Home Administration ଓଏଏସ୍‍ ପଦୋନ୍ନତିରେ ବାଧକ ବରିଷ୍ଠତା ତାଲିକା

ଓଏଏସ୍‍ ପଦୋନ୍ନତିରେ ବାଧକ ବରିଷ୍ଠତା ତାଲିକା

ଭୁବନେଶ୍ୱର : ମାମଲା ଛିଣ୍ଡୁନଥିବାରୁ ଓଡ଼ିଶା ପ୍ରଶାସନିକ ସେବା କ୍ୟାଡରରେ ବରିଷ୍ଠତା ତାଲିକା ଚୂଡ଼ାନ୍ତ ହୋଇପାରୁ ନାହିଁ । ଏଥିଯୋଗୁ ଓଏଏସ୍‍ ସିନିଅର ବ୍ରାଞ୍ଚର ବିଭିନ୍ନ ପାହ୍ୟାକୁ ପଦୋନ୍ନତି ଦେବାରେ ବିଳମ୍ବ ଘଟୁଛି ।

ବିଶେଷକରି ଡେପୁଟି ସେକ୍ରେଟାରୀଠାରୁ ସ୍ପେଶାଲ ସେକ୍ରେଟାରୀ ପର୍ଯ୍ୟନ୍ତ ଓଡ଼ିଶା ପ୍ରଶାସନିକ ସେବାର ଅନେକ ପଦବୀ ପୂରଣ ହେବାରେ ଏଥିଯୋଗୁ ସମସ୍ୟା ଉପୁଜୁଛି ଏବଂ ଅନେକ ଅଧିକାରୀ ପଦୋନ୍ନତି ନପାଇ ମଧ୍ୟ ଅବସର ଗ୍ରହଣ କରୁଛନ୍ତି । ଏଥିଘେନି ସାଧାରଣ ପ୍ରଶାସନ ଏବଂ ରାଜସ୍ୱ ବିଭାଗ ଚିନ୍ତାବ୍ୟକ୍ତ କରୁଥିଲେ ମଧ୍ୟ ଓଏଏସ୍‍ ଜୁନିଅର ବ୍ରାଞ୍ଚରୁ ସିନିଅର ବ୍ରାଞ୍ଚକୁ ପଦୋନ୍ନତି ଦେଇପାରୁ ନାହାନ୍ତି ।

ଓଏଏସ୍‍ ଜୁନିଅର ବ୍ରାଞ୍ଚରେ ପଦବୀଗୁଡ଼ିକ ପ୍ରତ୍ୟକ୍ଷ ନିଯୁକ୍ତି, ପଦୋନ୍ନତି ଓ ଅନ୍ୟ କ୍ୟାଡର୍‍ର ଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା ପୂରଣ ହୋଇଥାଏ । ପ୍ରତିବର୍ଷ ଓଏଏସ୍‍ ନିଯୁକ୍ତି ଲାଗି ଆଇନ୍‍ରେ ସ୍ପଷ୍ଟ ବ୍ୟବସ୍ଥା ଥିବାବେଳେ ସବୁ ବର୍ଷ କିନ୍ତୁ ଏହି ତିନୋଟି ସୂତ୍ରରୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଓଏଏସ୍‍ ନିଯୁକ୍ତି କରାଯାଉ ନାହିଁ । ଏଥିଯୋଗୁ ଅତୀତରେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ଭିତରେ ବରିଷ୍ଠତା ଘେନି ବିବାଦ ରହିଥିଲା । ପ୍ରଶାସନିକ ସ୍ତରରେ ବିବାଦର ସମାଧାନ ହୋଇନପାରିବାରୁ ନ୍ୟାୟ ପାଇଁ କେତେକ ଅଧିକାରୀ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ସମସ୍ୟା ସଂପର୍କରେ ଅବହିତ ଅଛନ୍ତି । ବରିଷ୍ଠତା ତାଲିକା ପ୍ରକାଶ କରିବା ପାଇଁ ଅଦାଲତରୁ ସ୍ପଷ୍ଟ ଅନୁମତି ମିଳିବା ପରେ ପରେ ଆଇନ୍‍ ଅନୁଯାୟୀ ସିନିଅର ବ୍ରାଞ୍ଚକୁ ପଦୋନ୍ନତି ଲାଗି ଡିପିସି ତୁରନ୍ତ ବସାଯାଇପାରିବ । କିନ୍ତୁ ଅଦାଲତି ବିବାଦ ଯୋଗୁ ବରିଷ୍ଠତା ତାଲିକା ଚୂଡ଼ାନ୍ତ ହୋଇପାରୁନଥିବାରୁ ସମସ୍ୟା ଲାଗି ରହିଛି ।

