Home Judiciary ସୁପ୍ରିମକୋର୍ଟରେ ନାହାନ୍ତି ଓଡ଼ିଆ ବିଚାରପତି

ସୁପ୍ରିମକୋର୍ଟରେ ନାହାନ୍ତି ଓଡ଼ିଆ ବିଚାରପତି

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧୫ଟି ବିଚାରପତି ପଦବୀ ଖାଲି ପଡିଥିବାବେଳେ ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ କେହି ଓଡ଼ିଆ ବିଚାରପତି ବା ମୁୁଖ୍ୟମନ୍ତ୍ରୀ ବିଚାରପତି ନାହାନ୍ତି । ଏହାଛଡ଼ା ଅନ୍ୟ କୌଣସି ରାଜ୍ୟ ହାଇକୋର୍ଟରେ ଏବେ କେହି ଓଡ଼ିଆ ବି ମୁଖ୍ୟ ବିଚାରପତି ଭାବେ କାମ କରୁ ନାହାନ୍ତି ।

ଓଡ଼ିଶାହାଇକୋର୍ଟ ପାଇଁ ୩୪ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଛି । ଏଥିରେ ଏବେ ୧୯ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି । ଆସନ୍ତାବର୍ଷ ଆଉ କେତେଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି । ରାଜ୍ୟ ହାଇକୋର୍ଟରେ ମାମଲା ସଂଖ୍ୟା ଦୃଷ୍ଟିରୁ ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତିର ଆବଶ୍ୟକତା ଥିବାବେଳେ ଯେତିକିଟି ଅନୁମୋଦିତ ବିଚାରପତି ପଦବୀ ରହିଛି ତାହା ବି ସଂପୂର୍ଣ୍ଣ ଭାବେ ପୂରଣ ହେଇପାରୁ ନାହିଁ । ଏ ପ୍ରସଂଗରେ ଆଇନ୍‍ଜୀବୀମାନେ ବିଭିନ୍ନ ଫୋରମ୍‍ ମାଧ୍ୟମରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ବିଶେଷ କିଛି ସୁଫଳ ହେଉନାହୌିଁ । ଗୋଟିଏ ପଟେ ବିଚାରପତି ପଦବୀ ପୂରଣ କ୍ଷେତ୍ରରେ ବିଳମ୍ବ କରାଯାଉଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକାର (ସ୍ୟାଟ୍‍)କୁ ଉଚ୍ଛେଦ କରି ଏଠାରେ ରୁଜୁ ହେଉଥିବା ବିଭିନ୍ନ କିସମର ମାମଲାର ଚାପ ବଢ଼ାଇଛନ୍ତି ।

ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଦୀପକ ମିଶ୍ରଙ୍କ ଭଳି ବିଚାରପତିମାନେ ଦକ୍ଷତାର ସହ କାମ କରିଛନ୍ତି । ଏମାନେ ସମସ୍ତେ ଓଡ଼ିଆ ଏବଂ ଓଡ଼ିଶା ହାଇକୋର୍ଟ ସମେତ ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାମ କରିବାର ଅଭିଜ୍ଞତା ରଖିଥିଲେ । ଏମାନଙ୍କ ଛଡ଼ା ଓଡ଼ିଶାର ଆଉ ଅନେକ ବିଚାରପତି ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଷ୍ଠାର ସହ କାର୍ଯ୍ୟ କରିଯାଇଛନ୍ତି ।

ବିଭିନ୍ନ ରାଜ୍ୟ ହାଇକୋର୍ଟରେ ଆଗରୁ ଅନେକ ଓଡ଼ିଆ ମୁଖ୍ୟ ବିଚାରପତି ଓ ବିଚାରପତି ଭାବେ ସଫଳତାର ସହ କାମ କରିବାର ନଜିର ରହିଛି । କିନ୍ତୁ ଏବେ ଜଣେ ହେଲେ ଓଡ଼ିଆ ସୁପ୍ରିମକୋର୍ଟର ବିଚାରପତି କିମ୍ବା ଅନ୍ୟ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ବିଚାରପତି ନାହାନ୍ତି । ଓଡ଼ିଶା ହାଇକୋର୍ଟରେ ଖାଲି ପଡିଥିବା ସମସ୍ତ ବିଚାରପତି ପଦବୀ ନୂଆବର୍ଷ ପୂର୍ବରୁ ପୂରଣ କରିବା ସହିତ ଦକ୍ଷ ଓ ବରିଷ୍ଠ ଓଡ଼ିଆ ବିଚାରପତିମାନଙ୍କୁ ଅନ୍ୟ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ବାରମ୍ବାର ଦାବି ହେଉଛି ।

ଓଡ଼ିଶା ହାଇକୋର୍ଟରେ ଯେତେ ବିଚାରପତି ପଦବୀ ଖାଲି ପଡିଛି ତାହାକୁ ତୁରନ୍ତ ପୂରଣ କରାଗଲେ ବହୁ ଆଇନ୍‍ଜୀବୀ ଓ ଜିଲ୍ଲା ଜଜ୍‍ ହାଇକୋର୍ଟ ଜଜ୍‍ ଭାବେ ନିଯୁକ୍ତି ପାଇପାରନ୍ତେ । ଗୋଟିଏ ପଟେ ବିଚାରପତି ପଦବୀ ବର୍ଷବର୍ଷ ଧରି ଖାଲି ପଡୁଥିବାବେଳେ ଅନ୍ୟପଟେ ମାମଲାର ବୋଝ ବଢ଼ି ଚାଲିଛି । ଜିଲ୍ଲା ସ୍ତରରୁ ମୁନ୍‍ସିଫ୍‍ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ବି ଅନେକ ବିଚାରପତି ପଦବୀ ଓଡ଼ିଶାରେ ଖାଲି ରହିଛି । ଅନ୍ୟପଟେ ଆମ ରାଜ୍ୟର ବିଚାରାଳୟମାନଙ୍କରେ ପ୍ରାୟ ୨୨ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ, ସେଥିରୁ କେତେକ ଦଶନ୍ଧି ଦଶନ୍ଧି ଧରି ପୁରୁଷାନୁକ୍ରମେ ଗଡ଼ି ଚାଲିଛି । ଅନ୍ତତଃପକ୍ଷେ ୨୦୦୦ ମସିହା ପୂର୍ବରୁ ରୁଜୁ ହୋଇଥିବା ମାମଲାଗୁଡ଼ଇକୁ ଆସନ୍ତା ଜାନୁଆରୀ ସୁଦ୍ଧା ଶେଷ କରି ୨୦୧୫ ପର୍ଯ୍ୟନ୍ତ ଯେତେ ପୁରୁୁଣା ମାମଲା ରହିଛି ସେ ସବୁକୁ ୨୦୨୬ ଶେଷ ସୁଦ୍ଧା ଫଇସଲା କରାଯିବା ଉପରେ ଅଭିଜ୍ଞ ଆଇନ୍‍ଜୀବୀମାନେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସର୍ବପ୍ରଥମେ ଖାଲି ପଡିଥିବା ତଳୁ ଉପର ପର୍ଯ୍ୟନ୍ତ ବିଚାରପତି ପଦଗୁଡ଼ିକ ପୂରଣ ହେବା ଏକାନ୍ତ ଜରୁରୀ ବୋଲି କୁହାଯାଉଛି । (ତଥ୍ୟ)