୋଗାଇ ଦେଇଥାନ୍ତି । ଚଳିତବର୍ଷ ଚାଷୀମାନଙ୍କୁ ଏହି ବିହନ ଯୋଗାଣ ପାଇଁ ନିଗମ ପକ୍ଷରୁ ବିଭାଗର ଅନୁମତି ପାଇଁ ଫାଇଲ୍ ପଠାଯାଇଥିଲା । ହେଲେ କୌଣସି ଅକୁହା କାରଣରୁ ଫାଇଲଟି ତଳୁ ଉପର ହୋଇ ବୁଲିବାପରେ ଅନୁମତି ପାଇଁ ନିଗମକୁ ଫେରିଲା । ହେଲେ ସେତେବେଳକୁ ପିଆଜ ଓ ରସୁଣ ଚାଷ ସମୟ ଆରମ୍ଭ ହୋଇଗଲାଣି । ଫଳରେ ନିଗମ ଆଉ ବିହନ କିଣି କ୍ଷତିର ପଡିବାକୁ ଚାହିଁଲା ନାହିଁ । ତେଣୁ ଚଳିତବର୍ଷ ଚାଷୀମାନଙ୍କୁ ପିଆଜ ଓ ରସୁଣ ବିହନ ଯୋଗାଣ ହୋଇପାରିନଥିବା ଜଣାଯାଇଛି ।
ରାଜ୍ୟରେ ପିଆଜ ଓ ରସୁଣ ଉତ୍ପାଦନ ବଢାଇବାପାଇଁ ତିନି ବର୍ଷ ହେଲା ଚାଷୀମାନଙ୍କୁ ଏହାର ବିହନ ଯୋଗାଣ ହୋଇ ଆସୁଛି । ସୂଚନା ଅନୁଯାୟୀ ନିଗମ ପକ୍ଷରୁ ଚାଷୀମାନଙ୍କୁ ପ୍ରାୟ ୫ଶହ କୁଇଣ୍ଟାଲ ପିଆଜ ବିହନ ଏବଂ ଦୁଇ ରୁ ତିନି ହଜାର କୁଇଣ୍ଟାଲ ରସୁଣ ବିହନ ଯୋଗାଣ ହୋଇଥାଏ । ଚାଷୀମାନେ ମଧ୍ୟ ଧିରେ ଧିରେ ଏହାର ଚାଷପ୍ରତି ଆଗ୍ରହ ପ୍ରକାଶ କରୁଥିଲେ । ହେଲେ ଚଳିତବର୍ଷ ସେମାନେ ଏଥିରୁ ବଞ୍ଚିତ ହୋଇଥିବାବେଳେ ଏହାର ପ୍ରଭାବ ଉତ୍ପାଦନ ଉପରେ ପଡିବ ।
ଉଲ୍ଲେଖନୀୟ ଯେ ପିଆଜ ପାଇଁ ଓଡିଶା ବର୍ଷସାରା ଅନ୍ୟ ରାଜ୍ୟ ବିଶେଷକରି ମହରାଷ୍ଟ୍ର ଓ କର୍ଣ୍ଣାଟକ ଉପରେ ନିର୍ଭରଶୀଳ । ଯଦିଓ ରାଜ୍ୟରେ ଆବଶ୍ୟକ ପରିମାଣ ପିଆଜ ଉତ୍ପାଦନ ହେଉଛି, କିନ୍ତୁ ଏହାର ଗୁଣମାନ ଓ ସଂରକ୍ଷଣ ଅଭାବ ଯୋଗୁଁ ପ୍ରାୟତଃ ବର୍ଷସାରା ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ସେଠାକାର ବ୍ୟବସାୟୀମାନେ ଓଡିଶାର ପିଆଜ ଦରକୁ ନିୟନ୍ତ୍ରଣ କରୁଛନ୍ତି । ସେହିଭଳି ଅବସ୍ଥା ମଧ୍ୟ ରସୁଣର । ଅନ୍ୟ ମସଲା କ୍ଷେତ୍ରରେ ଏବେ ବି ଆମେ ଆତ୍ମନିର୍ଭର ହୋଇପାରୁ ନାହିଁ ।
ଏଭଳି ସ୍ଥିତିରେ ଚାଷୀମାନଙ୍କୁ ପିଆଜ ଓ ରସୁଣ ବିହନ ଯୋଗାଣରେ ପ୍ରଶାସନିକ ବିଳମ୍ବ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହାଦ୍ୱାରା ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ମସଲା ମିଶନ ଏକ ପ୍ରକାର ବାଟବଣା ହେବା ଆରମ୍ଭ କରିଛି ବୋଲି ଚାଷୀମାନେ ମତ ଦେଉଥିବାବେଳେ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

