Home Assembly ଚିଲିକା ପୋତି ହେବା ସରକାର ଜାଣିଛନ୍ତି

ଚିଲିକା ପୋତି ହେବା ସରକାର ଜାଣିଛନ୍ତି

ଭୁବନେଶ୍ୱର : ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ପୋତିହୋଇ ପଡୁଥିବା ସଂକ୍ରାନ୍ତରେ ରାଜ୍ୟ ସରକାର ଅବଗତ ଅଛନ୍ତି । ବିଧାନସଭାରେ ଏହା କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସଂଖୁଣ୍ଟିଆ ।

ଚିଲିକା ହ୍ରଦ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଚିଲିକା ଏକ ଅଗଭୀର ହ୍ରଦ । ଏହାର ଗଭୀରତା ସର୍ବନିମ୍ନ ୦.୩୮ ମିଟରରୁ ସର୍ବାଧିକ ୬.୨୦ ମିଟର । ପ୍ରତିବର୍ଷ ହ୍ରଦ ଗର୍ଭକୁ ଏହାର ନଦୀ, ଉପନଦୀ ଓ ନାଳଦ୍ୱାରା ପ୍ରାୟ ୮ଲକ୍ଷ ଟନ୍‍ର ପଟୁମାଟି ପ୍ରବେଶ କରି ଏହାକୁ କିଛି ମାତ୍ରାରେ ପୋତି ଦେଉଛି ।

ଏଥି ସହିତ ଜଳବାୟୁ ପରିବର୍ତ୍ତନ, ଅଦିନିଆ ବର୍ଷା ଓ ପ୍ରାକୃତି ବିପର୍ଯ୍ୟୟ ଯଥା, ବନ୍ୟା, ବାତ୍ୟା ଯୋଗୁଁ ମଧ୍ୟ ପଟୁମାଟି ଚିଲିକା ଗର୍ଭରେ ପ୍ରବେଶ କରି ଚିଲିକାକୁ କିଛି ମାତ୍ରାରେ ପୋତି ଦେଇଥାଏ । ପ୍ରତିବର୍ଷ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ୩୩ଟିନିରୀକ୍ଷ କେନ୍ଦ୍ର ମାଧ୍ୟମର ୧୭ଟି ମାପକକୁ ନେଇ ଚିଲିକାରେ ଚାଲିଥିବା ଜଳର ମାନ ପରୀକ୍ଷଣ କରିଥାନ୍ତି ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ଆର୍ଥିକ ବର୍ଷରେ ପଙ୍କଉଦ୍ଧାର ଓ ଆନ୍ତଃନଳୀ ଖୋଳା କାର୍ଯ୍ୟକ୍ରମ ଜାରି ରହିଛି । ବିଗତ ୫ବର୍ଷ ମଧ୍ୟରେ ୩,୨୬,୭୧୬ କ୍ୟୁବିକ ମିଟର ପଟୁମାଟି ଖନନ କରାଯାଇଛି ଓ ଅନ୍ତଃନାଳୀର ପୁନରୁଦ୍ଧାର ମଧ୍ୟ କରାଯାଇଅଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମାସିକ ମତ୍ସ୍ୟ ଉତ୍ପାଦନତଥ୍ୟରୁ ଜଣାଯାଏ ଯେ ଚିଲିକା ହ୍ରଦରୁ ମାଛ, ଚିଙ୍ଗୁଡି ଓ କଙ୍କଡା ଆଦିର ଉତ୍ପାଦନ ସ୍ଥିର ରହିଅଛି । ବର୍ତ୍ତମାନପର୍ଯ୍ୟନ୍ତ ଏହାର ପାଶ୍ୱର୍ବର୍ତ୍ତୀ ଗାଁ ଗୁଡିକ ପ୍ରତି ବିପଦ ଆସିନାହିଁ ।

ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଏହାର ପ୍ରତିକାର ସହିତ ଚିଲିକା ହ୍ରଦର ସୁରକ୍ଷ ଓ ତାର ପରିସଂସ୍ଥାର ପୁନରୁଦ୍ଧାର ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ଇତିମଧ୍ୟରେ ସରକାରୀ ସ୍ତରରେ ଏହା ଅନୁମୋଦିତ ହୋଇଛି ଯେ ଆଇଆଇଟି ଚେନ୍ନାଇର ବୈଷୟିକ ପରାମର୍ଶକ୍ରମେ ଏକ ଦିର୍ଘ ମିଆଦୀ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରାଯିବ । (ତଥ୍ୟ)