Home Excise ମଦ ଆମଦାନି କମାଇବ ନୂଆ ମଦ କାରଖାନା

ମଦ ଆମଦାନି କମାଇବ ନୂଆ ମଦ କାରଖାନା

ଭୁବନେଶ୍ୱର : ମଦୁଆଙ୍କ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଏବେ ବାହାରୁ ବାର୍ଷିକ ୩ କୋଟି ଲିଟରରୁ ଅଧିକ ମଦ ଆମଦାନି କରୁଛି । ଓଡ଼ିଶା ସରକାର ତିନୋଟି ନୂଆ ମଦ କାରଖାନା ପ୍ରତିଷ୍ଠା କରିବା ଲାଗି ଯେଉଁ ଯୋଜନା ରଖିଛନ୍ତି ତାହା କାର୍ଯ୍ୟକାରୀ ହେଲେ ଅନ୍ତତଃପକ୍ଷେ ମଦ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହୋଇପାରିବ ବୋଲି ଆଶା କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଗତ ୫ବର୍ଷ ଭିତରେ ଓଡ଼ିଶାର ମଦ ଆବଶ୍ୟକତା ସରକାରୀ ଲାଇସେନ୍ସପ୍ରାପ୍ତ ସଂସ୍ଥାଗୁଡ଼ିକ ପାଇଁ ପ୍ରାୟ ଦୁଇଗଣ ବଢ଼ିଛି । ୨୦୨୦-୨୧ ବର୍ଷରେ ଏଥିପାଇଁ ରାଜ୍ୟ ଭିତରୁ ଓ ବାହାରୁ ପ୍ରାୟ ୨୦ କୋଟି ଲିଟର ବିଶୁଦ୍ଧ ମଦ ସଂଗ୍ରହ କରାଯାଇଥିବାବେଳେ ୨୦୨୪-୨୫ ବର୍ଷରେ ଏହାର ପରିମାଣ ୪୦ କୋଟି ଲିଟରକୁ ଟପିଥିବା ସରକାରୀ ସୂତ୍ର କହୁଛି । ରାଜ୍ୟ ବିଧାନସଭାରେ ଖୋଦ୍‍ ଅବକାରୀ ମନ୍ତ୍ରୀ ଦେଇଥିବା ପରିସଂଖ୍ୟାନରୁ ଏହା ଜଣାପଡିଛି ।

୨୦୨୦-୨୧ ବର୍ଷରେ ଓଡ଼ିଶାରେ ୫୪୩.୩୨ ଲକ୍ଷ ବଲକ୍‍ ଲିଟର ଭରାତ ତିଆରି ବିଦେଶୀ ମଦ ବିକ୍ରି ହୋଇଥିଲା । ଏଥିରୁ ରାଜ୍ୟ ବାହାରୁ ୩୦.୪୫ ଲକ୍ଷ ବଲକ୍‍ ଲିଟର ଆମଦାନି କରାଯାଇଥିଲା । ସେହିଭଳି ଉକ୍ତ ବର୍ଷରେ ଓଡ଼ିଶାରେ ୪୭୧.୧୧ ଲକ୍ଷ ବଲକ୍‍ ଲିଟର ବିଅର ବିକ୍ରୟ ହୋଇଥିବାବେଳେ ସେଥିରୁ ବି ୮୩.୨୫ ଲକ୍ଷ ବଲକ୍‍ ଲିଟର ବାହାରୁ ଆମଦାନି ହୋଇଛି । ତେବେ ଉକ୍ତ ବର୍ଷରେ ଲାଇସେନ୍ସ ପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ ୮୨.୫୩ ଲକ୍ଷ ବଲକ୍‍ ଲିଟର ଦେଶୀ ମଦ ଓ ୯୦୯.୮ଲକ୍ଷ ବଲକ୍‍ ଲିଟର ବାହାର ଭାଟି ମଦ ମଧ୍ୟ ବିକ୍ରୟ କରାଯାଇଛି । ମୋଟାମୋଟି ଭାବେ ଉକ୍ତ ବର୍ଷରେ ରାଜ୍ୟରେ ୨୦୦୬.୭୬ ଲକ୍ଷ ବଲକ୍‍ ଲିଟର ମଦ ବିକ୍ରୟ କରାଯାଇଛି ।

