Home Administration କ୍ୟାବିନେଟରେ ୧୨ ପ୍ରସ୍ତାବକୁ ମଂଜୁରୀ

କ୍ୟାବିନେଟରେ ୧୨ ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର  : ରାଜ୍ୟରେ ସବୁ ୟୁନିଫର୍ମ ସେବା ପରୀକ୍ଷା ପାଇଁ ଗଠନ ହେଲା ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ। ପୋଲିସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଆଜି ୟୁନିଫର୍ମ ସେବା ପରୀକ୍ଷାକୁ ସ୍ବଚ୍ଛତାର ସହ କରିବାକୁ ଏହି କମିଶନ ଗଠନକୁ ମଂଜୁରି ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୯ ବିଭାଗର ୧୨ ପ୍ରସ୍ତାବକୁ ମଂଜୁରି ମିଳିଛି।

ରାଜ୍ୟରେ ପୁଲିସ୍ ଓ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତତା ଓ ବିଳମ୍ବକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ୱତନ୍ତ୍ର ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ଗଠନକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।  ଗୃହ ବିଭାଗ ସମେତ ଅବକାରୀ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ଥିବା ବିଭିନ୍ନ ପଦବୀ ପାଇଁ ଏକକ ନିଯୁକ୍ତି ପ୍ରକ୍ରିୟାକୁ ଏହି ଆୟୋଗ ହିଁ ପରିଚାଳନା କରବେ । ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ, ଦକ୍ଷ ଏବଂ ସମୟାନୁବର୍ତ୍ତୀ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି  । ଏଥିସହିତ ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ ପ୍ରଣୟନ କରିବାକୁ ମଧ୍ୟ କ୍ୟାବିନେଟ ଅନୁମୋଦ ଦେଇଛି।

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଅନୁସୂଚିତ ଜନଜାତି (ଏସଟି) ଓ ଅନୁସୂଚିତ ଜାତି (ଏସସି) ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍‌-ମାଟ୍ରିକ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବତ୍ତି ହାରରେ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରାବାସରେ ରହୁଥିବା ଛାତ୍ରମାନଙ୍କ ପାଇଁ ବାର୍ଷିକ ବୃତ୍ତି ୧୦,୫୦୦ ଟଙ୍କାରୁ ୧୬ହଜାର ଟଙ୍କାକୁ ଏବଂ ଛାତ୍ରୀମାନଙ୍କ ପାଇଁ ୧୧ହଜାରରୁ ୧୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ‘ଅନ୍ୱେଷା’ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏହି ବୃତ୍ତି ବାର୍ଷିକ ୧୧ହଜାର ଟଙ୍କାରୁ ୧୭ହଜାର ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଏହି ନୂଆ ବର୍ଦ୍ଧିତ ବୃତ୍ତି ୨୦୨୫ ଡିସେମ୍ବର ପହିଲାରୁ ଲାଗୁ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।

ରାଜ୍ୟକୁ ବିଶ୍ୱସ୍ତରୀୟ ବ୍ୟବସାୟିକ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶା ଗ୍ଲୋବାଲ କ୍ୟାପାବିଲିଟି ସେଂଟର (ଜିସିସି) ନୀତି ୨୦୨୫’କୁ ଅନୁମୋଦନ କରିଛନ୍ତି । ବଡ଼ ବଡ଼ ବହୁରାଷ୍ଟ୍ରୀୟ କଂପାନୀମାନଙ୍କୁ ଓଡ଼ିଶାରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବାକୁ ଆକୃଷ୍ଟ କରିବା ଏହି ନୀତିର ମୁଖ୍ୟ ଲକ୍ଷ୍ୟ । ବିକଶିତ ଓଡ଼ିଶା-୨୦୩୬ ଓ ୨୦୪୭ର ରୋଡମ୍ୟାପକୁ ଦୃଷ୍ଟିରେ ରଖି ଏହି ନୀତି ମାଧ୍ୟମରେ ରାଜ୍ୟରେ ୫୦ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କଂପାନୀମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯଥା ଜମି, ବିଦ୍ୟୁତ ଶୁଳ୍କ ରିହାତି ଏବଂ ନିଯୁକ୍ତି ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

