Home Forest ଜଙ୍ଗଲ ଜମି ଉପରେ ଲୋଲୁପ ଦୃଷ୍ଟି

ଜଙ୍ଗଲ ଜମି ଉପରେ ଲୋଲୁପ ଦୃଷ୍ଟି

ଭୁବନେଶ୍ୱର : ଜବରଦଖଲକାରୀମାନେ ଏବେ ରାଜ୍ୟର ଜଙ୍ଗଲ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ମୋଟ୍‍ ଜଙ୍ଗଲ ମଧ୍ୟରୁ ୨୧ହଜାର ହେକ୍ଟର ଅଞ୍ଚଳକୁ ଏମାନେ କବଜା କରିସାରିଲେଣି । ସଂରକ୍ଷିତ ଜଙ୍ଗଲ ଜମି ଠାରୁ ଆରମ୍ଭ କରି ଗ୍ରାମ୍ୟ ଜଙ୍ଗଲ ଜମି ପର୍ଯ୍ୟନ୍ତ କାହାରିକୁ ଏମାନେ ଛାଡୁ ନାହାନ୍ତି ।

ରାଜ୍ୟରେ ଥିବା ୨୪ଲକ୍ଷ ୮୮ହଜାର ହେକ୍ଟର ଜଙ୍ଗଲ ଜମି ମଧ୍ୟରୁ ମାଫିଆମାନେ ୨୧ହଜାର ହେକ୍ଟରକୁ ଦଖଲ କରି ନେଇଛନ୍ତି । ସେହିଭଳି ୯୨ହଜାରରୁ ଅଧିକ ହେକ୍ଟର ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ପାଖାପାଖି ହଜାରେ ହେକ୍ଟର ଜଙ୍ଗଲକୁ ଏମାନେ ଦଖଲକୁ ନେଇଗଲେଣି । ଏଥି ସହିତ ୧୬୬ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ବି ଏମାନଙ୍କ ଦଖଲରେ ଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ନବରଙ୍ଗପୁର ବନଖଣ୍ଡରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ୧୧ ହଜାରରୁ ଅଧିକ ହେକ୍ଟର ଜମିକୁ ଏମାନେ ଦଖଲ କରିଥିବାବେଳେ ରାୟଗଡା ବନଖଣ୍ଡରେ ୧୬୦୫ ହେକ୍ଟରକୁ ମାଡି ବସିଛନ୍ତି । ରାଜ୍ୟରେ ଜବରଦଖଲ ହୋଇଥିବା ସମସ୍ତ ୧୬୬ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ନବରଙ୍ଗପୁର ଜିଲ୍ଲାରେ ହିଁ ରହିଛି । କେନ୍ଦୁଝର ବନଖଣ୍ଡରେ ୩୬୨ ହେକ୍ଟର ଜଙ୍ଗଲ ଜମିକୁ ଜବରଦଖଲକାରୀମାନେ ନିଜ ଅକ୍ତିଆରରେ ରଖିଛନ୍ତି ।

ଚିଲିକା ବନ୍ୟପ୍ରାଣୀ ଡିଭିଜନ, କଟକ ଓ ଖୋରଧା ସିଟି ଡିଭିଜନକୁ ବାଦ୍‍ ଦେଲେ ଅନ୍ୟ ପ୍ରାୟ ସବୁ ବନଖଣ୍ଡରେ ସଂରକ୍ଷିତ ଜଙ୍ଗଲ ଜମିକୁ ମାଫିଆମାନେ ଜବରଦଖଲ କରି ରଖିଛନ୍ତି । ମାଲକାନଗିରି, ନୟାଗଡା, ଫୁଲବାଣୀରେ ଜବରଦଖଲ ସ୍ଥିତି ଅତ୍ୟନ୍ତ ଉତ୍କଟ ହୋଇଛି । ଏଠାରେ ମାଫିଆମାନେ ଜଙ୍ଗଲଜମିକୁ କରାୟତ କରି ସେଠାରେ ଗଞ୍ଜେଇ ଚାଷ କରୁଥିବାର ଅଭିଯୋଗ ହେଉଥିବାବେଳେ ଆଉ କେତେକ ସ୍ଥାନରେ ଏହାକୁ ଭଡାରେ ଲଗାଇ ଦେଉଛନ୍ତି ।

ଜବରଦଖଲକାରୀଙ୍କ କବଳରୁ ଜଙ୍ଗଲ ଜମିକୁ ମୁକୁଳାଇବାପାଇଁ ସରକାର ୭ହଜାରରୁ ଅଧିକ ମାମଲା କରାଯ।।ଇଛି । ଏହି ମାମଲା ବଳରେ ୧୬ହଜାର ହେକ୍ଟରରୁ ଅଧିକ ଜମିକୁ ନିଜ ହାତକୁ ଆଣିବାପାଇଁ ସରକାର ଉଦ୍ୟମ କରୁଥିବାବେଳେ ଏଥିରେ ସେତେଟା ସଫଳ ମିଳୁନାହିଁ । ଜବରଦଖଲକାରୀମାନେ ବି ସମସ୍ତ ବଳ ଖଟାଇ ଅଦାଲତରେ ମାମଲା ରୁଜୁ କରୁଛନ୍ତି ।

କେତେକ ବନଖଣ୍ଡରେ ମାନବ ସମ୍ବଳର ଅଭାବ ଯୋଗୁଁ ବନ ବିଭାଗ ଠିକଣା ଭାବେ ଜବରଦଖଲକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହେଉନାହିଁ । ଯେତେବେଳେ ଚିହ୍ନଟ କରୁଛି ସେତେବେଳେ ଜବରଦଖଲକାରୀମାନେ ସରକାରଙ୍କ ଉପରେ ଭାରି ପଡୁଛନ୍ତି । ସରକାରୀ ଜମିକୁ ନିଜର ବୋଲି ଦର୍ଶାଇ ଖୋଦ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପଛାଉ ନାହାନ୍ତି । ବିଶେଷଜ୍ଞମାନଙ୍କ ମତରେ ଏଭଳି ଜବରଦଖଲ ଯୋଗୁଁ କେବଳ ଜଙ୍ଗଲ ସମ୍ପଦ ଉଜୁଡିଯାଉନାହିଁ ବନ୍ୟଜନ୍ତୁ ମଧ୍ୟ ଅବାଧରେ ଶିକାର ହୋଇ ଯାଉଛନ୍ତି । ଜବରଦଖଲ ଯୋଗୁଁ ଜନବସତି ଧିରେ ଧିରେ ଜଙ୍ଗଲ ମୁହାଁ ହେଉଥିବାବେଳେ ଜଙ୍ଗଲୀ ଜନ୍ତୁମାନେ ଜନବସତି ମୁହାଁ ହୋଇ ଲୋକଙ୍କୁ ମାରିବାରେ ଲାଗିଛନ୍ତି । (ତଥ୍ୟ)