Home Finance ପୂରଣ ହେଉନି ସ୍ୱଳ୍ପ ସଞ୍ଚୟ ଲକ୍ଷ୍ୟ

ପୂରଣ ହେଉନି ସ୍ୱଳ୍ପ ସଞ୍ଚୟ ଲକ୍ଷ୍ୟ

ଭୁବନେଶ୍ୱର : ସମସ୍ତ ପ୍ରକାର ପ୍ରଚାର ପ୍ରସାର ସତ୍ୱେ ସ୍ୱଳ୍ପ ସଞ୍ଚୟ ଯୋଜନାରେ ଅର୍ଥ ବିନିଯୋଗ ପାଇଁ ଲୋକେ ରାଜି ହେଉନାହାନ୍ତି । ଗତ ଆର୍ଥିକ ବର୍ଷରେ ସ୍ୱଳ୍ପ ସଞ୍ଚୟ ଯୋଜନା ଜରିଆରେ ରାଜ୍ୟ ସରକାର ୧୧,୦୦୦ କୋଟି ଟଙ୍କା ସଂଗ୍ରହ କରିବେବୋଲି ଲକ୍ଷ୍ୟ ରଖିଥିବାବେଳେ ସଂଗ୍ରହ ପରିମାଣ ୧୦ହଜାର ଟଙ୍କାକୁ ଟପିପାରି ନାହିଁ ।

ଗତ ବର୍ଷ ଯେଉଁ ୧୧ହଜାର କୋଟିର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ସେଥିରେ ସର୍ବାଧିକ ୧୨୬୦ କୋଟି ଟଙ୍କା ଗଞ୍ଜାମରୁ ଥିଲା । ହେଲେ ଗଞ୍ଜାମରୁ ସଂଗ୍ରହ ହୋଇଛି ୧୦୭୩ କୋଟି ୩୩ଲକ୍ଷ ଟଙ୍କା । ସେହିଭଳି ଦ୍ୱିତୀୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ହୋଇଥିଲା ଖୋର୍ଦ୍ଧାରୁ । ଖୋର୍ଦ୍ଦାରୁ ୧୨୨୯ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ଥିବାବେଳେ ଆସିଥିବା ୧୦୦୯କୋଟି ୨୦ଲକ୍ଷ ଟଙ୍କା ।

ସେହିଭଳି କଟକ ପାଇଁ ୯୪୨ କୋଟିର ଲକ୍ଷ୍ୟ ଥିବବେଳେ ସଂଗ୍ରହ ଅର୍ଥ ପରିମାଣ ୮୩୨.୮୩ କୋଟି ଟଙ୍କାରେ ସୀମିତ ରହିଥିଲା । କେନ୍ଦ୍ରାପଡାରୁ ୪୦୪କୋଟି ସ୍ଥାନରେ ୩୭୫.୯୪ କୋଟି, ଯାଜପୁରରେ ୫୪୪ କୋଟି ସ୍ଥାନରେ ୫୨୮.୯୧କୋଟି, ଜଗତ୍‍ସିଂହପୁରରେ ୪୫୭ କୋଟି ସ୍ଥାନରେ ୩୭୫.୪୩ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ଭଦ୍ରକରେ ୫୧୩କୋଟି ଟଙ୍କା ସ୍ଥାନରେ ୪୫୫.୩୧କୋଟି ସଂଗ୍ରହ ହୋଇଥିବାବେଳେ ବାଲେଶ୍ୱରରେ ଏହି ପରିମାଣ ୬୪୭ କୋଟି ସ୍ତାନରେ ୫୭୫.୪୪ କୋଟି ଟଙ୍କା ସଂଗ୍ରହ ହୋଇଥିଲା ।

ଲୋକେ କିଭଳି ସ୍ୱଳ୍ପ ସଞ୍ଚୟ ଯୋଜନା ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସେମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ସୃଷ୍ଟି କରିବା, ସଞ୍ଚୟକୁ ଏକ ଅଭ୍ୟାସରେ ପରିଣତ କରିବା, ମିତବ୍ୟୟୀ ହୋଇ ଏକ ସ୍ୱଚ୍ଛଳ ଓ ଆର୍ଥିକ ଦୃଷ୍ଟି କୋଣରୁ ସୁରକ୍ଷିତ ଭବିଷ୍ୟତ ଜୀବନ ନିଶ୍ଚିତ କରିବାପାଇଁ କୁହାଯାଉଛି । ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିୟୋଜିତ ଏଜେଣ୍ଟମାନେ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ପ୍ରବର୍ତ୍ତାଇବା ସହିତ ପାଣ୍ଠି ସଂଗ୍ରହ କରୁଛନ୍ତି । ଏ କ୍ଷେତ୍ରରେ ୧୦ହଜାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇ ପାରିଛି । ଏଥିରେ ପାଇବାକୁ ଥିବା କମିଶନ ଅର୍ଥ କେନ୍ଦ୍ର ସରକାର ବହନ କରୁଥିବାରୁ ରାଜ୍ୟ ସରକାରଙ୍କୁ ଏ ବାଦରେ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ଗାଁ ଗହଳର ଲୋକଙ୍କୁ ଚିଟ୍‍ଫଣ୍ଡ ଓ ଅନ୍ୟାନ୍ୟ ବେଆଇନ୍‍ ଅର୍ଥ କାରବାର ଠାରୁ ଦୂରେଇ ରଖିବ।।ପାଇଁ ସରକାର ଏହି ଯୋଜନା ମାଧ୍ୟମରେ ଗୁରୁତ୍ୱ ଦେଉଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନହେବା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଲଟେରୀ ମାଧ୍ୟରେ ଏହି ଯୋଜନାରେ ଆବର୍ଷଣୀୟ ପୁରସ୍କାର ରାଶି ଥିଲେ ମଧ୍ୟ ଲୋକେ ବିମୁଖ । ଗାଁ ଗହଳରେ ସୁଧ କାରବାର କରୁଥିବା ବିଭିନ୍ନ ସଂସ୍ଥା ଅର୍ଥ ସଂଗ୍ରହ ଚଳାଉଥିବାରୁ ଏହା ହ୍ରାସ ପାଉଥିବା କୁହାଯାଉଛି । (ତଥ୍ୟ)