Home News in Odia ରାଜଧାନୀ ରାସ୍ତାରେ ନିଶାଡିଙ୍କ ଉତ୍ପାତ

ରାଜଧାନୀ ରାସ୍ତାରେ ନିଶାଡିଙ୍କ ଉତ୍ପାତ

ଭୁବନେଶ୍ୱର : ରାଜଧାନୀରେ ରାତିରେ ଥଣ୍ଡା ବଢିବା ସହିତ ନିଶାଡିଙ୍କ ଉତ୍ପାତ ମଧ୍ୟ ବଢିବାରେ ଲାଗିଛି । ରାତି ୧୧ଟା ପରେ ବିଭିନ୍ନ ସ୍ଥାନରେ ନିଶାଡିମାନେ ରାସ୍ତାରେ ଖୁଲମ ଖୁଲା ବୁଲିବା ସହିତ ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳୁଛି । ସହରସାରା ସିସିଟିଭି ଲାଗିଥିବାରୁ ଏଭଳି ଉତ୍‍ପାତିଆଙ୍କୁ ତୁରନ୍ତ ଧରି ସାବାଡ ଲାଗି ମତପ୍ରକାଶ ପାଉଛି ।

ରାଜଧାନୀର ପ୍ରମୁଖ ଛକଗୁଡିକରେ ରାତି ୧୦ଟା ପରେ ସାଧାରଣତଃ ଟ୍ରାଫିକ କର୍ମଚାରୀ ରହୁନାହାନ୍ତି କିମ୍ବା ଟ୍ରାଫିକ ଲାଇଟ୍‍ ବି ଜଳୁନାହିଁ । ଏହାର ସୁଯୋଗ ନେଇ ନିଶାଡିମାନେ ରାସ୍ତାକୁ ବାହାରୁଛନ୍ତି । ସହରର ଅନ୍ୟ କେଉଁସ୍ଥାନ ତ ଦୂରରକଥା ପୁଲିସ୍‍ କମିଶନରଙ୍କ ଦପ୍ତର ନିକଟରେ ଥିବା ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ରାସ୍ତାରେ ଏବେ ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଗାଡିଚାଳନା କରୁଛନ୍ତି । ଏମାନଙ୍କ ସାମ୍ନାରେ ଯିଏ ପଡୁଛି ତାହାକୁ ଅତି ଅଶ୍ରାବ୍ୟ ଭାଷାରେ ଗାଳି କରୁଛନ୍ତି ।

ସହରରେ ସଂଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ପିସିଆର ପଇଁତରା ମାରୁଥିବାରୁ ନିଶାଡିମାନେ ରାସ୍ତାରେ ଏଭଳି ଆଚରଣ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ହେଲେ ପିସିଆର ରାସ୍ତା ପଳାଇବା ଓ ରାସ୍ତା ଶୂନଶାନ ହେଲାପରେ ଏମାନଙ୍କ ଉତ୍ପାତ ଆରମ୍ଭ ହୋଇଯାଉଛି । ଏହି ନିଶାଡିମାନେ ମୁଖ୍ୟତଃ ଦୁଇ ଚକିଆ ଯାନ ଧରି ରାସ୍ତାକୁ ଓହ୍ଲାଉଛନ୍ତି ଓ ଅତ୍ୟନ୍ତ୍‍ ବେପରୁଆ ଭାବେ ଗାଡି ଚାଳନା କରୁଛନ୍ତି ।

