ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ପୁସ୍ତକ ଉତ୍ସବରେ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିବା ରାଜ୍ୟର ମହିଳା ସ୍ୱାଧୀନତା ସଂଗ୍ରାମ ମଣ୍ଡପ ଘେନି ଐତିହାସିକ ଓ ବୁଦ୍ଧିଜୀବୀମାନେ ପ୍ରଶ୍ନବାଚୀ ଉଠାଉଛନ୍ତି । ଏମିତିକି ଏହି ମଣ୍ଡପରେ ଯେଉଁମାନଙ୍କୁ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ଦର୍ଶାଯାଇ ସେମାନଙ୍କ ଫଟୋଚିତ୍ର ସ୍ଥାନିତ କରାଯାଇଛି ସେମାନଙ୍କ ଭିତରୁ ଜଣେ ଏହାର ପ୍ରତିବାଦ କରି ସେ ସ୍ୱାଧୀନତା ସଂଗ୍ରାମୀ ହୋଇନଥିଲେ ମଧ୍ୟ ତାଙ୍କ ଫଟୋଚିତ୍ର କିଭଳି ସ୍ଥାନ ପାଇଲା ସେଥିଘେନି ବିସ୍ମୟ ପ୍ରକାଶ କରିଛନ୍ତି ।
ଓଡ଼ିଶା ମହିଳା ସ୍ୱାଧୀନତା ସଂଗ୍ରାମୀ ମଣ୍ଡପରେ ସର୍ବଶ୍ରୀମତୀ କିଶୋରୀ ମଣି ଦେବୀ, ଅନ୍ନପୂର୍ଣ୍ଣା ମହାରାଣା, ରମାଦେବୀ, ଜମ୍ବୁବତୀ ପଟ୍ଟନାୟକ, ଶହୀଦ ପରି ବେୱା, ଡାକ୍ତର କୁନ୍ତଳା କୁମାରୀ ସାବତ, ଶୈଳବାଳା ଦାସ, ମାଳତୀ ଚୌଧୁରୀ, କୃଷ୍ଣା ମହାନ୍ତି, ସୁଧାଂଶବାଳା ହାଜରା, ଶହୀଦ ଗୁରୁବାରୀ ମେହେର, ସରଳା ଦେବୀ, ପାର୍ବତୀ ଗିରି ଆଦିଙ୍କ ଫଟୋଚିତ୍ର ରଖାଯାଇଛି । ଏମାନଙ୍କ ଭିତରୁ କୃଷ୍ଣା ମହାନ୍ତିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପରଲୋକ ଗମନ କରିସାରିଛନ୍ତି ।
ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ଜନ୍ମ ୧୯୩୯ ମସିହାରେ । ମାଳତୀ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କ ସେ ସାନ ଝିଅ । ତାଙ୍କ ପରିବାରର ଗୋପବନ୍ଧୁ ଚୌଧୁରୀ, ମା’ରମାଦେବୀ, ଉତ୍ତରା ଦେଶାଇ, ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରାଣା, ଶରତ ଚନ୍ଦ୍ର ମହାରାଣାଙ୍କ ସମେତ ବହୁ ଜ୍ଞାତି କୁଟୁମ୍ବ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ବାରମ୍ବାର କାରାବରଣ କରିଛନ୍ତି । ଦେଶ ସ୍ୱାଧୀନ ହେବା ବେଳକୁ ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ବୟସ ମାତ୍ର ୮ବର୍ଷ । ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର କେଉଁ ତଥ୍ୟ ପ୍ରମାଣ ଆଧାରରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ପୁସ୍ତକ ମହୋତ୍ସବରେ ସ୍ଥାନିତ କରିଛନ୍ତି ତାହା ସେ ନିଜେ ବୁଝିପାରୁ ନାହାନ୍ତି କିମ୍ବା ଏ ସଂକ୍ରାନ୍ତରେ ତାଙ୍କ ସହ କେହି ଆଲୋଚନା କରିନାହାନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ସେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦ, କିନ୍ତୁ ନିଜେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିନାହାନ୍ତି । ଅବଶ୍ୟ ତାଙ୍କ ଜୀବଦଶାରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ବିନୋବା ଭାବେ, ଜୟପ୍ରକାଶ ନାରାୟଣଙ୍କ ଭଳି ଜାତୀୟ ନେତାମାନଙ୍କୁ ଖୁବ୍ ପାଖରୁ ଦେଖିଛନ୍ତି ।
ଓଡ଼ିଶା ପୁସ୍ତକ ମହୋତ୍ସବ ପରିସରରେ ଥିବା ମହିଳା ସ୍ୱାଧୀନତା ସଂଗ୍ରାମୀ ମଣ୍ଡପ ବେଶ୍ ଆକର୍ଷଣୀୟ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଦର୍ଶକ ଏଠାକୁ ଆସି ଫଟୋ ଓ ଭିଡିଓ ସୁଟିଂ କରୁଛନ୍ତି । ଓଡ଼ିଶାରେ ଶତାଧିକ ମହିଳା ସ୍ୱାଧୀନତା ଆନ୍ଦୋଳନ କାଳରେ ବିଭିନ୍ନ ପର୍ଯ୍ୟାୟରେ କାରାବରଣ କରିଛନ୍ତି । ସେମାନଙ୍କୁ ଉପେକ୍ଷା କରି ଶ୍ରୀମତୀ ମହାନ୍ତିଙ୍କ ସମେତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପାଳିତା କନ୍ୟା ଶୈଳାବାଳା ଦାସ ଓ ତାଙ୍କ ସାନ ଭଉଣୀ ସୁଧାଂଶୁବାଳା ହାଜରାଙ୍କୁ ମଧ୍ୟ ଏହି ମଣ୍ଡପରେ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ଦର୍ଶାଯାଇଛି । ଶୈଳାବାଳା ଓ ସୁଧାଂଶୁବାଳାଙ୍କର ମଧୁବାବୁଙ୍କ ସହିତ ସଂପର୍କ ଦୃଷ୍ଟିରୁ ସେମାନେ ଓଡ଼ିଶାରେ ନାରୀ ଶିକ୍ଷାର ପ୍ରସାର, ମହିଳାମାନଙ୍କୁ ଓକିଲାତି କରିବାର ଅଧିକାର ଏବଂ ସର୍ବୋପରି ଉତ୍କଳ ସମ୍ମିଳନୀ କାର୍ଯ୍ୟରେ ସହଯୋଗ କ୍ଷେତ୍ରରେ କାମ କରିଛନ୍ତି । ତେବେ ଏହି ଦୁଇ ଭଉଣୀ ମଧ୍ୟ କୌଣସି ସମୟରେ ସ୍ୱାଧୀନତା ଆନ୍ଦୋଳନ କାଳରେ କାରାବରଣ କରିନାହାନ୍ତି କିମ୍ବା ସତ୍ୟାଗ୍ରହ ସଂଗ୍ରାମରେ ବି ସାମିଲ ହୋଇନାହାନ୍ତି । ଅବଶ୍ୟ ସେମାନେ ମହାତ୍ମା ଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଆଦିଙ୍କୁ ବହୁ ପାଖରୁ ଦେଖିଛନ୍ତି । ସଂସ୍କୃତି ବିଭାଗ କର୍ତ୍ତୃପକ୍ଷ ତ୍ରୁଟି ସଂଶୋଧନ କରି ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେବା ପାଇଁ ବହୁ ଦର୍ଶକ ଓ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।(ତଥ୍ୟ)

