ଭୁବନେଶ୍ୱର : ଓଡ଼ିଶା ଜଳ ଯୋଗାଣ ଓ ସ୍ଵରେଜ ବୋର୍ଡର ୨୭ ତମ ବୈଠକ ଦୀର୍ଘ ୯ ବର୍ଷ ପରେ ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ ବୋର୍ଡ ର ଶେଷ ବୈଠକ ୨୦୧୬ ମସିହାରେ ହୋଇଥିଲା ।
ରାଜ୍ୟ ସରକାରଙ୍କ ଦ୍ୱାରା ଏହି ବୋର୍ଡକୁ କ୍ରିୟାଶୀଳ କରିବା, ସଂସ୍ଥାଗତ ଶକ୍ତି ଓ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ଅଂଶ ରୂପେ ଅକ୍ଟୋବର ୨୦୨୫ ରେ ଏହାର ପୁର୍ନଗଠନ କରାଯାଇଥିଲା । ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, ବୋର୍ଡ ଉପାଧ୍ୟକ୍ଷ ଭାବେ ଉପସ୍ଥିତ ରହି ବୈଠକର ଆଲୋଚନାକୁ ଆଗକୁ ବଢାଇଥିଲେ ।
ବୈଠକରେ ଅତିରିକ୍ତ ସଚିବ, ଅର୍ଥ ତଥା ନିର୍ଦ୍ଦେଶକ ; କେନ୍ଦୁଝର ଓ ଢେଙ୍କାନାଳ ପୌରପାଳିକା ଏବଂ କୋଦଳା ଏନଏସିର ଅଧ୍ୟକ୍ଷମାନେ , ନାଲକୋର ପୂର୍ବତନ ସିଏମଡି ଶ୍ରୀ ତପନ କୁମାର ଚାନ୍ଦ, ଓ ପିଏଚଇଓର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ରତିନ୍ଦ୍ର ନାରାୟଣ ମଲ୍ଲିକ ଉପସ୍ଥିତ ଥିଲେ । ଇଞ୍ଜିନିୟର-ଇନ୍-ଚିଫ୍, ପବ୍ଲିକ୍ ହେଲଥ ଏବଂ ଓ୍ବାଟକୋର ପରିଚାଳନା ନିର୍ଦ୍ଦେଶକ ବୈଷୟିକ ସଦସ୍ୟ ଭାବେ ଯୋଗଦେଇଥିବା ବେଳେ, ବୋର୍ଡର ଇଞ୍ଜିନିୟର-ଇନ୍-ଚିଫ୍ ସଦସ୍ୟ-ସଂଯୋଜକ ଭାବେ ଉପସ୍ଥିତ ଥିଲେ।
ବୈଠକରେ ପ୍ରାୟ ୨୪ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ପ୍ରଶାସନିକ, ଆର୍ଥିକ ଓ ପ୍ରାଯୁକ୍ତିକ ବିଷୟରେ ଆଲୋଚନା କରାଯାଇ ସିଦ୍ଧାନ୍ତ ନିଆଯାଇଛି । ପୂର୍ବବର୍ତ୍ତୀ ବୋର୍ଡ ବୈଠକର କାର୍ଯ୍ୟବୃତ୍ତାନ୍ତକୁ ଅନୁମୋଦନ କରାଯିବା ସହ ତିନିଜଣ ଡିଏଲଆରଙ୍କୁ ଗ୍ରାଟୁଇଟି ପ୍ରଦାନ ପାଇଁ ମଂଜୁରୀ ଦିଆଯାଇଛି । ଏହା ସହ ବୋର୍ଡରେ କାର୍ଯ୍ୟରତ ଡିଏଲଆର ମାନଙ୍କ ପାଇଁ ବିଶେଷ ପ୍ରୋତ୍ସାହନ ରାଶି ୨୦୦ ଟଙ୍କା ବୃଦ୍ଧି କରାଯିବାକୁ ମଧ୍ୟ ଅନୁମୋଦନ ମିଳିଛି ।
ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବିଷୟଗୁଡ଼ିକର ଅନୁଧ୍ୟାନ ପାଇଁ ସ୍ବରେଜ ବୋର୍ଡ, ପିଏଚଇଓ ଓ ଓ୍ବାଟକୋର ଅଧିକାରୀମାନଙ୍କ ସମ୍ମିଳନରେ ଏକ କମିଟି ଗଠନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । କମିଟି ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ ପରୀକ୍ଷା କରି ଆଗାମୀ କାର୍ଯ୍ୟଯୋଜନା ପାଇଁ ସୁପାରିଶ ଦାଖଲ କରିବ । ବୋର୍ଡ ର ସୁଶାସନ, ସମୟୋଚିତ ସିଦ୍ଧାନ୍ତ ଗ୍ରହଣ ଓ ସଂସ୍ଥାର ସମଗ୍ର କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ନିୟମିତ ବୈଠକ ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି ।

