Home Judiciary କମିବ ମାମଲା ସଂଖ୍ୟା

କମିବ ମାମଲା ସଂଖ୍ୟା

ଭୁବନେଶ୍ୱର : ସାଧାରଣ ଲୋକେ ଓ ସରକାରୀ କର୍ମଚାରୀମାନେ ସେମାନଙ୍କ ସୁବିଧା ଅସୁବିଧା ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ନିକଟରେ ଆଣୁଥିବା ଅଭିଯୋଗଗୁଡିକ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଗଲେ ରାଜ୍ୟରେ ମାମଲା ସଂଖ୍ୟା ହ୍ରାସ ପାଇବ । ଏକଥା ଓଡିଶା ସରକାର ତାଙ୍କର ମାମଲା ନୀତିରେ ସ୍ପଷ୍ଟ କରିଦେଇଛନ୍ତି ।

କେବଳ ସେତିକି ନୁହେଁ, କେଉଁ ସ୍ତରରେ କେତେଦିନ ଭିତରେ ଅଭିଯୋଗର ଫଏସଲା ହେବ ତାହାର ମଧ୍ୟ ସୀମା ନିର୍ଦ୍ଧାରଣ କରାଯିବା ସହିତ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲକୁ ଅଧିକ ସୁଦୃଢ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନପାଇଁ ଯେଉଁସବୁ ଦପ୍ତରକୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା ଉପରେ ଫଏସଲା କରିବାକୁ କୁହାଯାଇଛି ।

ଯେକୌଣସି ବ୍ୟକ୍ତି ଓ ସରକାରୀ କର୍ମଚାରୀ ସେମାନଙ୍କ ସମସ୍ୟା ସଂକ୍ରାନ୍ତରେ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ଦରଜ କରିପାରିବେ । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବିଧି ବ୍ୟବସ୍ଥାନୁଯାୟୀ ମଧ୍ୟ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇବାର ବ୍ୟବସ୍ଥା ହୋଇଛି । ଏଥିଲାଗି ପ୍ରତ୍ୟେକ ବିଭାଗରେ ଜଣେ ଜଣେ ଅଧିକାରୀଙ୍କୁ ନୋଡାଲ ଅଫିସରଭାବେ ମଧ୍ୟ ନିଯୁକ୍ତି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହୋଇଛି ।

ସରକାରୀ ବ୍ୟବସ୍ଥା ମୁତାବକ ସବଡିଭିଜନ ଓ ଜିଲ୍ଲା ସ୍ତରରେ ଆସୁଥିବା ଅଭିଯୋଗୁଡିକର ଫଏସଲା ୩୦ଦିନ ମଧ୍ୟରେ ନିଶ୍ଚିତ କରିବା ବାଧ୍ୟତାମୂଳକ । ସେହିଭଳି ତଳସ୍ତରରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ କର୍ମଚାରୀ ରାଜ୍ୟ ସ୍ତରରେ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ ଏବଂ ୪ସପ୍ତାହ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଅଭିଯୋଗକାରୀଙ୍କ ଅଭିଯୋଗ ଯଦି ଆଇନ୍‍ର ପରିସର ଭିତରେ ସମାଧାନ ଯୋଗ୍ୟ ତେବେ ସମ୍ପୃକ୍ତ ଅଧିକାରୀ ତୁରନ୍ତ ତାହା ଉପରେ ସକରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯଦି କାହାର ଦାବି କିମ୍ବା ଅଭିଯୋଗ ଆଇନାନୁଯାୟୀ ଗ୍ରହଣୀୟ ନୁହେଁ ତେବେ ଉପଯୁକ୍ତ କାରଣ ଦର୍ଶାଇ ଅଭିଯୋଗକାରୀଙ୍କୁ ମଧ୍ୟ ସମ୍ପୃକ୍ତ ଅଧିକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସୂଚନା ପ୍ରଦାନ କରିବାକୁ ଏକ ପ୍ରକାର ବାଧ୍ୟ । ଏ କ୍ଷେତ୍ରରେ ଯେଉଁମାନେ ତ୍ରୁଟିବିଚ୍ୟୁତି କରିଥିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ବି ରାଜ୍ୟ ସରକାର ସ୍ପଷ୍ଟ କରିଦେଇଛନ୍ତି ।

ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ପ୍ରତି ବିଭାଗରେ ଯୁଗ୍ମ ସଚିବ କିମ୍ବା ତଦୁର୍ଦ୍ଧ ପାହ୍ୟାର ଅଧିକାରୀଙ୍କୁ ନୋଡାଲ ଗ୍ରିଭାନ୍ସ ଅଫିସର ଭାବେ ନିଯୁକ୍ତ କରିବା ସହିତ ତାଙ୍କୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକୀୟ କର୍ମଚାରୀ ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇଦେବାକୁ ମଧ୍ୟ କୁହାଯାଇଛି ।

କ୍ଷେତ୍ରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ପ୍ରତି ସୋମବାର ଦିନ ଅଭିଯୋଗ ଶୁଣାଣି ଓ ଗ୍ରହଣର ବ୍ୟବସ୍ଥା ଅଛି । ଜଣେ ପଦସ୍ଥ ଅଧିକାରୀ କହିଛନ୍ତି ଯେ ଏବେ ରାଜ୍ୟରେ ମାମଲା ସଂଖ୍ୟା ପାଖାପାଖି ୨୨ଲକ୍ଷରେ ପହଞ୍ଚିଲାଣି । ଏଥିଯୋଗୁଁ ବିଚାରାଳୟଗୁଡିକରେ ବହୁ ସମୟ ମଧ୍ୟ ଦେବାକୁ ପଡୁଛି । ଅଭିଯୋଗ ଶୁଣାଣି ବ୍ୟବସ୍ଥା ତ୍ୱରାନ୍ୱିତ ହେଲେ ଆଇନ୍‍ ଅଦାଲତକୁ ଅଧିକ ମାମଲା ଯିବନାହିଁ ଏବଂ ଯେଉଁ କ୍ଷେତ୍ରରେ ଅଭିଯୋଗକାରୀଙ୍କ ଦାବିକୁ ଯୁକ୍ତିଯୁକ୍ତ କାରଣ ସହିତ ଅଗ୍ରାହ୍ୟ କରାଯାଇଥିବ ତାହାକୁ ସହଜରେ ଅଦାଲତରେ ମଧ୍ୟ ସରକାରଙ୍କ ପକ୍ଷରୁ ଲଢି ହେବ ।

କେତେକ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ସରକାରୀ କର୍ମଚାରୀମାନେ ଆଖିବୁଜା ଆଇନ୍‍ ଅଦାଲତକୁ ଦଉଡିବା ପରିବର୍ତ୍ତେ ପ୍ରଥମେ ସେମାନଙ୍କ ସମସ୍ୟା କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ଦରକାର ଏବଂ ଏହାର ସମାଧାନ କରିବାରେ ଯଦି ଅହେତୁକ ବିଳମ୍ବ ଘଟେ କିମ୍ବା କର୍ତ୍ତୃପକ୍ଷ ତାଙ୍କ ଆବେଦନକୁ ନାକଚ କରିଦିଅନ୍ତି ସେ କ୍ଷେତ୍ରରେ ସେମାନେ ଆଇନ୍‍ ଅଦାଲତର ଆଶ୍ରୟ ନେଇପାରିବେ । (ତଥ୍ୟ)