Home Health ଶିଶୁ ଖାଦ୍ୟର ମାନ ଯାଞ୍ଚ ହେଉ

ଶିଶୁ ଖାଦ୍ୟର ମାନ ଯାଞ୍ଚ ହେଉ

ଭୁବନେଶ୍ୱର : ବିହାରରେ କେତେକ ନମୁନାରୁ ମା’କ୍ଷୀରରେ ୟୁରାନିୟମ ଥିବା ଜଣାପଡିବା ପରେ ଏ ପ୍ରସଂଗରେ ଓଡ଼ିଶାରେ ବି ପରୀକ୍ଷା ନିରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ମା’କ୍ଷୀରରେ ୟୁରାନିୟମ ରହିଲେ ଶିଶୁମାନଙ୍କୁ କ୍ୟାନସର ସମେତ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଥିବା ପରିପ୍ରେକ୍ଷୀରେ ଏହା ଉପରେ ଓଡ଼ିଶା ସମେତ ସାରା ଦେଶରେ ଗବେଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଗୋଟିଏ ସମୟରେ ଶିଶୁ ଓ ମାତୃ ମୃତ୍ୟହାର ଉଦ୍‍ବେଗଜନକ ଥିଲା । ଗତ କିଛିବର୍ଷ ମଧ୍ୟରେ ଏହି ହାର କମୁଥିବା କୁହାଯାଉଛି । ବିଶେଷକରି କିଶୋରୀ, ମା’ ଓ ଶିଶୁମାନଙ୍କୁ ବିଭିନ୍ନ କିସମର ପୋଷଣ ଯୁକ୍ତ ଖାଦ୍ୟ ଓ ଔଷଧପତ୍ର ସରକାର ମାଗଣାରେ ଯୋଗାଇଦେବା ସହିତ ବିଦ୍ୟାଳୟ ଓ ଅଙ୍ଗନବାଡ଼ିଗୁଡ଼ିକରେ ମାଗଣା ଖାଦ୍ୟ ପରିବେଷଣ କରିବାରୁ ଏକ୍ଷେତ୍ରରେ ପ୍ରଗତି ଆସୁଛି । ଏହା ସତ୍ତ୍ୱେ ବି ଓଡ଼ିଶାରେ ମହିଳା ଓ ଶିଶୁମାନଙ୍କ ଭିତରେ ପୁଷ୍ଟିହୀନତା, ରକ୍ତହୌୀନତାର ଆଦିର ପ୍ରାଦୁର୍ଭାବ ରହିଛି ।

ଶିଶୁ ଓ ମା’ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଯୋଗାଇ ଦେଉଥିବା ଏବଂ ବଜାରରେ ଉପଲବ୍ଧ ହେଉଥିବା ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ଔଷଧପତ୍ରରେ କ’ଣସବୁ ଉପାଦାନ ରହୁଛି ତା’ର ନିୟମିତ ଯାଞ୍ଚ ଲାଗି ବିଭିନ୍ନ ମହଲରୁ ବାରମ୍ବାର ଦାବି ଉଠୁଛି । ବିଶେଷକରି ଅତ୍ୟଧିକ ରାସାୟନିକ ସାର, ହରମୋନ୍‍ ଓ କୀଟନାଶକ ପ୍ରୟୋଗ, ଖାଦ୍ୟ ଶସ୍ୟ ସଂରକ୍ଷଣ ଲାଗି ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ, ପାନୀୟ ଜଳ ଆଦିରେ କ’ଣସବୁ ପ୍ରତିକୂଳ ଉପାଦାନମାନ ରହୁଛି ତାହାର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ । ଏହାଛଡ଼ା ମାଛ, ଅଣ୍ଡା, ଚିଙ୍ଗୁଡ଼ି, ମାଂସ ଆଦିର ଉତ୍ପାଦନ ବଢ଼ାଇବା ପାଇଁ ପ୍ରୟୋଗ କରାଯାଉଥିବା ରାସାୟନିକ ପଦାର୍ଥର ଶରୀର ଉପରେ କିପରି ପ୍ରତିକୂଳ ପ୍ରଭାବ ପକାଉଛି ତାହା ଉପରେ ଅନଧ୍ୟାନ ଲାଗି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ଏହାଛଡ଼ା ମା’ ଓ ଶିଶୁମାନଙ୍କ ଦିଆଯାଉଥିବା ଦୁଗ୍ଧ, ଛେନା ଆଦିର ଗୁଣବତ୍ତା ମଧ୍ୟ ନିୟମିତ ପରୀକ୍ଷା ହେବା ଆବଶ୍ୟକ ।

ଓଡ଼ିଶାରେ ଏବେ ଶିଶୁମାନଙ୍କର ବିଭିନ୍ନ ରୋଗ ଦେଖାଦେଇଛି । ବର୍ଷକୁ ବର୍ଷ ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଚିକିତ୍ସା ବିଜ୍ଞାନୀମାନେ ଉଦ୍‍ବେଗର ସହ କହୁଛନ୍ତି । ଏହାର ନିରାକରଣ ଲାଗି ସର୍ବପ୍ରଥମେ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସଂଗେ ସଂଗେ ପାଶ୍ୱର୍ ପ୍ରତିକ୍ରିୟା ବିହୀନ ଖାଦ୍ୟ ପାନୀୟ କିଭଳି ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ସେ ଦିଗରେ ସମସ୍ତ ସରକାରୀ ସଂସ୍ଥା, ନିର୍ବାଚିତ ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ ଓ ସଚେତନ ନାଗରିକମାନେ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ ।

ଗତ କିଛିବର୍ଷ ମଧ୍ୟରେ ଅନ୍ୟ ରାଜ୍ୟମାନଙ୍କ ଭଳି ଓଡ଼ିଶାରେ ବି କ୍ୟାନ୍ସର, ହୃଦରୋଗ, କିଡ୍‍ନୀ, ଲିଭର., ଫୁସ୍‍ଫୁସ, ପାକସ୍ତଳୀ, ମସ୍ତିଷ୍କ ଜନିତ ଗୁରୁତର ରୋଗବ୍ୟାଧିମାନ ବଢ଼ିବାରେ ଲାଗିଛି । ଏହାର ଚିକିତ୍ସା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରୁଥିବାବେଳେ ବ୍ୟକ୍ତି, ପରିବାର ମଧ୍ୟ ଅର୍ଥ ଖର୍ଚ୍ଚ କରିକରି ନୟାନ୍ତ ହୋଇଯାଉଛନ୍ତି । ବିହାରରେ ମା’କ୍ଷୀରରୁ ୟୁରାନିୟମ କଣିକା ସନ୍ଧାନ ହେବା ପରେ ଓଡ଼ିଶାରେ ଖାଦ୍ୟ ସାମଗ୍ରୀଗୁଡ଼ିକର ସଠିକ୍‍ ଯାଞ୍ଚ ଉପରେ ପରିବେଶ ବିଜ୍ଞାନୀ ଓ ଚିକିତ୍ସା ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି ।