ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ ଉତ୍ପାଦନ ବଢୁଥିବାବେଳେ ବିଦେଶକୁ ଏହାର ରପ୍ତାନି ପରିମାଣ ହ୍ରାସ ପାଇବାରେ ଲାଗିଛି । ରପ୍ତାନି ହ୍ରାସ ଫଳରେ ରାଜ୍ୟକୁ ମିଳୁଥିବା ବୈଦେଶିକ ମୁଦ୍ରା ହ୍ରାସ ପାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ରାଜ୍ୟରୁ ଇସ୍ପାତ ଉତ୍ପାଦନ ଓ ରପ୍ତାନି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷରୁ ଲଗାତାର ଭାବେ ଇସ୍ପାତ ଉତ୍ପାଦନ ବଢିବାରେ ଲାଗିଛି । ସେହିବର୍ଷ ରାଜ୍ୟରେ ୨୦.୫୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହା ୨୯.୬୫ ନିୟୁତ ଟନ୍ରେ ପହଞ୍ଚିଥିଲା ।
ତେବେ ଏହି ବର୍ଷଗୁଡିକରେ ରାଜ୍ୟ ଭିତରେ ଇସ୍ପାତ ଚାହିଦା ବଢିଚାଲିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ମାତ୍ର ୧.୪୫ ନିୟୁତ ଟନ୍ ଇସ୍ପାତ ଚାହିଦା ôବାବେଳେ ୨୦୨୪-୨୫ ବର୍ଷରେ ଏହା ୫.୭୩ ନିୟୁତ ଟନରେ ପହଞ୍ଚିଥିଲା । ରାଜ୍ୟ ବାହାରେ ବି ଅନୁରୂପ ଭାବେ ଇସ୍ପାତର ଚାହିଦା ବଢି ଚାଲିଛି । ୨୦୨୦-୨୧ ବର୍ଷରେ ରାଜ୍ୟ ବାହାରେ ୧୦.୭୬ ନିୟୁତଟନ୍ ଇସ୍ପାତ ଚାହିଦା ଥିବାବେଳେ ୨୦୨୪-୨୫ ବର୍ଷରେ ଏହି ପରିମାଣ ବୃଦ୍ଧି ପାଇ ୧୭.୪୩ ନିୟୁତ ଟନରେ ପହଞ୍ଚିଛି ।
କିନ୍ତୁ ରାଜ୍ୟରୁ ଇସ୍ପାତ ରପ୍ତାନି ପରିମାଣ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ୨୦୨୧-୨୨ ବର୍ଷରେ ଓଡିଶାରୁ ୪.୫୬ ନିୟୁତ ଟନ୍ ଇସ୍ପାତ ରପ୍ତାନି ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହା ୧ ନିୟୁତ ଟନ୍ରୁ ସାମାନ୍ୟ ଅଧିକ ରହିଥିଲା । ଏହା ପୂର୍ବବର୍ଷ ଅର୍ଥାତ୍ ୨୦୨୩-୨୪ ରେ ଓଡିଶାରୁ ୧.୬୭ ନିୟୁତ ଟନ୍ ଇସ୍ପାତ ରପ୍ତାନି ହୋଇଥିଲା ।
ଓଡିଶାରୁ ଉତ୍ପାଦିତ ହେଉଥିବା ଲୌହ ଏବଂ ଇସ୍ପାତ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ରପ୍ତାନି ହୋଇଥାଏ । ଏହିସବୁ ଦେଶ ମଧ୍ୟରେ ଆମେରିକା ଠାରୁ ଆରମ୍ଭ କରି ଚୀନ୍, କାନାଡା, ଓମାନ, ପେରୁ, ପୋଲାଣ୍ଡ, ଡେନମାର୍କ, ସୁଇଡେନ୍, ସୁଇଜରଲ୍ୟାଣ୍ଡ, ଋଷ୍, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ତାଇୱାନ, ଇଂଲଣ୍ଡ ଭଳି ଅନେକ ଛୋଟ ବଡ ଦେଶ ରହିଛନ୍ତି ।
ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୨୦୨୦-୨୧ ବର୍ଷରେ ବିଦେଶକୁ ୨୦,୨୯୯ କୋଟି ଟଙ୍କାର ଲୌହ ଓ ଇସ୍ପାତ ରପ୍ତାନି ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହିସବୁ ସାମଗ୍ରୀର ରପ୍ତାନି ହ୍ରାସ ପାଇବା ଯୋଗୁଁ ୧୬,୫୭୪ କୋଟି ଟଙ୍କା ଆୟ ହୋଇଥିଲା । ବର୍ଷକୁ ବର୍ଷ ଲୌହ ଓ ଇସ୍ପାତର ରପ୍ତାନି ପରିମାଣ ହ୍ରାସ ପାଇବା ଫଳରେ ଏଥିରୁ ଓଡିଶା ରାଜକୋଷକୁ ମିଳୁଥିବା ଟିକସ ମଧ୍ୟ ହ୍ରାସ ପାଇବାରେ ଲାଗିଛି । (ତଥ୍ୟ)