ଫଳରେ ଓଏଏସ୍‍ ସିନିଅର ବ୍ରାଞ୍ଚର ତଳ ପାହ୍ୟାରେ ଖାଲି ଥିବା ଶତାଧିକ ପଦବୀ ପୂରଣ ହୋଇପାରୁ ନାହିଁ । ଏହି ପଦବୀ ସବୁ ପୂରଣ ହେଲେ ତାହାର ଉପର ପାହ୍ୟାରେ ଖାଲି ପଡିଥିବା ଅନେକ ଓଏଏସ୍‍ ପଦବୀ ସହଜରେ ପୂରଣ କରାଯାଇପାରିବ । ଏ ପ୍ରସଂଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ବର୍ଷେ ହେବ ଆଇନ୍‍ଗତ ପରାମର୍ଶ ଲୋଡ଼ାଯାଇଛି । ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ବି ଚିଠି ଲେଖୁଛନ୍ତି । ତେବେ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଆଇନ୍‍ଗତ ପରାମର୍ଶ ମିଳିପାରୁ ନାହିଁ । ସମସ୍ତଙ୍କ ଅପେକ୍ଷା ରହିଛି ଅଦାଲତଙ୍କ ଚୂଡ଼ାନ୍ତ ରାୟ ଉପରେ ।

ଏଠାରେ ଉଲ୍ଲେଖନୀୟ ଯେ ଏବେ କିଛିବର୍ଷ ହେବ ରାଜ୍ୟ ସରକାର ଓଏଏସ୍‍ ପ୍ରତ୍ୟକ୍ଷ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଏହା ସହ ପ୍ରତିବର୍ଷ କିନ୍ତୁ ପଦୋନ୍ନତି ଭିତ୍ତିରେ ଓଏଏସ୍‍ ଜୁନିଅର ବ୍ରାଞ୍ଚର ସମସ୍ତ ଉଦ୍ଦିଷ୍ଟ ପଦବୀ ପୂରଣ ହେଉନାହିଁ । ଏ ପରିପ୍ରେକ୍ଷୀରେ ନିର୍ଦ୍ଦିଷ୍ଟ ବ୍ୟାଚ ବା ବର୍ଷ ପାଇଁ ଯେଉଁମାନେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିନ୍ନଭିନ୍ନ ସମୟରେ ପାଉଛନ୍ତି ସେମାନଙ୍କ ଭିତରୁ କେଉଁ ଗୋଷ୍ଠୀ ବରିଷ୍ଠତା ତାଲିକାରେ ଉପରେ ରହିବେ ଓ ଆଉ କିଏ ତଳେ ରହିବ ସେହି ପ୍ରସଂଗରେ କ୍ୟାଡର୍‍ ଭିତରେ ଘମାଘୋଟ ଆଇନ୍‍ଗତ ଲଢ଼େଇ ଚାଲିଛି । ଏ ପରିପ୍ରେକ୍ଷୀରେ ବହୁ ପଦବୀ ପୂରଣ ହୋଇପାରୁନଥିବାରୁ ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ଦାୟିତ୍ୱରେ ରଖିବାକୁ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି । ତେବେ ଖୁବ୍‍ଶୀଘ୍ର ଏହି ସମସ୍ୟାର ଅଦାଲତି ସମାଧାନ ହୋଇପାରେ ବୋଲି ଆଶାୟୀମାନେ କହୁଛନ୍ତି । (ତଥ୍ୟ)