Home Judiciary ଓଡ଼ିଶାରେ ୨୨ଲକ୍ଷ ମାମଲା

ଓଡ଼ିଶାରେ ୨୨ଲକ୍ଷ ମାମଲା

ଭୁବନେଶ୍ୱର : ଓଡ଼ିଶାରେ ଏବେ ପ୍ରାୟ ୨୨ଲକ୍ଷ ମାମଲା ବିଭିନ୍ନ ଆଇନ୍‍ ଅଦାଲତରେ ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ଅନେକ ମାମଲା ୨ରୁ ୩ ଦଶନ୍ଧି ଧରି ଗଡ଼ୁଛି । ଚଳିତ ଶତାବ୍ଦୀର ଏକ ଚତୁର୍ଥାଂଶ ଶେଷ ହେବାକୁ ଯାଉଥିବାବେଳେ ଗତ ଶତାବ୍ଦୀର ବହୁ ମାମଲା ବିଚାରାଧୀନ ଥିବା ବିଚାର ବିଭାଗୀୟ ସଂସ୍ଥା, ସରକାର ଏବଂ ପକ୍ଷମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ଅଗଷ୍ଟ ଶେଷ ସୁଦ୍ଧା ୧୯,୯୭,୩୧୭ଟି ମାମଲା ବିଚାରାଧୀନ ଥିବାବେଳେ ଏଥିରୁ ଫୌଜଦାରୀ ମାମଲା ସଂଖ୍ୟା ୧୬,୮୪,୪୩୨ ଓ ଦେୱାନୀ ମାମଲା ସଂଖ୍ୟା ୩,୧୨,୮୮୫ । ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ଥିବାବେଳେ ଅନ୍ୟ ଟ୍ରିବ୍ୟୁନାଲ ଓ ରାଜସ୍ୱ ସଂସ୍ଥାଗୁଡ଼ିକରେ ପଡ଼ିରହିଥିବା ମାମଲା ସଂଖ୍ୟା ୫ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି ।

ସରକାର ସ୍ୱୀକାର କରୁଛନ୍ତି ଯେ ଧାର୍ଯ୍ୟ ତାରିଖରେ ସାକ୍ଷୀ, ସରକାରୀ ସାକ୍ଷୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତର ଆଦି ଉପସ୍ଥିତ ନହେବା, ଜାମିନ ବିହୀନ ୱାରେଣ୍ଟଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରାନଯିବା, ତଦନ୍ତ ରିପୋର୍ଟ ଓ ଅଭିଯୋଗ ଫର୍ଦ୍ଦ ଦାଖଲରେ ବିଳମ୍ବ, ଅଭିଯୁକ୍ତମାନେ ଠିକଣା ସମୟରେ ଅଦାଲତରେ ଉପସ୍ଥିତ ନରହିବା, ରାସାୟନିକ ଓ ଅନ୍ୟ ବୈଜ୍ଞାନିକ ତଦନ୍ତ ରିପୋର୍ଟ ସଠିକ୍‍ ସମୟରେ ଦାଖଲ କରାନଯିବା ଏବଂ ବିଭିନ୍ନ ପକ୍ଷଙ୍କ ତରଫରୁ ବାରମ୍ବାର ସମୟ ଗଡ଼ାଯିବା ଆଦି କାରଣରୁ ମାମଲା ଫଇସଲା ବିଳମ୍ବିତ ହେଉଛି ।

