ଭୁବନେଶ୍ୱର : ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା କୁଳପତି, ପ୍ରଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ଚଳିତବର୍ଷ ପୂରଣ ହୋଇପାରିନଥିବାବେଳେ ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଏହି ସମସ୍ୟାର ସମାଧାନ ଘେନି ଆଶା କ୍ଷୀଣ । ତେବେ କୁଳପତି ନିଯୁକ୍ତି ଲାଗି ପ୍ରକ୍ରିୟା ପ୍ରାୟ ତିନିମାସ ଧରି ଚାଲିଥିବାରୁ ୨୦୨୬ ମାର୍ଚ୍ଚ ପୂର୍ବରୁ କେତେଗୁଡିଏ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇପାରନ୍ତି ।
ଏବେ ରାଜ୍ୟର ପ୍ରାୟ ୧୫ଟି ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି । ଏ ସବୁରେ ଭାରପ୍ରାପ୍ତ କୁଳପତିମାନେ କାମ ତୁଲାଉଛନ୍ତି । କୁଳପତି ନିଯୁକ୍ତି ଲାଗି ବିଧିବଦ୍ଧ ବିଜ୍ଞାପନ ପ୍ରକାଶ ପାଇବାପରେ ଅନେକ ଆଶାୟୀ ପ୍ରଫେସର ଏଥିଲାଗି ଆବେଦନ କରିଛନ୍ତି । ଇତି ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଢାଯାଇଥିବା ସର୍ଚ୍ଚ କମିଟି ଆବେଦନପତ୍ରଗୁଡିକର ତନଖି କରି ଅବଶ୍ୟ ଅଳ୍ପ କେତେକ ବିଶ୍ୱବିଦ୍ୟାଳୟ ପାଇଁ କିଛି ନାମ ଚୟନ କରିଛନ୍ତି । ଏହାପରେ ନିଜେ କୁଳାଧିପତି ସର୍ଚ୍ଚ କମିଟିର ସୁପାରିଶ୍ ଅନୁଯାୟୀ ଯେଉଁମାନଙ୍କ ନାମ ଆସିଥିବ ସେମାନଙ୍କ ସାକ୍ଷାତକାର ନେଇ ନିଯୁକ୍ତି ଦେବାର ବ୍ୟବସ୍ଥା କରିବେ ।
ଉଚ୍ଚଶିକ୍ଷା ବିଭାଗ, ସଂସ୍କୃତି ବିଭାଗ, କୃଷି ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟମାନ ରହିଛି । କୁଳପତି ନିଯୁକ୍ତି ଦିନ ଠାରୁ କର୍ତ୍ତୃପକ୍ଷ ଜାଣିଛନ୍ତି ଯେ ସେମାନେ କେବେ ଅବସରଗ୍ରହଣ କରିବେ । ଏ ପରିପ୍ରେକ୍ଷୀରେ ଜଣେ କୁଳପତିଙ୍କ କାର୍ଯ୍ୟକାଳ ସରିବାର ଅନ୍ୟୁନ ୪ମାସ ପୂର୍ବରୁ ନୂଆ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହେଲେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ନିୟମିତ କୁଳପତି ସଙ୍କଟ ପଡନ୍ତା ନାହିଁ ।
ସେହିପରି ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ପ୍ରାୟ ୧୩୦୦ ଶିକ୍ଷକ ଓ ୨୨୦୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଛି । ଅନ୍ୟୁନ ୮ଟି ବିଶ୍ୱବିଦ୍ୟାଳୟରେ ଜଣେ ହେଲେ ପ୍ରଫେସର ନାହାନ୍ତି । ସହଯୋଗୀ ପ୍ରଫେସର ପଦବୀରୁ ବି ପାଖାପାଖି ତିନି ଚତୁର୍ଥାଂଶ ଖାଲି । ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର, ରେଭନ୍ସା, ରମାଦେବୀ, ଧରଣୀଧର, ବିକ୍ରମଦେବ, ମା’ମାଣିକେଶ୍ୱରୀ, ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଦିରେ ଅବସ୍ଥା ଅତି ସାଂଘାତିକ ।
ଅବସରପ୍ରାପ୍ତ କୁଳପତି ଓ ପ୍ରଫେସରମାନେ କହୁଛନ୍ତି ଯେ ନୂଆ କୁଳପତି ନିଯୁକ୍ତି ପାଇବାପରେ ବିଧି ବ୍ୟବସ୍ଥା ମୁତାବକ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀଗୁଡିକୁ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରେ । ବିଶ୍ୱବିଦ୍ୟାଳୟଗୁଡିକ ଅଧିନରେ ଥିବା ପ୍ରାୟ ସମସ୍ତ ବିଷୟରେ ଉତ୍କଟ ଶିକ୍ଷକ ମରୁଡି ସ୍ଥିତି ଥିବାରୁ ପ୍ରତି ବିଭାଗର ପ୍ରତି ପଦବୀ ଲାଗି ବିଧିବ୍ୟବସ୍ଥା ଅନୁଯାୟୀ ଚୟନ କମିଟି ଗଠନ କରାଯାଇଥାଏ । ଏଥିରେ ବାହାରର ବିଶେଷଜ୍ଞମାନଙ୍କୁ ବି ସ୍ଥାନ ଦିଆଯାଇଥାଏ । ଏସବୁ ପ୍ରକ୍ରିୟା ଶେଷହୋଇ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଉପରେ ସରକାର ଓ ରାଜ୍ୟପାଳ ମୋହର ବସାଇବାବେଳକୁ ଅନ୍ୟୁନ ବର୍ଷେ ସମୟ ଲାଗିଯିବ ।
ସେହିପରି ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ୨୨୦୦ରୁ ଅଧିକ ଅଣଶିକ୍ଷକ ପଦବୀ ପୂରଣ ହେଉନଥିବାରୁ ପ୍ରାୟ ସବୁ ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଓ ପରୀକ୍ଷା ପରିଚାଳନା ସମସ୍ୟା ଲାଗି ରହୁଛି । ସରକାରୀ କଟକଣା ଯୋଗୁଁ ବହୁବର୍ଷ ଧରି ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ । ଅତିଥି ଅଧ୍ୟାପକଙ୍କ ଦ୍ୱାରା ପାଠପଢା କାମ କୌଣସି ପ୍ରକାରେ ଚଳାଯାଉଥିବାବେଳେ ଦପ୍ତର ପରିଚାଳନା ଲାଗି ଆଉଟସୋର୍ସିଂ ସଂସ୍ଥା ଉପରେ ଭରସା କରିବାକୁ ପଡୁଛି । ଏଥିଯୋଗୁଁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପାଠପଢା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତରଭାବେ ବ୍ୟାହତ ହେଉଛି । ଗୋଟିଏ ସମୟରେ ବିଶ୍ୱବିଦ୍ୟାଳୟଗୁଡିକରେ କର୍ମଚାରୀ ଓ ଶିକ୍ଷକଙ୍କ ପାଇର୍ କ୍ୱାଟର୍ସ ଅଭାବ ପଡୁଥିଲା । ଏବେ ବହୁବର୍ଷ ଧରି ଶହ ଶହ କ୍ୱାଟର୍ସ ଖାଲିପଡି ରକ୍ଷଣା ବେକ୍ଷଣ ଅଭାବରୁ ଭୁଷୁଡିବା ଅବସ୍ଥାରେ ଥିବାବେଳେ ଏ ସବୁ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି । (ତଥ୍ୟ)

