ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୫୬ ହଜାରରୁ ଅଧିକ ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସଡକ ଦୁର୍ଘଟଣାରେ ମୃତ ଓ ଆହତମାନଙ୍କୁ ସରକାର କ୍ଷତିପୂରଣ ବାବଦରେ ୨୩ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି । ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୦ ରୁ ୨୦୨୪ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ୍ ୫୬,୮୮୪ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମୋଟ୍ ୨୭,୧୬୭ ଜଣ ମୃତ୍ୟୁବରଣ କରିଛନ୍ତି । କ୍ଷତିପୂରଣ ବାବଦରେ ଆହତ ବ୍ୟକ୍ତି ଓ ମୃତକଙ୍କ ସମ୍ପର୍କୀୟଙ୍କୁ ୨୩ କୋଟି ୧୭ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ଏହି ୫ବର୍ଷ ମଧ୍ୟରେ ସଡକ ସୁରକ୍ଷା ବାବଦରେ ସରକାର ୮୯ କୋଟି ୭୩ଲକ୍ଷ ଟଙ୍କା ବ୍ୟୟ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ ସଡକ ଦୁର୍ଘଟଣା ରୋକିବାପାଇଁ ଲୋକଙ୍କମାନଙ୍କୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବ୍ୟାପକ ଭାବେ ସଚେତନ କରାଯାଉଛି ।
ଭାରୀଯାନ ଚାଳକମାନଙ୍କୁ ସୁବାହକ ଯୋଜନାରେ ତାଲିମ ଦିଆଯିବା ସହିତ ପିକ୍ନିକ୍ ଋତୁରେ ସଡକ ସୁରକ୍ଷାକୁ ଦୃଷ୍ଟରେôର ଏସଓପି ପ୍ରଣୟନ କରାଯାଇଛି । ସଡକ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩୭ଟି ଇଣ୍ଟରସେପ୍ଟର ଓ ୩୮ଟି ହାଇୱେ ପେଟ୍ରୋଲିଂ ଯାନ ମୁତୟନ କରାଯାଇଛି ।

