ଭୁବନେଶ୍ୱର : ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ ଷ୍ଟେନ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କୁ ଜୀଅନ୍ତା ଜାଳି ମାରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ପ୍ରସଙ୍ଗରେ ଓଡିଶା ସରକାର ସୁପ୍ରିମକୋର୍ଟରେ କ’ଣ ଆଭିମୁଖ୍ୟ ରଖୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।
ଏକଦା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ଏହି ହତ୍ୟାକାଣ୍ଡରେ ଯେଉଁମାନେ ଗିରଫ ହୋଇଥିଲେ ସେମାନଙ୍କ ଭିତରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ମହେନ୍ଦ୍ର ହେମ୍ବ୍ରମଙ୍କୁ ଇତି ମଧ୍ୟରେ କାରାଗାରରେ ଉତ୍ତମ ଆଚରଣ ପ୍ରଦର୍ଶନ ଦର୍ଶାଇ ଜେଲ୍ରୁ ମୁକ୍ତ କରାଯାଇଛି । ଦାରା କିନ୍ତୁ ୨୬ବର୍ଷ ଧରି କାରାଗାରର ଅନ୍ଧାରୀ ଗହ୍ୱରରେ କାଳ କାଟୁଛି ।
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିକଟବର୍ତ୍ତୀ ମନୋହରପୁର ଠାରେ ଗ୍ରାହାମ ଷ୍ଟେନ ଓ ତାଙ୍କ ଦୁଇ ଶିଶୁ ରାତିରେ ଗାଡିରେ ଶୋଇଥିବାବେଳେ ଦାରା ଓ ତାହାର ସହଯୋଗୀମାନେ ଗାଡିରେ ନିଆଁ ଲଗାଇଦେଇ ଏମାନଙ୍କୁ ଜୀଅନ୍ତା ପୋଡି ମାରିଥିଲେ । ଇତି ମଧ୍ୟରେ ଦାରା ସିଂ କାରାମୁକ୍ତ ହେବାପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଏକାଧିକବାର ଆବେଦନ କରିଛି । ଏ ପ୍ରସଙ୍ଗରେ ମଧ୍ୟ ସେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ବର୍ଷାଧିକ କାଳଧରି ପଡି ରହିଛି । ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ଉକ୍ତ ମାମଲାରେ ବାରମ୍ବାର ସମୟ ନିଆଯାଉଛି । ଚଳିତ ମାସରେ ସୁପ୍ରିମକୋର୍ଟରେ ଏହି ମାମଲା ଶୁଣାଣି ପାଇଁ ରହିଛି ।
ଗୃହ ବିଭାଗ ଅଧିନରେ ଥିବା ସ୍ୱତନ୍ତ୍ର ବୋର୍ଡ ଦାରାର ଆବେଦନକୁ ପରୀକ୍ଷା ନିରୀକ୍ଷା କରି ଯାହା ନିଷ୍ପତ୍ତି ନେବେ ତାହା ସୁପ୍ରିମକୋର୍ଟକୁ ଜଣାଇ ଦିଆଯିବ । ଇତି ମଧ୍ୟରେ ଦାରାର ମୁକ୍ତି ପାଇଁ କେତେକ ସଂଗଠନ ପକ୍ଷରୁ ଭାରତର ରାଷ୍ଟ୍ରପତି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଆଦିଙ୍କୁ ସ୍ମାରକପତ୍ରମାନ ଦିଆଯାଇଛି । ଏଥିରେ ଯୁକ୍ତି ଦର୍ଶାଯାଇଛି ଯେ ସାଧାରଣତଃ ଆଜୀବନ କାରାଦଣ୍ଡ ଭୋଗୁଥିବା ଅପରାଧିମାନଙ୍କୁ ୧୪ବର୍ଷ ପରେ କାରାମୁକ୍ତ କରାଯାଉଥିବାବେଳେ ଦାରା କିନ୍ତୁ ପ୍ରାୟ ୨୬ବର୍ଷ ଧରି ଜେଲରେ ରହିଛି । ସେ ଏବେ କେନ୍ଦୁଝର ଜେଲରେ ସଜା କାଟୁଛି ।
ଯେଉଁ ପ୍ରକରଣରେ ମହେନ୍ଦ୍ର ହେମ୍ବ୍ରମକୁ କାରାମୁକ୍ତ କରାଯାଇଛି ସେହି ଅନୁଯାୟୀ ଦାରାକୁ ମଧ୍ୟ କାରାମୁକ୍ତ କରିବାଲାଗି ଦାବି ଉଠୁଛି । ଦାରା ପକ୍ଷରୁ ଦାଏର କରାଯାଇଥିବା ପିଟିସନରେ ସେ ଅନୁତାପ କରୁଥିବା ଉଲ୍ଲେଖ କରାଯାଇଛି । ଯୁବକ ସମୟରେ ସେ ଘଟାଇଥିବା ଏହି ଅପରାଧ ପାଇଁ ଗଭୀର ଅନୁତପ୍ତ ବୋଲି ଉଲ୍ଲେଖକରି ଏବେ ସେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବାରୁ ତାକୁ ମୁକ୍ତି ଦେବାପାଇଁ ସେ ନିବେଦନ କରିଆସୁଛି ।
ଏଠାରେ ଉଲ୍ଲେଖନୀୟ ଯେ ଏହି ସ୍ପର୍ଶକାତର ମାମଲାରେ ଯେଉଁମାନଙ୍କୁ ଦଣ୍ଡାଦେଶ ହୋଇଥିଲା ସେମାନଙ୍କ ଭିତରୁ ଅଧିକାଂଶ ହାଇକୋର୍ଟରୁ ଖଲାସ ହୋଇଯାଇଥିବାବେଳେ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଦାରା ଆଜୀବନ କାରାଦଣ୍ଡ ଭୋଗୁଛି ଏବଂ ତାହାର ଅନ୍ୟତମ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମକୁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କାରାମୁକ୍ତ କରାଯାଇଛି । ଏହି ପ୍ରସଙ୍ଗ ଜାତୀୟ ଓ ଆର୍ନ୍ତଜାତିକ ସ୍ତରରେ କ’ଣ ପ୍ରଭାବ ପକାଇବ ତାହାକୁ ଆଖିଆଗରେ ରଖି ସରକାରୀ ସ୍ତରରେ ଆଇନାନୁମୋଦିତ ପନ୍ଥାରେ ମାପି ଚୁପି ନିଷ୍ପତ୍ତି ନିଆଯାଉଥିବା କୁହାଯାଉଛି । (ତଥ୍ୟ)

