ଭୁବନେଶ୍ୱର : ଓଡିଶାର ବିଭିନ୍ନ ଆଇନ୍ ଅଦାଲତରେ ଏବେ ପ୍ରାୟ ୫ ହଜାର ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଦୁର୍ନୀତି ନିବାରଣ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବାବେଳେ ବହୁ ସଂଖ୍ୟକ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା କରାଯାଇଛି ଏବଂ ଭିଜିଲାନ୍ସ ସଂସ୍ଥାର ମଧ୍ୟ ନବୀକରଣ ହୋଇଛି । ଏହା ସତ୍ୱେ ବି ଦୁର୍ନୀତି କମିବାର କୌଣସି ସୂଚନା ଦେଖାଯାଉନାହିଁ ।
ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ପ୍ରକାଶ କରିଥିବା କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ମୁତାବକ ସାରା ଦେଶରେ ବର୍ଷକୁ ପ୍ରାୟ ୭.୮ ପ୍ରତିଶତ ଭିଜିଲାନ୍ସ ମାମଲା ଫଏସଲା ହେଉଥିବାବେଳେ ଏଥିରେ ଦଣ୍ଡବିଧାନ ହାର ୪୬.୨ ପ୍ରତିଶତ ରହୁଛି । ଅନ୍ୟ ପକ୍ଷରେ ଓଡିଶାରେ ବର୍ଷକୁ ୭.୨ ପ୍ରତିଶତ ଭିଜିଲାନ୍ସ ମାମଲା ଫଏସଲା ହେଉଥିବାସ୍ଥଳେ ଦଣ୍ଡବିଧାନ ହାର ୪୯.୬ ପ୍ରତିଶତ ରେକର୍ଡ କରାଯାଇଛି । ଅର୍ଥାତ୍ ଜାତୀୟ ହାର ତୁଳନାରେ ଓଡିଶାରେ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ଅଧିକ ଥିବା ଦର୍ଶାଯାଉଛି ।
ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୨୩ ବର୍ଷରେ ୩୯୯୪ଟି ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏଥିରୁ ମାତ୍ର ୨୮୯ଟି ମାମଲା ଉକ୍ତ ବର୍ଷରେ ଫଏସଲା ହୋଇଥିବାବେଳେ ସେଥିରୁ ୧୨୪ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୧୨୬ଟିରେ କିନ୍ତୁ ଅଭିଯୁକ୍ତମାନେ ଖସିଯାଇଥିଲେ । ଅବଶିଷ୍ଟ ୩୯ଟି ମାମଲା ବନ୍ଦହୋଇ ଯାଇଥିଲା ।
ସେହିଭଳି ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୨୩ ବର୍ଷରେ ସମଗ୍ର ଦେଶରେ ୩୧,୯୭୯ଟି ଭିଜିଲାନ୍ସ ମାମଲା ବିଚାର ପାଇଁ ରହିଥିବାବେଳେ ଉକ୍ତ ବର୍ଷରେ ମାତ୍ର ୨୪୯୫ ଟି ମାମଲା ଫଏସଲା ହୋଇଥିଲା । ଏଥି ମଧ୍ୟରୁ ୧୦୫୨ଟିରେ ଦଣ୍ଡବିଧାନ ହୋଇଥିବାସ୍ଥଳେ ୧୧୭୬ଟିରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିଲୋ
ଆମ ରାଜ୍ୟ ଓ ଦେଶରେ ଦୁର୍ନୀତି ମାମଲାରେ ଯେତିକିଟି ବି କ୍ଷେତ୍ରରେ ଦଣ୍ଡବିଧାନ ହେଉଛି ସେଥିରୁ ଅଧିକାଂଶରେ ଅଭିଯୁକ୍ତମାନେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଆଦିଙ୍କ ଦ୍ୱାରସ୍ଥ ହୋଇ ମାମଲାକୁ ପ୍ରଲମ୍ବିତ କରୁଛନ୍ତି । ଆମ ରାଜ୍ୟରେ ବି ଏଭଳି ଅନେକ ଭିଜିଲାନ୍ସ ମାମଲା ରହିଛି ଯାହାସବୁ ୨୦/୩୦ ବର୍ଷ ଧରି ଗଡୁଛି ।
ଚାକିରି କାଳରେ ଭିଜିଲାନ୍ସ ମାମଲାରେ ଛନ୍ଦିହୋଇ ଅନେକ ସରକାରୀ ଅଧିକାରୀ ଅବସରଗ୍ରହଣ କରିବାପରେ ମଧ୍ୟ ମାମଲା ଛିଡୁନାହିଁ । ଏମିତିକି ୭୦/୮୦ ବର୍ଷରେ ସେମାନେ ପହଞ୍ଚି ମୃତ୍ୟୁବରଣ କରିବାପରେ ବହୁ ମାମଲା ଅକାମୀ ହୋଇଯାଉଛି । ଭିଜିଲାନ୍ସ ମାମଲାଗୁଡିକରେ ତ୍ୱରିତ ଦଣ୍ଡବିଧାନ କରାଯାଇ ପାରିଲେ ଦୁର୍ନୀତି କରିବାକୁ ସରକାରୀ କର୍ମଚାରୀମାନେ ଭୟ କରନ୍ତେ । ଅନ୍ୟ ପକ୍ଷରେ ଦୁର୍ନୀତି ମାମଲାଗୁଡିକର ତଦନ୍ତ ସହିତ ଅଭିଯୋଗଫର୍ଦ୍ଦ ଦାଖଲରେ ବିଳମ୍ବ, ଠିକଣା ସମୟରେ ସରକାରଙ୍କ ପକ୍ଷରୁ ଅଦାଲତଙ୍କ ନିକଟରେ ସାକ୍ଷ୍ୟ ପ୍ରମାଣ ଆଦି ଦିଆଯାଇ ନପାରିବା, କେତେକ କ୍ଷେତ୍ରରେ ତଦନ୍ତରେ ତ୍ରୁଟି ଓ ଆଉ କେତେକ କ୍ଷେତ୍ରରେ ମାମଲା ପରିଚାଳନାରେ ସ୍ଥାଣୁତା ଯୋଗୁଁ ଆମ ଦେଶରେ ଭିଜିଲାନ୍ସ ମାମଲାର ଫଏସଲା ଓ ଦଣ୍ଡବିଧାନ ହାର ଢେର କମ୍ ରହୁଛି ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।
ଦୁର୍ନୀତି ରାକ୍ଷାସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆକ୍ରମଣ କରୁଥିବାବେଳେ ବିଭିନ୍ନ ଉନ୍ନୟନମୂଳକ ଓ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ରାଜକୋଷରୁ ବରାଦ ହେଉଥିବା ବିପୁଳ ଅର୍ଥରାଶିର କିଛି ଅଂଶ ଦୁର୍ନୀତିଗ୍ରସ୍ତମାନେ ଲୁଟି ନେଉଥିବାରୁ ପ୍ରଗତି ବାଧାପ୍ରାପ୍ତ ହେଉଥିବା ମଧ୍ୟ ସ୍ୱୀକାର କରାଯାଉଛି । (ତଥ୍ୟ)