ଆଇନ୍‍ଶୃଙ୍ଖଳା ରକ୍ଷା ଲାଗି କମିଶନରେଟ ପୁଲିସ୍‍ ନିକଟରେ ଚାରି ଚକିଆ ଓ ଦୁଇ ଚକିଆ ପିସିଆର ଥିବାବେଳେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଛି । ସିଟିଟିଭି ଦେଖି କମିଶନରେଟ ପୁଲିସ୍‍ ଚାଳକମାନଙ୍କ ଠାରୁ ଫାଇନ୍‍ ବି ଆଦାୟ କରୁଛି । ହେଲେ ରାତି ସମୟରେ କାହିଁକି ଏହି ନିଶାଡିମାନଙ୍କୁ ପୁଲିସ୍‍ ଜବତ କରୁନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ବଡଦିନ ଓ ତା ପରେ ନୂଆବର୍ଷ ଆସୁଥିବାରୁ ଏବେଠାରୁ ପୁଲିସ୍‍ ସତର୍କ ନହେଲେ ନିଶାଡିମାନେ ଆଗକୁ ବଡ ଧରଣର ଅଘଟଣ ଘଟାଇବାର ସମ୍ଭାବନା ରହିଛି । ବିଶେଷକରି ବିଳମ୍ବିତ ରାତିରେ ଜରୁରୀ କାମ ବିଶେଷକରି ଡାକ୍ତରଖାନା, ବିମାନବନ୍ଦର, ରେଳଷ୍ଟେସନ ଯାଉଥିବା ଲୋକଙ୍କୁ ଏମାନେ ଏବେ ଗାଳିଗୁଲଜ କରୁଥିବାବେଳେ ଆଗକୁ ସାହସ ପାଇ ଲୁଟ୍‍ପାଟ କରିବାକୁ ବି ପଛାଇବେ ନାହିଁ ।

ସେହିଭଳି ବର୍ଷ ସରିବାକୁ ଯାଉଥିବାବେଳେ ରାଜଧାନୀର ବିଭିନ୍ନ ମଦ ଦୋକାନ ନିକଟରେ ସଂଧ୍ୟା ସମୟରେ ବ୍ୟାପକ ଭିଡ ପରିଲକ୍ଷିତ ହେଉଛି । ନିଶାଡିଙ୍କ ସମେତ ଅପରାଧିମାନେ ଏଠାରେ ଭିଡ ଜମାଉଛନ୍ତି । ହାଟ, ବଜାର ନିକଟରେ ଥିବା ମଦଦୋକାନ ବାଟ ଦେଇ ସଂଧ୍ୟା ସମୟରେ ଯିବାକୁ ଲୋକେ ଭୟ କରୁଛନ୍ତି । ତେଣୁ ଲୋକଙ୍କ ଯାତାୟତ ସମୟରେ ମଦ ଦୋକାନ ଆଖପାଖରେ ପୁଲିସ୍‍ ପଇଁତରା ମାରିବା ସହିତ ଏହିଠାରେ ନଜର ରଖିଲେ ବହୁ ଅପରାଧି ଧରାପଡିବେ ବୋଲି କୁହାଯାଉଛି ।

ତେବେ ରାଜଧାନୀରେ ଏବେ ପୁଲିସ୍‍ ପିସିଆରଗୁଡିକ ଅଧିକାଂଶ ସମୟରେ ଗଳି କନ୍ଦି ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଛିଡାହୋଇ ରହୁଥିବାବେଳେ ଏଗୁଡିକ କାହିଁକି ନିୟମିତ ପଇଁତରା ମାରୁନାହାନ୍ତି ଓ ଯେଉଁସବୁ ପିସିଆର ପଇଁତରା ମାରୁଛନ୍ତି ସେମାନଙ୍କ ନଜରରେ କିଭଳି ଏହି ନିଶାଡି ଉତପାତିଆମାନେ ପଡୁନାହାନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେଣୁ ବଡ ଦିନ ଓ ନୂଆବର୍ଷ ପୂର୍ବରୁ ସିସିଟିଭି ଜରିଆରେ ସହର ଉପରେ ୨୪ ଘଣ୍ଟା ନଜର ରଖିବା ସହି ପୁଲିସ୍‍ ପଇଁତରା ବ୍ୟବସ୍ଥାକୁ କଡାକଡି କରିବାପାଇଁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)