ଭୁବନେଶ୍ୱର : ଓଡ଼ିଶାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୬୧ଲକ୍ଷରୁ ଅଧିକ । ମୋଟ ଜନସଂଖ୍ୟାର ପ୍ରାୟ ୧୩ ପ୍ରତିଶତ ହେଉଛନ୍ତି ବରିଷ୍ଠ ନାଗରିକ ବୋଲି ରାଜ୍ୟ ସରକାର ଅନୁମାନ କରୁଛନ୍ତି ।
୨୦୨୬ ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟର ଜନସଂଖ୍ୟା ୪ କୋଟି ୭୧ଲକ୍ଷକୁ ଟପିଯାଇପାରେ । ଏଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ୨ କୋଟି ୩୪ଲକ୍ଷ ୫୫ ହଜାର ଓ ପୁରୁଷଙ୍କ ସଂଖ୍ୟା ୨ କୋଟି ୩୬ଲକ୍ଷ ୯୨ ହଜାର ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ହିସାବରୁ ଜଣାପଡିଛି । ମୋଟାମୋଟି ଭାବେ ଓଡ଼ିଶାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ କମ୍ ରହିଛି । ଏହା ଲିଙ୍ଗଗତ ବୈଷମ୍ୟର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ରାଜ୍ୟ ଜନସଂଖ୍ୟାର ୨୧.୮ ପ୍ରତିଶତଙ୍କ ବୟସ ୧୪ବର୍ଷରୁ କମ୍ ଥିବାବେଳେ ୬୫.୨ ପ୍ରତିଶତଙ୍କ ବୟସ ୧୫ରୁ ୫୯ବର୍ଷ ବୋଲି କୁହାଯାଉଛି । କିଛିବର୍ଷ ମଧ୍ୟରେ ଓଡ଼ିଶାରେ ସାଧାରଣ ଲୋକଙ୍କ ହାରାହାରି ଆୟୁ କିଛିମାତ୍ରାରେ ବଢ଼ିଛି । ଏଥିସହିତ ଶିଶୁ ଓ ମାତୃମୃତ୍ୟୁ ହାର ମଧ୍ୟ ସାମାନ୍ୟ ହ୍ରାସ ପାଇଛି ।
ଓଡ଼ିଶା ଭୂଖଣ୍ଡର କ୍ଷେତ୍ରଫଳ ୧,୫୫,୭୦୭ ବର୍ଗ କିଲୋମିଟର ହୋଇଥିବାବେଳେ ଏହାରି ଭିତରେ ୩୦ଟି ଜିଲ୍ଳା, ୫୮ଟି ସବ୍ଡିଭିଜନ୍, ୩୧୪ଟି ବ୍ଲକ, ୩୧୭ଟି ତହସିଲ, ୬୭୯୪ଟି ପଞ୍ଚାୟତ ରହିଛି । ଏହାଛଡ଼ା ଓଡ଼ିଶାରେ ୧୧୫ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଥିôବାବେଳେ ସେଥିରୁ ୬ଟି ମ୍ୟୁନିସିପାଲ୍ କର୍ପୋରେସନ୍, ୪୭ଟି ମ୍ୟୁନିସିପାଲଟି ଓ ୬୨ଟି ଏନ୍ଏସି ରହିଛି । ତେବେ ଇତିମଧ୍ୟରେ ରାଜ୍ୟ ସରକାର ଆଉ କେତେକ ଅଞ୍ଚଳକୁ ଏନ୍ଏସି ଓ ମ୍ୟୁନିସିପାଲ୍ଟି ଭାବେ ଘୋଷଣା କରିଛନ୍ତି ।
ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ମୁଣ୍ଡପିଛା ଆୟ ବଢ଼ିବଢ଼ି ଚାଲିଛି । ୨୦୧୧-୧୨ ମସିହାରେ ଓଡ଼ିଶାରେ ମୁଣ୍ଡପିଛା ବାର୍ଷିକ ହାରାହାରି ଆୟ ୪୮,୩୮୭ ଟଙ୍କା ଥିବାବେଳେ ୨୦୨୪-୨୫ ବର୍ଷରେ ତାହା ୧,୮୨,୫୪୮ ଟଙ୍କାକୁ ଛୁଇଁଛି । ଓଡ଼ିଶା ସରକାରଙ୍କ ବଜେଟ୍ ବି ଇତିମଧ୍ୟରେ ବୃଦ୍ଧି ପାଇ ୩ଲକ୍ଷ କୋଟି ଟଙ୍କାକୁ ଟପିସାରିଲାଣି । ତେବେ ଏହାର ମୁଖ୍ୟାଂଶ ବେତନ, ପେନ୍ସନ୍, ଭତ୍ତା, ସରକାରୀ ଦପ୍ତର ପରିଚାଳନା ଏବଂ ଋଣ ପରିଶୋଧରେ ବ୍ୟୟ ହୋଇଯାଉଛି । ଏହା ସତ୍ତ୍ୱେ ବି ଓଡ଼ିଶାରେ ଲୋକଙ୍କର କିଣିବା ଶକ୍ତି ବୃଦ୍ଧି ପାଇଛି । ତେବେ ଗ୍ରାମାଞ୍ଚଳରେ ଲୋକଙ୍କ କ୍ରୟ ଶକ୍ତି ସହରାଞ୍ଚଳ ତୁଳନାରେ କମ୍ ରହୁଛି । ଏହା ସତ୍ତ୍ୱେ ବି ବେକାରୀ, ବେରୋଜଗାରୀ, ଦରଦାମ ବୃଦ୍ଧି, ଦାଦନ ସମସ୍ୟା, ଆଇନ୍ଶୃଙ୍ଖଳା ପରିସ୍ଥିତି ଆଦି ରାଜ୍ୟ ପାଇଁ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି ।
ସ୍ୱାଧୀନତା ପ୍ରାପ୍ତିର ୭୮ବର୍ଷରେ ବି ରାଜ୍ୟର ସମସ୍ତ ଚାଷ ଜମିକୁ ଜଳ ସେଚନ ସୁଯୋଗ କରାଯାଇନଥିବାବେଳେ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ଜନଜୀବନ ପାଇଁ ପ୍ରମୁଖ ଆହ୍ୱାନ ସାଜିଛି । କ୍ରମାଗତ ଭାବରେ ସରକାରଙ୍କ ବିଭିନ୍ନ ମିଶନ ଓ ଯୋଜନା ସତ୍ତ୍ୱେ ଓଡ଼ିଶା ଏବେ ବି ଡାଲି, ଚିନି, ତେଲ, ଆଳୁ, ପିଆଜ, ରସୁଣ, କପଡ଼ା, ଲୁଣ ଆଦି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି । ଏସବୁ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ଲାଗି କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ କେଉଁ ଅଞ୍ଚଳରେ କେଉଁ କିସମର ଅର୍ଥକାରୀ ଫସଲ ଉତ୍ପାଦନ ହୋଇପାରିବ ତାହାର ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିବା ଲାଗି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି ।(ତଥ୍ୟ)

