ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଯାନ ବାହାନ ବୃଦ୍ଧି ସହିତ ପାର୍କିଂ ଫି ଆଦାୟ ମଧ୍ୟ ତାଳଦେଇ ବଢି ଚାଲିଛି । ଗତବର୍ଷ ପାର୍କିଂ ଫି ଆଦାୟ ପରିମାଣ ପାଖପାଖି ୨ କୋଟି ଟଙ୍କା ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ ମସିହାରେ ବିଏମସି ପାର୍କିଂ ଫି ବାବଦରେ ୧କୋଟି ୨୩ଲକ୍ଷ ଟଙ୍କା ପାଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୧କୋଟି ୩୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ କରୋନା ଯୋଗୁଁ ୨୦୨୨-୨୩ରେ ଏହା ଅପରିବର୍ତ୍ତିତ ରହିଥିଲା । ୨୦୨୩-୨୪ ବର୍ଷରେ ଏହା ୧କୋଟି ୭୭ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୨୦୨୪-୨୫ ବର୍ଷରେ ପାର୍କିଂ ଫି ପରିମାଣ ୧କୋଟି ୯୭ ଲକ୍ଷ ହୋଇଛି ।
ପାର୍କିଂ ଫିରୁ ବିଏମ୍ସି କୋଟି କୋଟି ଟଙ୍କା ଆଦାୟ କରୁଥିବାବେଳେ ରାଜଧାନୀରେ କିନ୍ତୁ ଶୃଙ୍ଖଳିତ ପାର୍କିଂ ଉପରେ ଧ୍ୟାନ ଦେଉନାହିଁ । ରାସ୍ତାଘାଟ ଠାରୁ ଆରମ୍ଭ କରି ଗଳିକନ୍ଦି, ମନ୍ଦିର ସାମ୍ନା ସବୁଆଡେ ପାର୍କିଂ ଫି ଆଦାୟ ହେଉଛି । ଏପରିକି ହୋଟେଲ ଠାରୁ ଆରମ୍ଭ କରି ସୁନା ଦୋକାନ ସାମ୍ନାରେ ଥିବା ରାସ୍ତାଘାଟରରୁ ବିଏମ୍ସି ପାର୍କିଂ ଫି ଆଦାୟ କରୁଛି ।
ଏଭଳି ସ୍ଥିତିରେ ଫି ପରିମାଣ ୨ କୋଟି ଟଙ୍କା ଭିତରେ ରହିବାକୁ ନେଇ ଅନେକ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ରାଜଧାନୀରେ ଯେଉଁ ପରିମାଣରେ ଯାନବାହାନ ଚାଲୁଛି ଓ ବିଏମସି ନାଁରେ ଯେଭଳି ରାସ୍ତାଘାଟରୁ ଫି ଆଦାୟ ହେଉଛି ସେଥିରେ ଅର୍ଥ ପରିମାଣ ଢେର ଅଧିକ ରହିବାକଥା ।
ରାଜଧାନୀରେ କିନ୍ତୁ ପାର୍କିଂ ସମସ୍ୟା ଧିରେ ଧିରେ ଜଟିଳ ହେବାରେ ଲାଗିଛି । ସ୍ମାର୍ଟସିଟି କର୍ତ୍ତୃପକ୍ଷ ଗାର୍ଡି ପାର୍କିଂ ପାଇଁ ଦୁଇଟି ବହୁତଳୀୟ ସୌଧ ନିର୍ମାଣ କରିଥିଲେ ମଧ୍ୟ ସେଠାରେ ଉଚ୍ଚା ଦର ଓ ବଜାର ଠାରୁ ଦୂର ହୋଇଥିବାରୁ ଲୋକେ ଗାଡି ପାର୍କିଂ କରିବାକୁ ରାଜି ହେଉନାହାନ୍ତି । ସହରର ପ୍ରମୁଖ ହାଟ ଓ ବଜାର ନିକଟରେ ପାର୍କିଂ ସ୍ଥଳ ନଥିବାରୁ ଲୋକେ ବାଧ୍ୟହୋଇ ରାସ୍ତା ଉପରେ ଗାଡି ରଖୁଛନ୍ତି ପୁଲିସ୍ ହାବୁଡରେ ପଡି ତଣ୍ଡ ଗଣୁଛନ୍ତି ।
ରାଜଧାନୀର ବହୁ ବ୍ୟବସାୟୀ ସେମାନଙ୍କ ଦୋକାନ ନିକଟରେ ଥିବା ପାର୍କିଂସ୍ଥଳ ପାଇଁ ବର୍ଷିକିଆ ଅର୍ଥ ଦାଖଲ ପାଇଁ ରାଜି ଥିବାବେଳେ ବିଏମ୍ସି କିନ୍ତୁ ଏଥିରେ ରାଜି ହେଉନଥିବା କୁହାଯାଉଛି । ଫଳରେ ସହରର ପ୍ରମୁଖ ବ୍ୟବସାୟିକ ସ୍ଥାନ ବିଶେଷକରି ଜନପଥରେ ଥିବା ବ୍ୟବସାୟକେନ୍ଦ୍ର ସମ୍ମୁଖରେ ଗାଡି ରଖିଲା ମାତ୍ରେ ପୁଲିସ୍ କର୍ତ୍ତୃପକ୍ଷ ତାହାକୁ ଉଠାଇ ନେଉଛନ୍ତି ଓ ଗାଡିଚାଳକ ବାଧ୍ୟହୋଇ ମୋଟା ଅଙ୍କର ତଣ୍ଡ ଗଣୁଛି ।
ସହରରେ କେତେ ସଂଖ୍ୟା ଗାଡିମୋଟର ଚାଲୁଛି ଓ ଏଥିପାଇଁ କେତେ ପରିମାଣର ପାର୍କିଂସ୍ଥଳ ଆବଶ୍ୟକ ବିଏମ୍ସି ଏପର୍ଯ୍ୟନ୍ତ ତାହାର ଆକଳନ କରିପାରି ନାହିଁ । ଯେଉଁଠି ହାଟ ବଜାର ରହିଛି ସେଠାରେ ଥିବା ରାସ୍ତାଘାଟ ଓ ଗଳିକନ୍ଦିକୁ ଟେଣ୍ଡର ଜରିଆରେ ବିଭିନ୍ନ ଲୋକଙ୍କୁ ପାର୍କିଂ ପାଇଁ ଦେଇ ଦେଉଛି । ଏହା ଫଳରେ ସହରର ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ନିକଟରେ ଟ୍ରାଫିକ ଭିଡ ପରିଲକ୍ଷିତ ହେଉଛି । ରାଜଧାନୀରେ ଯେଭଳି ଭାବେ ପାର୍କିଂ ସ୍ଥଳ ଅଭାବରୁ ଭିଡ ସୃଷ୍ଟି ହେଉଛି ତାହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)

