କୋରାପୁଟ: କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ତାଙ୍କୁ ଦିଆଯାଇଥିବା ଡାଲମାରେ ପରିବା ଖଣ୍ଡେ ନପାଇ ମନ୍ତ୍ରୀ ବିଗିଡି ଯାଇଥିଲେ ।
ଆହାର କେନ୍ଦ୍ର ଦାୟିତ୍ବରେ ଥିବା ସ୍ବୟଂ ସହାୟିକା ଗୋଷ୍ଠିର ମହିଳାଙ୍କୁ ଡାଲମାରେ କାହିଁକି ପରିବା ନାହିଁ ବୋଲି ପଚାରିଥିଲେ । ମହିଳା ଜଣଙ୍କ ପରିବା ଥିଲାବୋଲି ଯେତେ କହିଲେ ବି ମନ୍ତ୍ରୀ ମାନି ନଥିଲେ । ପରିବା କେଉଁଠି ଅଛି ତାହା ଦେଖାଇବାକୁ କହିଥିଲେ । ଶେଷରେ ମନ୍ତ୍ରୀ ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠିକୁ ଆହାର ପରିଚାଳନାରୁ ବିଦା କରି ଅନ୍ୟ ସଂସ୍ଥାକୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ଏହି ସମୟରେ ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ ମହାଜନ ମଧ୍ୟ ରହିଥିଲେ । ଆଜି ସକାଳୁ କୋରାପୁଟ ଓ ସୁନାବେଡ଼ା ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହେଉଥିବା ଉନ୍ନୟନ କାର୍ଯ୍ୟକୁ ନିଜେ ଦେଖିବା ସହ ସମୀକ୍ଷା କରିଛନ୍ତି । ସୁନାବେଡ଼ା ମ୍ୟୁନିସିପାଲିଟିରେ ଅଧିକାରୀ ଓ ଜନତାଙ୍କ ସହ ଆଲୋଚନା କରି ଥିଲେ । ସେମିଳିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ଭେଣ୍ଟିଙ୍ଗ୍ ଜୋନ ପରିଦର୍ଶନ କରିଥିଲେ ।
ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

