Home General ବର୍ଷ କୁ ବର୍ଷ ବଢୁଛନ୍ତି ଶିଶୁ ଶ୍ରମିକ

ବର୍ଷ କୁ ବର୍ଷ ବଢୁଛନ୍ତି ଶିଶୁ ଶ୍ରମିକ

ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କୁ ଶ୍ରମିକ ଭାବେ କାମରେ ନଲଗାଇବାପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିବାବେଳେ ରାଜ୍ୟରେ କିନ୍ତୁ ଉଦ୍ଧାର ଶିଶୁ ଶ୍ରମିକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢି ଚାଲିଛି । ୨୦୨୨-୨୩ ବର୍ଷରେ ସରକାରୀକଳ ରାଜ୍ୟରୁ ମାତ୍ର ୫ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବାବେଳେ ୨୦୨୪-୨୫ ରେ ଏହି ସଂଖ୍ୟା ୫୦କୁ ଟପିଯାଇଥିଲା ।

ଶିଶୁମାନଙ୍କୁ ଶ୍ରମିକ ଭାବେରେ କାମରେ ନଲଗାଇବାପାଇଁ ଆଇନ୍‍ ରହିଛି । ଏହି ଆଇନ୍‍ ଅମାନ୍ୟ କଲେ ଅର୍ଥଦଣ୍ଡ ସହିତ ଜେଲ୍‍ ଦଣ୍ଡ ମିଳିବ । ସେହିଭଳି ଶିଶୁମାନଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟରେ ଗୋଟିଏ ଶିଶୁ ସୁରକ୍ଷା କମିଶନ ଥିବାବେଳେ ଶିଶୁ ଶ୍ରମିକମାନଙ୍କ ଉପରେ ନଜର ରଖାଯିବାକୁ ଶ୍ରମ ବିଭାଗ ବି ରହିଛି । ଜିଲ୍ଲାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଟାସ୍କଫୋର୍ସ ରହିଛି ।

ଏହାଛଡା ବେସରକାରୀ ସଂସ୍ଥାମାନେ ସରକାରଙ୍କ ସହାୟତାରେ ରାଜ୍ୟରୁ ଶିଶୁଶ୍ରମିକ ପ୍ରଥାର ବିଲୋପ ପାଇଁ କାର୍ଯ୍ୟ କରୁଛନ୍ତି । ବର୍ଷସାରା ସଭା ସମିତି, ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେଉଛି । ସମସ୍ତେ ଏକ ସ୍ୱରରେ ଶିଶୁ ଶ୍ରମିକ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ।

ଏତେସବୁ ସତ୍ୱେ ସରକାରୀଭାବେ ରାଜ୍ୟରୁ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତିନି ବର୍ଷ ଭିତରେ ଏହି ସଂଖ୍ୟା ୫ରୁ ବୃଦ୍ଧି ପାଇଁ ୫୧ରେ ପହଞ୍ଚିଛି । ତେବେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ କହିବାକଥା ଯେ ଯେତିକି ସଂଖ୍ୟାରେ ଶିଶୁ ଶ୍ରମିକ ଉଦ୍ଧାର ହେଉଛନ୍ତି ତାହାଠାରୁ ଢେର ଅଧିକ ସଂଖ୍ୟାରେ ଶିଶୁମାନେ ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ସ୍ଥାନୀୟ ସରକାରୀକଳର ଉଦାସୀନତା ଯୋଗୁଁ ଏମାନଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ ।

ସେହିଭଳି ପାଖପାଖି ୩ଦଶନ୍ଧି ହେଲାଣି ରାଜ୍ୟରେ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା କେତେ ତାହାର ସର୍ଭେ ହୋଇପାରୁ ନାହିଁ । ଶେଷ ସର୍ଭେ ୧୯୯୭ ମସିହାରେ ହୋଇଥିଲା । ଏହା ପରଠାରୁ କେବଳ ଧର୍ମକୁ ଆଖିଠାର ମାରିବା ଭଳି କିଛି ସ୍ଥାନରେ ପ୍ରଶାସନ ଚଢଉ କରି ତାହାର କାମ ସାରିଦେଉଛି । ଏହି ତିନି ବର୍ଷ ଭିତରେ ରାଜ୍ୟରୁ ୧୦୧ ଜଣ ଶିଶୁ ଶ୍ରମିକ ଉଦ୍ଧାର ହେଉଥିବାବେଳେ ୧୧୬ଟି ମାମଲା ରୁଜୁ ହେଉଛି । ତେବେ ଆଇନ୍‍ରେ କଠୋର ଦଣ୍ଡ ବ୍ୟବସ୍ଥା ନଥିବାରୁ ହାତଗଣତି ଜୋରିମାନା ଦେଇ ଶିଶୁମାନଙ୍କୁ କାମରେ ଲଗାଇଥିବା ଲୋକେ ଖସିଯାଉଛନ୍ତି ।

ରାଜ୍ୟରେ ଶିଶୁ ଶ୍ରମିକ କିଭଳି ସ୍ଥିତିରେ ରହିଛି ତାହା ରାଜଧାନୀର ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କଲେ ଯେ କେହି ଦେଖିପାରିବ ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ସହରରେ ଶିଶୁମାନେ ରାସ୍ତାଘାଟରେ ଜରି ଗୋଟାଇବା ସହିତ ବିଭିନ୍ନ ଦୋକାନ, ଗ୍ୟାରେଜ ଆଦିରେ କାର୍ଯ୍ୟ କରୁଛନ୍ତି । କେତେକ ଲୋକେ ବି ଅତ୍ୟନ୍ତ ସର୍ତକତାର ସହିତ ପିଲାଙ୍କୁ ଘରୋଇ କାମରେ ନିୟୋଜନ କରୁଛନ୍ତି । କେତେକ କ୍ଷେତ୍ରରେ ଏଭଳି ପିଲାଙ୍କ ଅଭିଭାବକମାନେ ମୁହଁ ଖୋଲୁନଥିବାରୁ ସେମାନଙ୍କୁ ଉଦ୍ଧାର କରିବା ବି ସମ୍ଭବପର ହେଉନାହିଁ । ତେବେ ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଥିବା ଟାସ୍କଫୋର୍ସ ସକ୍ରିୟ ହେଲେ ଏଭଳି କୁପ୍ରଥାକୁ ରୋକାଯାଇ ପାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)