Home Environment ଭୁବନେଶ୍ୱର ବାୟୁମଣ୍ଡଳ ସ୍ଥିତି ଗୁରୁତର

ଭୁବନେଶ୍ୱର ବାୟୁମଣ୍ଡଳ ସ୍ଥିତି ଗୁରୁତର

ଭୁବନେଶ୍ୱର : ବାୟୁମଣ୍ଡଳର ବିପଦଜନକ ଗୁଣବତ୍ତା କ୍ଷେତ୍ରରେ ଭୁବନେଶ୍ୱର ଏବେ ଦିଲ୍ଲୀ ସହ ଏକ ପ୍ରକାର ପ୍ରତିଦ୍ୱନ୍ଦିତା କରୁଛି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ରବିବାର ସକାଳ ୮ଟା ବେଳେ ୬୯୪ ଥିବାବେଳେ ସଂଧ୍ୟା ୫ଟା ବେଳକୁ ୫୨୭କୁ କମିଛି ।

ଅନ୍ୟ ପକ୍ଷରେ ଭୁବନେଶ୍ୱରର ଏକ୍ୟୁଆଇ ରବିବାର ସକାଳ ୮ଟା ବେଳେ ୨୯୧ ଥିବା ସ୍ଥଳେ ସଂଧ୍ୟା ୫ଟା ବେଳକୁ ତାହା ୩୭୮ରେ ରେକର୍ଡ କରାଯାଇଛି । ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା, ତାଳଚେର ଆଦି ଅଞ୍ଚଳରେ ଏକ୍ୟୁଆଇ ମଧ୍ୟ ଭଲ ସ୍ଥିତିରେ ନାହିଁ ।

ବୈଜ୍ଞାନିକମାନେ କହୁଛନ୍ତି ଯେ ଏକ୍ୟୁଆଇ ପରିମାଣ ୧୫୦ ରୁ ୩୦୧ ମଧ୍ୟରେ ରହିଲେ ଆଜ୍‍ମା ବୃଦ୍ଧି ପାଇବା ସହ ହୃଦ୍‍ରୋଗ, ଫୁସ୍‍ଫୁସ୍‍ ଓ ଶ୍ୱାସନଳୀ ଜନିତ ଅନ୍ୟାନ୍ୟ ରୋଗ, ଆଲର୍ଜି ଆଦି ବଢିଥାଏ ଏବଂ ସାଧାରଣତଃ ଥଣ୍ଡାରୋଗରେ ଲୋକେ ସଂକ୍ରମିତ ହୋଇଥାନ୍ତି । ଏବେ ଭୁବନେଶ୍ୱରରେ ବାୟୁମଣ୍ଡଳରେ ଯେଉଁ ଗୁଣବତ୍ତା ରହିଛି ତାହା ଭୟଙ୍କର ଉଦାହରଣ ଧୂମପାନ ନିଆଯାଇପାରେ । ଜଣେ ଦିନକୁ ୯ଟି ସିଗାରେଟ ଟାଣିଲେ ତାଙ୍କ ଶ୍ୱାସନଳୀ, ଫୁସ୍‍ଫୁସ୍‍ ଓ ଶରୀର ଉପରେ ଯେତେ ପ୍ରତିକୂଳ ପ୍ରଭାବ ପଡେ ଏବେକାର ପ୍ରଦୂଷିତ ବାୟୁରେ ଏକ୍ୟୁଆଇ ଖରାପ ସ୍ତରରେ ରହିବା ଫଳରେ ସମ ଅନୁପାତର ପ୍ରତିକୂଳ ପ୍ରଭାବ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭୋଗିବାକୁ ପଡିଥାଏ ।

ଏହାର ପ୍ରତିକାର ପାଇଁ ବିଶେଷକିଛି କାମ ନଥିଲେ ଘରୁ ନବାହାରିବା, ଏନ୍‍-୯୫ ମାସ୍କ ପିନ୍ଧିବା, ଘରେ ଘରେ ଏୟାର ଫିଲଟର, କାର ଫିଲଟର ଆଦି ବ୍ୟବହାର କରିବାପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି । ଏହାଛଡା ଘରର ଦୁଆର ଝରକା ମଧ୍ୟ ବନ୍ଦ ରଖିବାପାଇଁ ଅନେକ କ୍ଷେତ୍ରରେ ପରାମର୍ଶ ଦିଆଯାଉଛି ।

