ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି।
ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮- ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ଦୁଇଟି ଦୁର୍ଘଟଣାରେ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ।
ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର/ ଏୟାରସ୍ଟ୍ରିପ୍ରେ ବ୍ୟବହାର ପାଇଁ ୫ଟି ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍ ହସ୍ପିଟାଲ୍ ପାଇଁ ୨ ଟି ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଦୈନିକ ୫ ହଜାର ରୋଗୀଙ୍କୁ ୧୦୮-ଆମ୍ବୁଲାନ୍ସ ଜରିଆରେ ବିଭିନ୍ନ ହସ୍ପିଟାଲକୁ ନିଆଯାଉଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଅଛି । ସ୍ୱାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ଏମର୍ଜେନ୍ସି ମେଡିକାଲ ସର୍ଭିସ ପାଇଁ ଆବଶ୍ୟକ ପଡୁଥିବା ଆହୁରି ୧୦୮ଟି ଆମ୍ବୁଲାନ୍ସ କ୍ରୟ କରାଯାଇଛି। ୪୨୮ଟି ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ୧୧୧ କୋଟି ଖର୍ଚ୍ଚ କରିଛନ୍ତି।
ଆଜି ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସକୁ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରାଯାଉଛି । ଅବଶିଷ୍ଟ ନୂତନ ଆମ୍ବୁଲାନ୍ସ ଗୁଡିକୁ ଖୁବଶୀଘ୍ର ଆମ୍ବୁଲାନ୍ସ ସେବାରେ ନିୟୋଜିତ କରାଯିବ, ତାସହିତ ପୁରୁଣା ଏମର୍ଜେନ୍ସି ମେଡିକାଲ ସର୍ଭିସ ଆମ୍ବୁଲାନ୍ସ ଫ୍ଲିଟକୁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

