Home News in Odia ଟାଟା ପାୱାର ବିରୁଦ୍ଧରେ ତାତିଲା ଯୁବ ବିଜେଡି

ଟାଟା ପାୱାର ବିରୁଦ୍ଧରେ ତାତିଲା ଯୁବ ବିଜେଡି

ଭୁବନେଶ୍ୱର : ଟାଟା ପାୱାର ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟିପିସିଓଡିଏଲ୍ (ଟାଟା ପାୱାର) ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବା ପାଇଁ ଯେଉଁ ନୋଟିସ୍ ଜାରି କରିଛନ୍ତି, ତାହା ଜନସାଧାରଣଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦା ଯାଉଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ଦାବି ଉପସ୍ଥାପନ କରାଯିବା ସହିତ ରାଜରାସ୍ତାରେ ସ୍ମାର୍ଟ ମିଟର ଭାଙ୍ଗି ପ୍ରତିବାଦ କରିଥିଲେ ।

ରାଜ୍ୟର କୋଟିଏ ଉପଭୋକ୍ତାଙ୍କ ଠାରୁ ଜାତୀୟ ହାର ଠାରୁ ଅଧିକ ଆଦାୟ ହେଉଥିବା ବିଦୁ୍ୟତ୍ ଶୁଳ୍କକୁ ତୁରନ୍ତ ସୁଧ ସହିତ ଉପଭୋକ୍ତାଙ୍କୁ ଫେରାଇବା ପାଇଁ ବିଜେଡି ଦାବି କରିଛି । ଆନ୍ଧ୍ରପ୍ରଦେଶ ବିଦୁ୍ୟତ୍ ନିୟାମକ ଆୟୋଗ ଏହି ଅର୍ଥ ଫେରସ୍ତ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ସେହିଭଳି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ ପଦକ୍ଷେପ ନେବାକୁ ମଧ୍ୟ ବିଜେଡି ଜୋର ଦେଇଛି ।

ସରବରାହ ଜନିତ କ୍ଷତି ଯୋଗୁଁ ଓଡ଼ିଶାର ବିଦୁ୍ୟତ୍ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ଶୁଳ୍କ ବହନ କରିବାକୁ ପଡୁଛି । ଟାଟା କମ୍ପାନୀର ଅପାରଗତା, ଦୁର୍ନୀତି ଯୋଗୁଁ ରାଜ୍ୟରେ ସରବରାହ ଜନିତ କ୍ଷତି ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି । ବହୁ ଉପଭୋକ୍ତଙ୍କ ମିଟର ସଠିକ୍ ଚାଲୁଥିଲେ ସୁଦ୍ଧା, ଏହାକୁ ଟାଟା ପାୱାର ପକ୍ଷରୁ ଜବରଦସ୍ତ ବଦଳାଯାଇ ସ୍ମାର୍ଟ ମିଟର ଲଗାଯାଇଛି, ଯାହା ଠିକ୍ ନୁହେଁ । ସ୍ମାର୍ଟ ମିଟର ଯୋଗୁଁ ଉପଭୋକ୍ତା ମାନଙ୍କୁ ଅଧିକ ବିଦୁ୍ୟତ୍ ବିଲ୍ ଦେବାକୁ ପଡୁଛି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଏହି ଆର୍ଥିକ ଶୋଷଣ ବନ୍ଦ ନହେଲେ ବିଜେଡି ଟାଟା ପାୱାର ବିରୋଧରେ ଦୁର୍ବାର ଆନେ୍ଦାଳନ କରିବ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି ।

ଏହି ବିକ୍ଷୋଭରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ସିଂହ, ଅବନୀ ଯୋଶୀ, ଅମରେଶ ପତ୍ରୀ, ଅମରଜିତ୍ ସେନାପତି, ସୋଫିଆ ଆଲାମ, ଧୃତି ମାର୍ଥା, ତନ୍ମୟ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।