କେବଳ ସେତିକି ନୁହେଁ, ଉପରୋକ୍ତ କାରଣଗୁଡ଼ିକ ଯୋଗୁ ସଂଖ୍ୟାଧିକ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରମାଣକୁ ଦୁର୍ବଳ କରିବାରେ ଅଭିଯୁକ୍ତମାନେ ସକ୍ଷମ ହୋଇ ଖସିଯିବାରେ ସମର୍ଥ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ମାମଲା ନୀତି ପ୍ରଣୟନ କରିଥିଲେ ମଧ୍ୟ ତାହା ବିଶେଷ ଭାବେ ମାମଲା ସଂଖ୍ୟା ହ୍ରାସ କରିବାରେ ସହାୟକ ହେଉନାହିଁ । ତେବେ ମଧ୍ୟସ୍ଥତା ଓ ଲୋକ ଅଦାଲତ ମାଧ୍ୟମରେ ମାମଲା ସମାଧାନ ଲାଗି ଗୁରୁତ୍ୱ ଦିଆଯିବା ଫଳରେ ଅବଶ୍ୟ କିଛି ମାତ୍ରାରେ ଫଇସଲା ସଂଖ୍ୟା ବଢ଼ୁଛି ।

ଭାରତ ସରକାରଙ୍କ ସର୍ବଶେଷ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟ ମୁତାବକ ଓଡ଼ିଶାରେ ମହିଳାମାନଙ୍କ ପ୍ରତି ଅପରାଧ କ୍ଷେତ୍ରରେ ପାଖାପାଖି ୨ଲକ୍ଷ ମାମଲା ବିଚାରାଧୀନ ଥିବାବେଳେ ଏ କ୍ଷେତ୍ରରେ ଦଣ୍ଡବିଧାନ ଓ ଫଇସଲା ହାର ୭ ପ୍ରତିଶତରୁ କମ୍‍ ରହୁଛି । ଆର୍ôଥକ ଅପରାଧ କ୍ଷେତ୍ରରେ ବି ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୬ ପ୍ରତିଶତ ଥିବାବେଳେ ଫଇସଲା ହାର ମାତ୍ର ୧.୮ ପ୍ରତିଶତ । ଶିଶୁମାନଙ୍କ ପ୍ରତି ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର ୧୩.୪ ପ୍ରତିଶତ ଥିବାବେଳେ ଫଇସଲା ହାର ୧୦ ପ୍ରତିଶତରେ ରହୁଛି । ଦୁର୍ନୀତି ନିର୍ବାରଣ ମାମଲାରେ ଓଡ଼ିଶାରେ ଫଇସଲା ହାର ମାତ୍ର ୭.୨ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର କିନ୍ତୁ ୪୯.୬ ପ୍ରତିଶତ ରେକର୍ଡ କରାଯାଇଛି । ତେବେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‍ ରହୁଛି ।

ଏହି ରିପୋର୍ଟ ମୁତାବକ ବରିଷ୍ଠ ନାଗରିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ପ୍ରତି ଘଟୁଥିବା ଅପରାଧ ଏବଂ ପରିବେଶ ମାମଲା ଓ ରାଜ୍ୟ ବିରୋଧରେ ଅପରାଧି ମାମଲାରେ ଦଣ୍ଡବିଧାନ ହାର ୧ ପ୍ରତିଶତରୁ କମ୍‍ ରହୁଥିବାବେଳେ ଫଇସଲା ହାର ୩ ପ୍ରତିଶତକୁ ଟପିପାରୁ ନାହିଁ । ଏ ପରିପ୍ରେକ୍ଷୀରେ ବକେୟା ମାମଲାଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ୨୦୦୦ ମସିହା ପୂର୍ବର ସମସ୍ତ ମାମଲା ୨୦୨୬ ମାର୍ଚ୍ଚ ସୁଦ୍ଧା ଏବଂ ୨୦୧୦ ପୂର୍ବର ମାମଲାଗୁଡ଼ିକ ଯେପରି ୨୦୨୬ ଡିସେମ୍ବର ସୁଦ୍ଧା ଫଇସଲା ହୁଏ ଏବଂ ନୂଆ ମାମଲାଗୁଡ଼ିକ ଯେଭଳି ବର୍ଷକ ଭିତରେ ସରେ ସେ ଦିଗରେ ଗୁରୁତ୍ୱ ଦେବା ଲାଗି ଅଭିଜ୍ଞ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)