ଭୁବନେଶ୍ୱର : ନୂଆବର୍ଷ ପାଳନ ପାଇଁ ଯୁବପିଢ଼ିଙ୍କ ଆଗ୍ରହକୁ ଆଖି ଆଗରେ ରଖି ଚୋରା ନିଶା ବେପାରୀମାନେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଜାଗ ହୋଇ ଉଠିଛନ୍ତି । ସେମାନଙ୍କ ଦୌରାତ୍ମ୍ୟରୁ ସାଧାରଣ ଲୋକ ତ ଦୂରର କଥା, କେତେକ କ୍ଷେତ୍ରରେ ପୁଲିସମାନେ ମଧ୍ୟ ନିସ୍ତାର ପାଉନାହାନ୍ତି ।
ବଡ଼ଦିନ ଓ ନୂଆବର୍ଷ ପାଳନରେ ଯେଭଳି କିଛି ଅଘଟଣ ନଘଟେ ତାହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ ସମେତ ଜିଲ୍ଲା ସ୍ତରରେ ମଧ୍ୟ ପୁଲିସ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷକରି ଚୋରା ନିଶା ବେପାରୀଙ୍କ ଉପରେ ଚଢ଼ଉ କରିବା ସଂଗେ ସଂଗେ ନିଶା ସେବନ କରି ଯେଉଁମାନେ ଗାଡ଼ି ଚାଳନା କରୁଛନ୍ତି ସେମାନଙ୍କ ଉପରେ ପୁଲିସ ସତର୍କ ଦୃଷ୍ଟି ରଖିଛି । କେବଳ ଜରିମାନା ଆଦାୟ କରି ନୁହେଁ, ଆବଶ୍ୟକସ୍ଥଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ କହୁଛନ୍ତି ।
ଇତିମଧ୍ୟରେ ରାଜଧାନୀର କେତେକ ବାର୍ ଉପରେ ପୁଲିସ ଚଢ଼ଉ କରିଛି । ବିଶେଷକରି ବିଳମ୍ବିତ ରାତିରେ ଯେଉଁଠି ସରକାରୀ କଟକଣା ସତ୍ତ୍ୱେ ବାର୍ରେ ନର୍ତ୍ତକୀଙ୍କ ନୃତ୍ୟ ଚାଲୁଛି ଏବଂ ରାତି ୧୨ଟା ପୂର୍ବରୁ ବାର୍ ବନ୍ଦ ନକରି ଭୋର ପର୍ଯ୍ୟନ୍ତ ଗ୍ରାହକଙ୍କୁ ନିଶା ପରଷା ଯାଉଛି ସେଗୁଡ଼ିକୁ ପୁଲିସ ଓ ଅବକାରୀ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି । ଏଭଳି କେତେକ ଘଟଣାରେ ଉତ୍ତ୍ୟକ୍ତି ନିଶାଡ଼ିମାନେ ରାଜଧାନୀର ଛାତି ଉପରେ ୟୁନିଫର୍ମରେ ଥିବା ଅବକାରୀ ପୁଲିସଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଏବଂ ସେମାନଙ୍କ ଉପରେ ମଦ ଢାଳିବା ଭଳି ଦୁଃସାହସ ରଚିଛନ୍ତି ।
ଆଇନ୍ ଅନୁଯାୟୀ ନିଶା ସେବନ କରି ଗାଡ଼ି ଚଳାଇବା ଏକ ଗର୍ହିତ ଅପରାଧ । ଏଥିଯୋଗୁ ଅନେକ ସାଧାରଣ ଲୋକ ଦୁର୍ଘଟଣାର ଶିକାର ହୁଅନ୍ତି । ଏମିତିକି ନିଶାଡ଼ି ଗାଡ଼ିଚାଳକ ମାନେ ସ୍ଥଳ ବିଶେଷରେ ଗାଡ଼ି ଯାଞ୍ଚ କରୁଥିବା ପୁଲିସ ବ୍ୟବସ୍ଥାପ୍ରତି ମଧ୍ୟ ଆହ୍ୱାନ ସୃଷ୍ଟି କରନ୍ତି ।
ନୂଆବର୍ଷ ଓ ବଡ଼ଦିନ ପାଖେଇ ଆସୁଥିବାରୁ ବିଭିନ୍ନ ଅଞ୍ଚଳରେ ଚୋରା ମଦଠାରୁ ଗଞ୍ଜେଇ, ବ୍ରାଉନସୁଗାର ଆଦି ବିପଜ୍ଜନକ ନିଶା ଦ୍ରବ୍ୟର କଳା କାରବାର ବଢ଼ୁଛି । ଏହାଛଡ଼ା ଅନେକ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଗହଳି ବଢ଼ିବା ପରିଲକ୍ଷିତ ହେଉଛି । ଏମ୍ଏଲଏ କଲୋନୀ ନିକଟରେ ଥିବା ୪ନମ୍ବର ହାଟର ଚାଉଳ ମାର୍କେଟ୍ ଗେଟ୍ ଦେଇ ଲୋକେ ଯିବାକୁ ଭୟ କରୁଛନ୍ତି । କାରଣ ଏଠାରେ ମଦୁଆ ଓ ଅନ୍ୟ ନିଶାଡ଼ିମାନଙ୍କ ଗହଳି ଚହଳି ଲାଗି ରହୁଛି । କିଛିବର୍ଷ ତଳେ ଏ ଅଞ୍ଚଳରେ ସ୍ଥାୟୀ ପୁଲିସ ପାଟ୍ରୋଲିଂ ରହୁଥିଲା । ଏବେ କିନ୍ତୁ ସ୍ଥାୟୀ ପୁଲିସ ଜଗୁଆଳୀ ରହୁନଥିବାରୁ ମଦୁଆମାନେ ୪ନମ୍ବର ହାଟର ଗୋଟିଏ ପାଶ୍ୱର୍କୁ ଏକ ପ୍ରକାର କବ୍ଜାକୁ ନେଇଗଲେଣି । ରାଜ୍ୟ ସଚିବାଳୟ, ବିଧାନସଭା ଓ ଏମ୍ଏଲଏ କଲୋନୀର ଅନତି ଦୂରରେ ସବୁଦିନ ଏଭଳି ସମସ୍ୟା ଲାଗି ରହୁଛି ।
ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ଚୋରା ନିଶା ଧରପଗଡ଼ କରିବା ଲାଗି ସେମାନଙ୍କ ପକ୍ଷରୁ ଯାହାସବୁ ସମ୍ଭବ ତାହା କରାଯାଉଛି । ପୁଲିସ ମଧ୍ୟ ଏ କ୍ଷେତ୍ରରେ ସତର୍କ ରହିଛି । ତେବେ ଜନସଚେତନତା ଅଭାବରୁ ଚୋରା ନିଶା ବେପାରୀମାନେ ଯୁବକ ଓ ଛାତ୍ରମାନଙ୍କୁ ନିଶା ଜାଲରେ ଫଶାଇ ଭୟଙ୍କର ଅବସ୍ଥା ସୃଷ୍ଟି କରୁଥିବାରୁ ଏହାର ସ୍ଥାୟୀ ନିରାକରଣ ପାଇଁ ସରକାର ସୁଚିନ୍ତିତ ନୀତି ପ୍ରଣୟନ କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)

