ଭୁବନେଶ୍ୱର : ପଞ୍ଚମ ଜାତୀୟ ଅଡିଟ ସପ୍ତାହ ପାଳନ ଅବସରରେ ଆଜି ଦେଶର ପ୍ରଥମ ଅଡିଟ ଅଦାଲତ ଓଡ଼ିଶାର ପ୍ରଧାନ ମହାଲେଖାକାର ଅଡିଟ-1 ସୁବୁ. ଆରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି l ଓଡିଶା ସରକାରଙ୍କ ଛଅଟି ବିଭାଗ – ମହିଳା ଏବଂ ଶିଶୁ ବିକାଶ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଅବକାରୀ ଏବଂ ଗ୍ରାମୀଣ ବିକାଶ ସହିତ ଜଡିତ ଦୀର୍ଘକାଳୀନ ଯାଞ୍ଚ ରିପୋର୍ଟ ପାରାଗୁଡ଼ିକୁ ସମୀକ୍ଷା ଏବଂ ସମ୍ପୃକ୍ତ ବିଭାଗ ଦ୍ୱାରା ତଦାରଖ କରିବା ପାଇଁ ଏକ ଅଡିଟ୍ ଅଦାଲତ ଆୟୋଜନ କରା ଯାଇଥିଲା ।
ଏହି ଅଦାଲତରେ ଉପ ମହାଲେଖାକାରଅଡିଟ ବେନୋଥ ରାକେଶ ନାୟକ ଏବଂ ଶ୍ରୀ ବିମଲେଶ କୁମାର ସଂଯୋଜନା କରିଥିଲେ।
ଅଡିଟ୍ ଅଦାଲତର ଉଦ୍ଦେଶ୍ୟ ଥିଲା ସମ୍ପୃକ୍ତ ବିଭାଗ ସହିତ ଜଡିତ ପୁରୁଣା IR ପାରାଗୁଡ଼ିକୁ ତଦାରକ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତରଣ କରିବା ଯାହା ଦ୍ୱାରା ବିଭାଗୀୟ ସ୍ତରରେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନିଆଯାଇପାରିବ ।
ବିଭାଗଗୁଡ଼ିକୁ ସମୟୋଚିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା, ଆଭ୍ୟନ୍ତରୀଣ ନିୟନ୍ତ୍ରଣକୁ ସୁଦୃଢ଼ କରିବା ଏବଂ ବାକି ଥିବା ଅଡିଟ୍ ପାରା ଗୁଡିକ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରା ଯାଇ ଥିଲା ।
ଅଡିଟ୍ ଅଦାଲତ ସମୟରେ, ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଭାରତର ମହା ଲେଖା ନିୟନ୍ତ୍ରକ ଏବଂ ମହା ସମୀକ୍ଷକଙ୍କ ଏକ ନୂତନ ପଦକ୍ଷେପ ଯାହାକି ବର୍ଷ ବର୍ଷ ଧରି ପଡିରହିଥିବା ପୁରୁଣା ଅଡିଟ ପାରା ଗୁଡିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ l ନୂତନ ଭାବେ ପ୍ରସ୍ତୁତ କରାଯାଇ ଥିବା ସଫ୍ଟୱାର ‘CAG-Connect’ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା – ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ଏହା ହେଉଛି ଏକ ଡିଜିଟାଲ ପ୍ଲାଟଫର୍ମ ଯାହାଦ୍ୱାରା ବିଭାଗଗୁଡ଼ିକୁ ଅନଲାଇନରେ ଅଡିଟ୍ ପାରାଗୁଡ଼ିକର ଅନୁପାଳନ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ସକ୍ଷମ ହେବେ, ଯାହା ଦ୍ରୁତ ଯୋଗାଯୋଗ, ସ୍ୱଚ୍ଛତା ଆଣିବାରେ ଏବଂ ସୁଗମ ତଦାରଖ ସୁନିଶ୍ଚିତ କରିବ । ଏହି ନୂତନ ଆପ୍ଲିକେସନ ଅଡିଟ୍ ଅନୁସରଣ ପ୍ରକ୍ରିୟାଗୁଡ଼ିକର ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ବର୍ତ୍ତମାନ ଚାଲୁଥିବା OCAMP ସିଷ୍ଟମର ସ୍ଥାନ ନେବ l
ଏଣିକି ପ୍ରତି ମାସ ୨୫ତାରିଖରେ ଅନଲାଇନ ସିଏଜି କନେକ୍ଟ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗମାନେ ଅଡିଟ ପାରା ସମ୍ବନ୍ଧରେ ଏଜିକୁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ l ଏହି ଅଦାଲତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ୍., ସ୍ୱତନ୍ତ୍ର ଶାସନ ସଚିବ ବିଜୟ କୁମାର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ଶାସନ ସଚିବ ଯାମିନି ଷଡ଼ଙ୍ଗୀ ଓ ଛଅଟି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଅଡିଟ ପାରାର ତ୍ରୁଟି, ବିଚ୍ୟୁତି ଏହାର ସମାଧାନ ଉପରେ ନିଜର ମତାମତ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରଧାନ ମହଲେଖାକାରଙ୍କ ସଚିବ ଶ୍ରୀମନ୍ତ କୁମାର ପଣ୍ଡା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଉପେନ୍ଦ୍ର ନାରାୟଣ ଦାସ, ସୁକାନ୍ତି ପ୍ରଭା ଦାସ, ପ୍ରିୟଦର୍ଶନ କାନୁନଗୋ ଓ ଅନ୍ୟମାନେ ପରିଚାଳନା କରିଥିଲେ l

