Home Energy ଟାଟା ପାୱାର ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା

ଟାଟା ପାୱାର ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା

ଭୁବନେଶ୍ୱର : ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେଇଛି କଂଗ୍ରେସ। ଏଏସଡ଼ି ନାଁରେ ଟାଟା ପାୱାର ଲୁଟ ବିରୋଧରେ ଆସନ୍ତା ୨୬ ତାରିଖରେ ରାଜ୍ୟ କଂଗ୍ରେସ ଆନ୍ଦୋଳନ ଡାକରା ଦେଇଛି। ଟାଟା ପାୱାର ନହଟିବା ଯାଏଁ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।

ଡିସେମ୍ବର ୨୬ରେ ସବୁ ଜିଲ୍ଲା ସଦର ମହକୁମାରେ ଟାଟା ପାଓ୍ବାର ବିରୋଧରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବ କଂଗ୍ରେସ। ଆଇନ ଅମାନ୍ୟ ଆନ୍ଦୋଳନ କରିବ। କମ୍ପାନୀ ବିଦାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ହେବ। ଏଥିସହିତ ଡିସେମ୍ବର ୨୯ ତାରିଖରେ ସବୁ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯିବ। ବଣ୍ଟନ କମ୍ପାନୀ ଜନବିରୋଧୀ କାମ କରୁଛି ଆଉ ଉପଭୋକ୍ତାଙ୍କୁ ଶୋଷଣ କରୁଛି। କମ୍ପାନୀର ବେଆଇନ କାମକୁ ଆଉ ବରଦାସ୍ତ କରାଯିବ ବୋଲି ପିସିସି ସଭାପତି କହିଛନ୍ତି। ଏଥିସହିତ ଅତିରିକ୍ତ ସୁରକ୍ଷା ଜମା ନଦେବାକୁ ପ୍ରଦେଶ କଂଗ୍ରେସ ରାଜ୍ୟବାସୀଙ୍କୁ ନିବେଦନ କରିଛି।

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଟାଟା ପାୱାର ଅନୁଯାଇ ଅତିରିକ୍ତ ସିକ୍ୟୁରିଟି ଆଇନ ସମ୍ମତ। ହେଲେ ରାଜ୍ୟର ଏକ କୋଟି ୨୦ ଲକ୍ଷ ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ବିଲ ପଠାଇଛି କମ୍ପାନୀ। ଯେଉଁ ବର୍ଷ ବିଦ୍ୟୁତ ବ୍ୟବହାର କମିଛି, କେତେ ଉପଭୋକ୍ତାଙ୍କୁ କମ୍ପାନୀ ଟଙ୍କା ଫେରସ୍ତ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଟଙ୍କା ବଢିବା ନେଇ ଫେବୃଆରୀରେ ବୈଠକ ହୋଇ ମାର୍ଚ୍ଚରେ ନିଷ୍ପତ୍ତି ନିଆଯାଇଥାଏ।

କିନ୍ତୁ ଆର୍ଥିକ ବର୍ଷ ଅଧାରୁ ଏଭଳି ନିଷ୍ପତ୍ତି ନିଆଯିବା ଉଦ୍ଦେଶ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଇଆରସି ଅଧକ୍ଷଙ୍କ ସହ କମ୍ପାନୀ ଏ ସମ୍ପର୍କରେ ଆଲୋଚନା କରିଛି କି ? ନିକଟରେ ଅନୁଷ୍ଠିତ ପ୍ରେସମିଟରେ ଟାଟା ପାଓ୍ବାର ଯେଉଁସବୁ କମ୍ପାନୀର ଉଦାହାରଣ ଦେଇ ସେଠାରେ ମଧ୍ୟ ଏଏସଡି ଲାଗୁ ହୋଇଥିବା କହିଲା, ସେସବୁ ରାଜ୍ୟ ବିଦ୍ୟୁତ ଉତ୍ପାଦନ କରନ୍ତି ନାହିଁ। ଓଡ଼ିଶାରେ ବିଦ୍ୟୁତ ଉତ୍ପାଦରେ ବଳକା ରାଜ୍ୟ। ଚଳିତ ବର୍ଷ ବଣ୍ଟନ ଓ ପରିବହନ କ୍ଷତି ୪୭ ପ୍ରତିଶତରୁ ୧୬ ପ୍ରତିଶତକୁ ହ୍ରାସ ପାଇଛି। ଏହି ହିସାବରେ ବିଦ୍ୟୁତ ଦର ୟୁନିଟ ପିଛା ୮୮ ପଇସା କମିବା କଥା। ଆଶ୍ଚର୍ଯ୍ୟର କଥା ଶକ୍ତି ବିଭାଗ ଓ ଓଇଆରସି ମୁକ ବଧିର ଭଳି କମ୍ପାନୀର ମନମାନିକୁ ଦେଖି ହାତ ଟେକି ଦେଇଛନ୍ତି। ଜନମତ ବିରୋଧରେ କମ୍ପାନୀ କାମ କରୁଛି, କିନ୍ତୁ ସରକାର କାହିଁକି ହସ୍ତକ୍ଷେପ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସେହିଭଳି ଗତ ବର୍ଷ ଧାନ କିଣାରେ ଦୁଇ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି। ଏବର୍ଷ ମଧ୍ୟ  ଚାଷୀଙ୍କୁ ଟୋକନ ଦିଆଯାଉ ନାହିଁ। ଖୁଲମଖୁଲା କଟନୀ ଛଟନୀ ଚାଲିଛି। ୮୦୦ ଟଙ୍କା ବୋନସ ଦେଇ ପାରୁନାହାନ୍ତି ସରକାର, ଯାହାଫଳରେ ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେଲାଣି। ଧାନ ସଂଗ୍ରହରେ ପଶ୍ଚିମ ଓଡିଶାରୁ ଦକ୍ଷିଣ ଓଡିଶାରେ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ମନରେଗାର ନାମ ପରିବର୍ତ୍ତନ, ଧାନ ସଂଗ୍ରହରେ ଅବ୍ୟବସ୍ଥା ଏବଂ ଏଏସଡି଼ ପ୍ରତ୍ୟାହାର ଦାବିରେ ଆସନ୍ତା ଡିସେମ୍ବର ୨୨ରୁ ୨୯ ପର୍ଯ୍ୟନ୍ତ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।