ଭୁବନେଶ୍ୱର : ରାଜ୍ୟରେ ବାୟୁ ପ୍ରଦୂଷଣର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ଜଳ ପ୍ରଦୂଷଣ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କଲାଣି । ରାଜ୍ୟର ବଡ ନଦୀ ସହିତ ଏହାର ଶାଖାନଦୀଗୁଡିକର ଜଳ ଦୂଷିତ ହେଉଥିବାରୁ ଲୋକେ ଉଭୟ ବାୟୁ ଓ ଜଳ ପ୍ରଦୂଷଣରେ ସନ୍ତୁଳି ହେଉଛନ୍ତି ।
ସୂଚନାରୁ ଜଣାଯାଇଛି ଯେ ଦୟା, କାଠଯୋଡି, ଶେରୁଆ ନଦୀ ଓ ଗଙ୍ଗୁଆ ନାଳର ଜଳର ଗୁଣାତ୍ମକ ମାନ ଏବେ ‘ଗ’ ଶ୍ରେଣୀରେ ରହିଛି । ବିନା ବିଶୋଧନରେ ଏହାକୁ ପାନୀୟ ଭାବେ ବ୍ୟବହାର ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏହିସବୁ ନଦୀ ଜଳରେ ବାୟୋ କେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ଓ ଟୋଟାଲ କୋଲିଫର୍ମ (ଟିସି)ର ମାତ୍ରା ନିର୍ଦ୍ଧାରିତ ମାନ ଠାରୁ ଢେର ଅଧିକ ରହୁଛି ।
ଏହିସବୁ ନଦୀର ଜଳ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ସହରାଞ୍ଚଳ ବର୍ଜ୍ୟ । ସହରାଞ୍ଚଳରୁ ବାହାରୁ ଥିବା ବିଭିନ୍ନ ପ୍ରକାର ବର୍ଜ୍ୟ ନଦୀଜଳରେ ମିଶିବା ସହିତ ବିଭିନ୍ନ ସ୍ଥାନରେ ଜଳ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ବାରମ୍ବାର ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଜଳ ପ୍ରଦୂଷଣ ସଂକ୍ରାନ୍ତରେ ଅବଗତ କରାଯିବା ସହିତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଗଲେ ମଧ୍ୟ ଏଥିପ୍ରତି ସେଭଳି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । କେବଳ ସହରାଞ୍ଚଳ କର୍ତ୍ତୃପକ୍ଷ ନୁହେଁ, ସମ୍ପୃକ୍ତ ଜିଲ୍ଲା ଅଧିକାରୀ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ, ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ, ରାଜ୍ୟ ଜଳ ଯୋଗାଣ ଓ ପରିମଳ ପରିଷଦକୁ ବି ପଦକ୍ଷେପ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଉଛି ।
ନଦୀଜଳ ପ୍ରଦୂଷଣ ଯୋଗୁଁ ଏହାର ଅବବାହିକାର ବସବାସ କରୁଥିବା ଲୋକେ ନାନା ପ୍ରକାର ରୋଗ ବ୍ୟାଧିରେ ପଡୁଛନ୍ତି । ନିକଟରେ ଦୟା ଅବବାହିକାରେ ବସବାସ କରୁଥି ଲୋକେ ଜଳ ବିଷାକ୍ତ ଯୋଗୁଁ ପେଟ ରୋଗରେ ସଂକ୍ରମିତ ହୋଇଥିଲେ । ସ୍ଥିତି ଏଭଳି ହୋଇଥିଲା ଯେ ଗାଁ ଗାଁରେ କୋକୁଆ ଭୟ ସୃଷ୍ଟି ହେବା ସହିତ ବିବାହ, ବ୍ରତ ଆଦି ଉପରେ ସରକାରୀ କଟକଣା ଲାଗିଥିଲା ।
ନଦୀ କୂଳରେ ଗଢି ଉଠୁଥିବା ସମସ୍ତ ଜନବସତିକୁ ସ୍ୱରେଜ ସୁବିଧା ନଥିବାରୁ ସେମାନେ ସିଧାସଳଖ ଭାବେ ଶୌଚାଳୟର ବର୍ଜ୍ୟକୁ ଲୁଚା ଛପାରେ ନଦୀଗର୍ଭକୁ ଛାଡି ଦେଉଛନ୍ତି । ସେହିଭଳି ନଦୀଗୁଡିକ ପୂର୍ବଭଳି ସୁନାବ୍ୟା ନଥିବାରୁ ବର୍ଜ୍ୟଗୁଡିକ ତଳମୁଣ୍ଡକୁ ପ୍ରବାହିତ ହେବା ବଦଳରେ ବିଭିନ୍ନ ସ୍ଥାନରେ ଜମି ରହି ଅତ୍ୟନ୍ତ ବିଷାକ୍ତ ପରିବେଶ ସୃଷ୍ଟି କରୁଛନ୍ତି । ଯେତେବେଳେ ନଦୀରେ ଜଳ ପ୍ରବାହିତ ହେଉଛି ଏକାଧିକ ସ୍ଥାନରେ ଲୋକେ ବିଷାକ୍ତ ଜଳ ଦ୍ୱାରା ପ୍ରଭାବିତ ହେବାରେ ଲାଗୁଛନ୍ତି ।
ସହରରେ ଏବେ ବାୟୁ ପ୍ରଦୂଷଣ ଗୁରୁତର ଆକାର ଧାରଣ କରୁଥିବାବେଳେ ଲୋକଙ୍କୁ ମାସ୍କ ଲଗାଇବା ଓ ଏପରିକି ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଥିବାବେଳେ ବୋଝ ଉପରେ ଲଳିତାବିଡା ଭଳି ଏବେ ଜଳ ପ୍ରଦୂଷଣ ସେମାନଙ୍କୁ ଡରାଇବାରେ ଲାଗିଲାଗିଲାଣି । ଖୋଦ ରାଜଧାନୀ ସହର ମଧ୍ୟରେ ଥିବା ଏକାଧିକ ନାଳ ଏବେ ପ୍ରଦୂଷଣର କାରଣ ପାଲଟିଥିବାବେଳେ ଏଥିଯୋଗୁଁ ସହରରେ ମଶାବଂଶ ବିସ୍ତାର ହେବାରେ ଲାଗିଛି ଓ ମଶା କାମୁଡାରେ ଲୋକେ କଲବଲ ହେବାରେ ଲାଗିଛନ୍ତି । (ତଥ୍ୟ)