ସାଧାରଣତଃ ଶୀତ ଦିନେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ରହିଥାଏ । ଏହାକୁ ଏଡାଇବାପାଇଁ ରାସ୍ତାଘାଟ ଓ ଗୃହ ନିର୍ମାଣସ୍ଥଳୀରେ ଯେଭଳି ଧୂଳି ନଉଡେ ଏବଂ ସଡକ ସଫେଇ ସମୟରେ ଧୂଳି ସୃଷ୍ଟି ନହୁଏ ସେ ଦିଗରେ ସତର୍କ ଦୃଷ୍ଟି ରଖିବାକୁ ବୈଜ୍ଞାନିକମାନେ ମତପୋଷଣ କରୁଥିବାବେଳେ ଉଭୟ ସରକାରୀ ଓ ବେସରକାରୀ ନିର୍ମାଣକାରୀ ସଂସ୍ଥାମାନେ ଏଥିପ୍ରତି ଆଖିବୁଜି ଦେଉଛନ୍ତି । ଏମିତିକି ରାଜ୍ୟ ସଚିବାଳୟ ଓ ବିଧାନସଭାର ଅନତି ଦୂରରେ ଏମଏଲ୍‍ଏମାନଙ୍କ ପାଇଁ ଯେଉଁ ବହୁତଳ ବିଶିଷ୍ଟ ଅଟ୍ଟାଳିକାମାନ ନିର୍ମାଣ କରାଯାଉଛି ତାହାର ଧୂଳି ପ୍ରଦୂଷଣରୁ ବାୟୁମଣ୍ଡଳକୁ ରକ୍ଷା କରିବାପାଇଁ ମଧ୍ୟ ସେଭଳି କିଛି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ ।

ରାଜଧାନୀର ଚାରିଆଡେ ମାଳ ମାଳ ଆପାର୍ଟମେଣ୍ଟ ନିର୍ମାଣ ଚାଲିଥିବାବେଳେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବି ଅଧିକାଂଶ ସ୍ଥାନରେ ବିଲ୍ଡରମାନେ ନୀଳ ଜରି ଘେରାଉ ନାହାନ୍ତି । ଏହା ପାଖପଡିଶାଙ୍କ ସହିତ ପଥଚାରୀମାନଙ୍କୁ ବିପଦରେ ପକାଉଛି । ବିଏମ୍‍ସି, ବିଡିଏ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୁଲିସ୍‍ ଏ କ୍ଷେତ୍ରରେ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ ବୋଲି ସାଧାରଣ ଲୋକେ କହୁଛନ୍ତି । ରାସ୍ତାକଡରେ ଶୀତ ଦାଉରୁ ରକ୍ଷା ପାଇବାପାଇଁ ନିଆଁ ଜାଳୁଥିବା ଶ୍ରମିକମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗୁ କରାଯାଉଥିବାବେଳେ ନିର୍ମାଣକାରୀ ସଂସ୍ଥାମାନେ ଯେଉଁ ଧୂଆଁ ଉଠାଉଛନ୍ତି ତାହା ବିରୁଦ୍ଧରେ କେହି ପାଟି ଖୋଲୁନାହାନ୍ତି । ସେହିଭଳି ସଡକ ନିର୍ମାଣ କାର୍ଯ୍ୟ ଓ ଘର ଭଙ୍ଗା ଅଭିଯାନରେ ବି ବାୟୁମଣ୍ଡଳ ବିଶେଷ ପ୍ରଦୂଷିତ ହେଉଛି । ଭୁବନେଶ୍ୱରର ଏକ୍ୟୁଆଇ ଅତି ଖରାପ (ଭେରି ପୁଅର୍‍) ସ୍ଥିତିରେ ଥିବା ସୂଚକାଙ୍କରେ ଦର୍ଶାଯାଉଥିବାରୁ ରାଜଧାନୀ ସମେତ ରାଜ୍ୟର ଅନ୍ୟ ଯେଉଁସବୁ ଅଞ୍ଚଳରେ ବାୟୁମଣ୍ଡଳର ଏକ୍ୟୁଆଇ ୭୫ରୁ ଅଧିକ ରହୁଛି ସେସବୁ ସ୍ଥାନରେ ବି ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବାଲାଗି ପରିବେଶପ୍ରେମୀ ଓ ମାନବାଧିକାରକର୍ମୀମାନେ ଦାବି କରୁଛନ୍ତି । (ତଥ୍ୟ)