ଭୁବନେଶ୍ୱର : ରାଜ୍ୟରେ ୮୧୭୨ଟି ସମବାୟ ସମିତି ଥିବାବେଳେ ସେଥିରୁ ୭୫୯୫ଟି କାର୍ଯ୍ୟ କରୁଛି । ରାଜ୍ୟରେ ଥିବା ପାକ୍ସଗୁଡିକର କମ୍ପ୍ୟୁଟରୀରଣ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଚଳିତବର୍ଷ ୧୮ କୋଟି ଟଙ୍କାରୁ ଅଧିକ ଅର୍ଥ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
କେନ୍ଦ୍ର ସରକାର ପ୍ରଦାନ କରିଥିବା ସୂଚନାରୁ ଜଣାଯାଇଛି ଯେ ସମଗ୍ର ଦେଶରେ ଥିବା ପାକସ୍ଗୁଡିକୁ କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ସରକାର ୪ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ କେବଳ ଓଡିଶାକୁ ଏ ବାବଦରେ ୧୮କୋଟି ୭ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି ।
ଇତି ମଧ୍ୟରେ କେନ୍ଦ୍ର ସରକାର ପାକସ୍ ପାଇଁ ମଡେଲ ବାଇ-ଲ ଆଣିଛନ୍ତି ଏବଂ ଏଥିରେ ୨୫ଟି ବ୍ୟବସାୟକୁ ସାମିଲ କରିଛନ୍ତି । ତେଣୁ ପାକସ୍ରେ ବର୍ତ୍ତମାନ ପିଏମ୍ କୃଷି ସମୃଦ୍ଧି କେନ୍ଦ୍ର, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର କାର୍ଯ୍ୟ କରିବ । ଏଥି ସହିତ ସମବାୟ ସମିତି ଜରିଆରେ ଇ-ଟ୍ୟାକ୍ସି ଚଳାଚଳ ପାଇଁ ବି କେନ୍ଦ୍ର ସରକାର ସ୍ଥିର କରିଛନ୍ତି ।
ଏହା ପୂର୍ବରୁ ପାକସ୍ଗୁଡିକର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ଗୁରୁତ୍ୱଆରୋପ କରିବା ସହିତ ଅର୍ଥ ପ୍ରଦାନ କରିଛି । କମ୍ପ୍ୟୁଟରୀକରଣ ପରେ ସମବାୟ ସମିତିଗୁଡିକ ସହିତ ବଜାର ବ୍ୟବସ୍ଥାର ସଂଯୋଗୀକରଣ, ନୂତନ କୃଷକ ଉତ୍ପାଦନ ସଂଗଠନ ଗଠନ, ମତ୍ସ୍ୟ ଚାଷୀ ଉତ୍ପାଦନ ସଂଗଠନ ଆଦି ଗଠନ କରାଯିବା ସହିତ ଚାଷୀମାନେ କିଭଳି ସେମାନଙ୍କର ଉତ୍ପାଦର ସଠିକ ପଇସା ପାଇବେ ସେ ଦିଗରେ ପଦକ୍ଷେପ ନିଆଯିବ । ଦୁଗ୍ଧ କ୍ଷେତ୍ର ପାଇଁ ସମବାୟ ମନ୍ତ୍ରଣାୟ ଶ୍ୱେତ ବିପ୍ଳବ -୦୨ ର ଶୁଭାରମ୍ଭ କରିଛନ୍ତି । ଏହା ଜରିଆରେ ଆସନ୍ତା ୫ବର୍ଷ ମଧ୍ୟରେ ଦୁଗ୍ଧ ସମବାୟ ସମିତିଗୁଡିକରେ ଦୁଗ୍ଧ ସଂଗ୍ରହ ୫୦% ବୃଦ୍ଧି କରାଯିବ ।
ସେହିଭଳି ସମବାୟ କ୍ଷେତ୍ରରେ ବିଶ୍ୱର ବୃହତ୍ତମ ଶସ୍ୟ ମହଜୁଦ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପାକସ୍ ସ୍ତରରେ ଶସ୍ୟ ଗୋଦାମ ପ୍ରତିଷ୍ଠା କରାଯିବ । ଏହାଦ୍ୱାରା କୃଷକମାନଙ୍କର ବଳକା ଶସ୍ୟକୁ ନଷ୍ଟ ହେବାରୁ ରୋକାଯାଇପାରିବ । ଏହି ପାଇଲଟ ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ୧୧ଟି ପାକସ୍ରେ ଗୋଦାମଘର ପ୍ରତିଷ୍ଠା ହୋଇଥିବାବେଳେ ୫୦୦ଟି ପାକସ୍କୁ ଏଥିପାଇଁ ଚୟନ କରାଯାଇଛି ।
ଓଡିଶା ସମେତ ସମଗ୍ର ଦେଶରେ ସମବାୟ ସମିତିଗୁଡିକର ବିକାଶ ପାଇଁ କେନ୍ଦ୍ର ସରକାର ସହକାର ସେ ସମୃଦ୍ଧି ଯୋଜନାରେ ଲକ୍ଷ୍ୟ ରଖିଛନ୍ତି । ପ୍ରାଥମିକ ସମବାୟ ସମିତିଗୁଡିକୁ ସ୍ୱଚ୍ଛ ଓ ଗତିଶୀଳ କରିବା ସହିତ ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳ ସମବାୟ ବ୍ୟାଙ୍କ୍ଗୁଡିକୁ ସଶକ୍ତ କରାଯିବ । ସମବାୟ ସମିତିଗୁଡିକୁ ଆୟକର ମୁକ୍ତ କରାଯିବା ସହିତ ସମବାୟ ଚିନିକଳଗୁଡିକର ପୁନରୁଦ୍ଧାର, ତିନିଟି ନୂତନ ଜାତୀୟ ବହୁମୁଖୀ ସମବାୟ ସମିତି ଗଠନ, ସମବାୟ ସମିତିଗୁଡିକର ଦକ୍ଷତା ବୃଦ୍ଧି, ସହଜ କାର୍ଯ୍ୟ ପାଇଁ ଆଇଟି ବ୍ୟବହାର, ଜାତୀୟ ସମବାୟ ଡାଟାବେସ୍ ପ୍ରସ୍ତୁତି ସହିତ ଜାତୀୟ ସମବାୟ ନୀତି ପ୍ରଣୟନ କରାଯାଉଛି । ଏଥି ସହିତ ସମବାୟ କ୍ଷେତ୍ରକୁ ଅଧିକ ମଜବୁତ ପାଇଁ କେନ୍ଦ୍ର ସରକାର ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଛନ୍ତି । (ତଥ୍ୟ)