ମଦ ଓ ଅନ୍ୟାନ୍ୟ ନିଶାର କାରବାର ଉଦ୍‍ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ତାହା ରାଜ୍ୟ ପାଇଁ ବିନାସର କାରଣ ହେଉଛି । ଓଡ଼ିଶା ସରକାର ଏହି ସମସ୍ୟାର ନିରାକରଣ ପାଇଁ ‘ନିଶା ନୁହେଁ ଜୀବନ ଚାହୁଁ’ ଅଭିଯାନ ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟରେ ଜନସଚେତନତା ସୃଷ୍ଟି କରୁଥିବା ସରକାର କହୁଛନ୍ତି । ଏହାଛଡ଼ା ନିଶାମୁକ୍ତ ଭାରତ ଅଭିଯାନରେ କେନ୍ଦ୍ର ସରକାର ଓଡ଼ିଶାର ୩୦ଟି ଯାକ ଜିଲ୍ଲାକୁ ସାମିଲ କରି ମଧ୍ୟ ନିଶାମୁକ୍ତି ଅଭିଯାନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଅଭିଯାନ ଚାଲିଥିବାବେଳେ ରାଜ୍ୟରେ ମଦ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀର ଚୋରା ଓ ସରକାରୀ ଲାଇସେନ୍ସପ୍ରାପ୍ତ କାରବାର ବଢ଼ିବଢ଼ି ଚାଲିଛି । ମଦ ଦୋକାନୀମାନଙ୍କୁ ଦିଆଯାଉଥିବା ସର୍ବନିମ୍ନ ଗ୍ୟାରେଣ୍ଟି କୋଟାରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି ।

ସରକାରୀ ତଥ୍ୟ ମୁତାବକ ଓଡ଼ିଶାରେ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକରେ ମଦ ବିକ୍ରୟ କିନ୍ତୁ ବଢ଼ୁଛି । ୨୦୨୩-୨୪ ବର୍ଷରେ ୩୬୮୫.୫୬ଲକ୍ଷ ବଲକ୍‍ ଲିଟର ମଦ ସରକାରୀ ସ୍ୱୀକୃତିପ୍ରାପ୍ତ ଆଉଟ୍‍ଲେଟ୍‍ଗୁଡ଼ିକ ମାଧ୍ୟମରେ ବିକ୍ରୟ ହୋଇଛି । ୨୦୨୪-୨୫ବର୍ଷରେ କିନ୍ତୁ ଏହାର ପରିମାଣ ବୃଦ୍ଧି ପାଇ ୪୦୧୭.୦୭ ଲକ୍ଷ ବଲକ୍‍ ଲିଟରରେ ପହଞ୍ଚିଛି ।

୨୦୨୪-୨୫ ବର୍ଷରେ ସରକାରୀ ସ୍ୱୀକୃତିପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ ୮୪୦.୩ଲକ୍ଷ ବଲକ୍‍ ଲିଟର ଭାରତ ତିଆରି ବିଦେଶୀ ମଦ ବିକ୍ରୟ ହୋଇଥିବା ବେଳେ ସେଥିରୁ ୬୩.୭୮ଲକ୍ଷ ବଲକ୍‍ ଲିଟର ବାହାରୁ ଆମଦାନି କରାଯାଇଛି । ସେହିଭଳି ଉକ୍ତ ବର୍ଷରେ ଓଡ଼ିଶାରେ ୧୬୭୮.୭୭ଲକ୍ଷ ବଲକ୍‍ ଲିଟର ବିଅର ବିକ୍ରୟ କରାଯାଇଥିବାବେଳେ ସେଥିରୁ ୨୪୬.୩୩ଲକ୍ଷ ବଲକ୍‍ ଲିଟର ବାହାରୁ ଅଣାଯାଇଛି । ଏହାଛଡ଼ା ଉକ୍ତ ବର୍ଷରେ ଆମ ରାଜ୍ୟରେ ୧୮୩.୨୮ ଲକ୍ଷ ବଲକ୍‍ ଲିଟର ଦେଶୀମଦ ଓ ୧୩୧୪.୭୨ ଲକ୍ଷ ବଲକ୍‍ ଲିଟର ବାହାର ଭାଟି ମଦ ମଧ୍ୟ କାରବାର ହୋଇଛି । ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକରେ ଯେତେ ବିଶୁଦ୍ଧ ତଥା ଆଇନ୍‍ ସମ୍ମତ ମଦ ବିକ୍ରୟ ହେଉଛି ଚୋରା ମଦ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀର ପରିମାଣ ତାହାଠାରୁ ଅଧିକ ହେବ ବୋଲି ମଦମୁକ୍ତି ଅଭିଯାନ ସହ ଜଡ଼ିତ କର୍ମୀମାନେ କ୍ଷୋଭର ସହ କହୁଛନ୍ତି । (ତଥ୍ୟ)