ଏହି ନୀତିରେ ରାଜ୍ୟରେ ହଜାରେ କୋଟିରୁ ଅଧିକ ନିବେଶକୁ ଉତ୍ସାହିତ କରିବା, ଅତିକମରେ ୫ଟି ଅତ୍ୟାଧୁନିକ ଜିସିସି ହବ ପ୍ରତିଷ୍ଠା କରିବା, ଭୁବନେଶ୍ୱର, କଟକ-ପୁରୀ, ପାରାଦୀପ, ବରଗଡ-ସମ୍ବଲପୁର-ଝାରସୁଗୁଡା ଅର୍ଥନୈତିକ ଅଞ୍ଚଳ ଆରମ୍ଭ କରିବା ଏବଂ ସାରା ରାଜ୍ୟରେ ୫୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୀତି କେବେଳ ଭୁବନେଶ୍ବର ନୁହେଁ ବରଂ ରାଜ୍ୟର ଅନ୍ୟ ଟାୟାର-ଟୁ ସହରରେ ନିବେଶକୁ ପ୍ରୋତ୍ସାହିତ କରିବ।

ରାଜ୍ୟରେ ଖଣିଜ ପଦାର୍ଥର ଚୋରା ଚାଲାଣ ଓ ବେଆଇନ ଖନନ ରୋକିବା ପାଇଁ ‘ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ନିୟମାବଳୀ, ୨୦୨୫’ ପ୍ରଣୟନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହା ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ । ଏହି ନୂତନ ନିୟମ ଦ୍ୱାରା ଖଣିଜ ପ୍ରଶାସନ ଅଧିକ ଦକ୍ଷ ହେବ ଏବଂ ବେଆଇନ କାରବାର ଉପରେ ରୋକ ଲଗାଯାଇପାରିବ  । ଏହାବ୍ୟତୀତ, ଲଘୁ ଖଣିଜ ସଂପଦର ଆବଂଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ କରିବାକୁ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ରେ ସଂଶୋଧନ କରାଯାଇଛି, ଯାହାଦ୍ୱାରା ସ୍ୱଚ୍ଛତା ବଜାୟ ରହିବ ।

କ୍ୟାବିନେଟ୍ ବୈଠକରେ ପରିବେଶ ସୁରକ୍ଷା ପାଇଁ ‘ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୪’ ଗ୍ରହଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହା ଶିଳ୍ପଗୁଡ଼ିକ ଉପରେ ନିୟାମକ ବୋଝ ହ୍ରାସ କରିବ । ସେହିପରି ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ସର୍ଭେୟର କ୍ୟାଡରର ପୁନର୍ଗଠନ କରାଯାଇଛି । ଏହାଦ୍ୱାରା କର୍ମଚାରୀମାନଙ୍କ ଦରମା ବୃଦ୍ଧି ହେବା ସହ ପଦୋନ୍ନତି ସୁଯୋଗ ସୃଷ୍ଟି ହୋଇଛି । ସେହିପରି ୧୯୯୩ ରୁ ୧୯୯୬ ମଧ୍ୟରେ ପୋଲିସ କର୍ମଚାରୀଙ୍କୁ ଦିଆଯାଇଥିବା ଅଗ୍ରହଣୀୟ ସ୍ୱତନ୍ତ୍ର ଡାଏଟ୍ ଭତ୍ତା ବାବଦକୁ ହୋଇଥିବା କ୍ଷତିକୁ ହିସାବରୁ ବାଦ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଓଡ଼ିଶା ଅର୍ଥ ସେବା ନିୟମାବଳୀରେ ସଂଶୋଧନ କରାଯାଇ ଅଧିକାରୀମାନଙ୍କ ତାଲିମ ଅବଧି ନିର୍ଦ୍ଧାରଣ କରିବା କ୍ଷମତା ସରକାରଙ୍କ ହାତକୁ ଦିଆଯାଇଛି । ଏସବୁ ବ୍ୟତୀତ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।