ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପରିମାଣ ଗତବର୍ଷ ତୁଳନାରେ ବଢିବାର ଥିବାରୁ ଉଷୁନା ଚାଉଳକୁ ନେଇ ଚିନ୍ତା ବଢିବାରେ ଲାଗିଛି । ରାଜ୍ୟରୁ ସଂଗୃହୀତ ଧାନରୁ ପ୍ରାୟତଃ ଉଷୁନାଚାଉଳ ବାହାରୁଥିବାରୁ ଏହାକୁ ଏଫ୍ସିଆଇ ନେବାକୁ ରାଜି ହେଉନାହିଁ ।
୨୦୨୪-୨୫ ଖରିଫ ଋତୁରେ ରାଜ୍ୟ ସରକାର ୩୮୮୫ ପାକସ୍ ଜରିଆରେ ରାଜ୍ୟରୁ ୯୨.୬୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିଥିଲେ । ଏଥିରୁ ୬୨.୬୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗୃହୀତ ହୋଇଥିଲା । ଏହି ଚାଉଳ ମୁଖ୍ୟତଃ ଉଷୁନା ଚାଉଳ ।
ରାଜ୍ୟରୁ ଉତ୍ପାଦିତ ଚାଉଳକୁ ମାଗଣା ଚାଉଳ ବଣ୍ଟନ ଜରିଆରେ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବା ପରେ ଆହୁରି ପ୍ରାୟ ୧୩ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳି ପଡିଥିଲା । ଏହାକୁ ତୁରନ୍ତ ନେବାପାଇଁ ରାଜ୍ୟ ସରକାର ବାରମ୍ବାର ଭାରତୀୟ ଖାଦ୍ୟ ନିଗମକୁ ଅନୁରୋଧ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ । ନୂତନ ଚାଉଳ ଗୋଦାମକୁ ଆସିବା ପୂର୍ବରୁ ଏହି ଚାଉଳକୁ ହଟାଇବାପାଇଁ ଏବେ ୧୯ଟି ଜିଲ୍ଲାର ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋକରି ଚାଉଳ ପ୍ରଦାନ କରାଯାଉଛି । ଏହାପରେ ବି ଗୋଦାମରେ ଚାଉଳ ବଳି ପଡୁଥିବାରୁ ତାହାକୁ ନିଲାମ ପାଇଁ ଯୋଜନା ହେଉଛି । ହେଲେ କେତେ ଦରରେ ଏହାକୁ ନିଲାମ କରାଯିବା ତାହା ସ୍ଥିର ହୋଇପାରୁନଥିବାରୁ ଏଥିରେ ବିଳମ୍ବ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟ ପକ୍ଷରେ ଓଡିଶାରୁ ଅରୁଆ ଚାଉଳ ଉତ୍ପାଦନ ହେଲେ ତାହାକୁ ଭାରତୀୟ ଖାଦ୍ୟ ନିଗମ ସହଜରେ ନେଇଯିବ ବୋଲି ସୂଚନା ମିଳିଛି । କାରଣ ଅନ୍ୟ ରାଜ୍ୟର ଲୋକମାନେ ଅରୁଆ ଚାଉଳକୁ ଅଧିକ ପରିମାଣରେ ଖାଇଥାନ୍ତି । ଏଥିପାଇଁ ଏଫ୍ସିଆଇ ଓଡିଶାରୁ ବଳକା ଉଷୁନା ଚାଉଳକୁ ଉଠାଉନାହିଁ । ତେବେ ଉଷୁନା ଚାଉଳ ବଦଳରେ ଅରୁଆ ଚାଉଳ ଉତ୍ପାଦନ ପାଇଁ ଏଫ୍ସିଆଇ ଦୀର୍ଘଦିନ ଧରି ଓଡିଶାକୁ କହି ଆସୁଥିବାବେଳେ କୌଣସି କାରଣରୁ ସରକାର ଏ ନେଇ ମିଲରମାନଙ୍କୁ ନିର୍ଦ୍ଦେଶ ଦେଉନାହାନ୍ତି ।
ରାଜ୍ୟ ସରକାର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଧାନ ଦର କୁଇଣ୍ଟାଲ ପିଛା ୮୦୦ ଟଙ୍କା ବଢାଇ ତାହାକୁ ୩୧୦୦ ଟଙ୍କା କରିବାପରେ ଏବେ ଚାଷୀମାନେ ଅଧିକରୁ ଅଧିକ ପରିମାଣରେ ଧାନ ଚାଷ କରୁଛନ୍ତି । ତେଣୁ ଚଳିତ ଖରିଫ ଋତୁରେ ପୂର୍ବାପେକ୍ଷା ଢେର ଅଧିକ ପରିମାଣରେ ଧାନ ସଂଗ୍ରହ ହେବାନେଇ ଆକଳନ କରାଯାଉଛି । ସେହି ଅନୁଯାୟୀ ଉଷୁନାଚାଉଳ ପରିମାଣ ମଧ୍ୟ ବଢିବ । ଏହି ବିପୁଳ ପରିମାଣର ଚାଉଳକୁ କ’ଣ କରାଯିବ ତାହାକୁ ନେଇ ଏବେଠାରୁ ଚିନ୍ତା ବଢିଲାଣି ।
ଅନ୍ୟ ପକ୍ଷରେ ଓଡିଶାରେ ବର୍ଷକୁ ହାରାହାରି ୭୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆବଶ୍ୟକ ଥିବାବେଳେ ଖାଉଟିମାନଙ୍କୁ ସାଧାରଣ ବଣ୍ଟନ ଯୋଜନାରେ ପ୍ରାୟ ସାଢେ ୪ଲକ୍ଷ କୁଇଣ୍ଟାଲ ଅରୁଆ ଚାଉଳ ଯୋଗାଇ ଦିଆଯାଉଛି । ଏହାବାଦ୍ ଓଡିଶାର ଖାଉଟିଙ୍କ ଚାହିଦା ମେଣ୍ଟାଇବାପାଇଁ ଅନ୍ୟ ରାଜ୍ୟ ବିଶେଷକରି ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଆଦିରୁ ଦୈନିକ ଶହ ଶହ ଟ୍ରକ ସରୁ ଅରୁଆ ଚାଉଳ ଓଡିଶାକୁ ଆସୁଛି । ଚାହିଦା ମୁତାବକ ଅରୁଆ ଚାଉଳ ଉତ୍ପାଦନ ରାଜ୍ୟ ଭିତରେ ହୋଇପାରିଲେ ଅନେକ ପରିମାଣରେ ଚାଉଳ ସମସ୍ୟା ସମାଧାନ ହେବା ସହିତ ରାଜ୍ୟର ଖାଉଟିମାନଙ୍କ ପଇସା ରହିଯାଆନ୍ତା । ତେବେ ଏ ଦିଗରେ କୃଷି ବିଭାଗ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

