ଭୁବନେଶ୍ୱର : ହସ୍ତତନ୍ତ ବସ୍ତ୍ରକୁ ପ୍ରୋତ୍ସାହନ ଦେବାପାଇଁ ବିଭାଗୀୟ କର୍ମଚାରୀମାନେ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ଦୀର୍ଘ ୧୩ବର୍ଷ ହେଲା ନିୟମିତ ଭାବେ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ନିର୍ଦ୍ଦେଶନାମା ପ୍ରକାଶ ପାଇବାପରେ କିଛିଦିନ ପାଇଁ ଏଥିପ୍ରତି ଆଗ୍ରହ ପ୍ରକାଶ ପାଉଥିବାବେଳେ ପରବର୍ତ୍ତୀ ସମୟରେ ଆଉ ତାହା ଦେଖିବାକୁ ମିଳୁନାହିଁ ।
୨୦୧୨ ମସିହା ସେପ୍ଟେମ୍ବର ମାସରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ପତ୍ର ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ଐତିହ୍ୟସମ୍ପନ୍ନ ହସ୍ତତନ୍ତର ପ୍ରୋତ୍ସାହନ ତଥା ବୁଣାକାରମାନଙ୍କ ଅର୍ଥନୈତିକ ଅବସ୍ଥା ବୃଦ୍ଧି ତଥା ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀ ପ୍ରତ୍ୟେକ ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ କରିବେ ।
ସେତେବେଳେ ସରକାରଙ୍କର ଏଭଳି ନିଷ୍ପତ୍ତି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସାଧାରଣରେ ସାଧୁବାଦ ଦିଆଯାଇଥିଲା । କର୍ମଚାରୀମାନେ ମଧ୍ୟ ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ । ଏହାର ପ୍ରାୟ ୧୦ବର୍ଷ ପରେ ଅର୍ଥାତ୍ ୨୦୨୨ ସେପ୍ଟେମ୍ବର ମାସରେ ବିଭାଗର ପକ୍ଷରୁ ଆଉଗୋଟିଏ ପତ୍ର ଲେଖାଯାଇ ସପ୍ତାହକୁ ଦୁଇଦିନ ଅର୍ଥାତ୍ ସୋମବାର ଓ ଶୁକ୍ରବାର କର୍ମଚାରୀମାନଙ୍କୁ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ କୁହାଯାଇଥିଲା ।
ଚଳିତବର୍ଷ ଏପ୍ରିଲରେ ସରକାର ଆଉ ଗୋଟିଏ ଚିଠି ଲେଖି ଓଡିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଣାକାରଙ୍କୁ ପ୍ରୋତ୍ସାହନ ଦେବାପାଇଁ ଓଡିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ସବୁଦିନ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ଅନୁରୋଧ କରାଯାଇଥିଲା । ଚଳିତବର୍ଷ ଅଗଷ୍ଟରେ ମଧ୍ୟ ଅନୁରୂପ ପତ୍ର ଲେଖାଯାଇ ସମସ୍ତ ନାଗରିକମାନଙ୍କୁ ସପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ଓ ଖଦି ବସ୍ତ୍ର ପରିଧାନ ପାଇଁ ଅନୁରୋଧ କରାଯାଇଥିଲା । ଏହା ପୂର୍ବରୁ ୨୦୨୩ ମସିହାରେ ମାର୍ଚ୍ଚ ମାସରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଏଭଳି ପୋଷାକ ପରିଧାନକୁ ପ୍ରୋତ୍ସାହନ ପାଇଁ ପତ୍ର ମାଧ୍ୟମରେ କୁହାଯାଇଥିଲା ।
ରାଜ୍ୟ ସରକାର ବାରମ୍ବାର ପତ୍ର ଲେଖିବା ସତ୍ୱେ ଲୋକଙ୍କ ମଧ୍ୟରେ ହସ୍ତତନ୍ତ ଓ ଖଦିବସ୍ତ୍ର ପିନ୍ଧିବାର ଆଗ୍ରହ ସେଭଳି ପରିଲକ୍ଷିତ ହେଉନାହିଁ । ଏହାର କାରଣ ହେଉଛି ଗୋଟିଏ ପଟେ ହସ୍ତତନ୍ତ ବସ୍ତ୍ରର ଦର ଅନ୍ୟ ବସ୍ତ୍ର ତୁଳନାରେ ଅଧିକ ରହୁଥିବାବେଳେ ଖଦି ବସ୍ତ୍ରର ଉପଲବ୍ଧତା ସେଭଳି ନାହିଁ । ଲୋକଙ୍କ ଚାହିଦା ଅନୁଯାୟୀ ଓଡିଶାରେ ଖଦି ବସ୍ତ୍ର ଉତ୍ପାଦନ ହେଉନଥିବାବେଳେ ପ୍ରାୟତଃ ସମସ୍ତ ଖଦି କପଡା ରାଜ୍ୟ ବାହାରୁ ଆମଦାନୀ କରିବାକୁ ପଡୁଛି । ଏହାର ଦର ଉଚ୍ଚା ରହୁଛି । ଫଳରେ ଲୋକେ ଅସଲି ଖଦି ପୋଷାକ ପିନ୍ଧିବାକୁ ଚାହୁଁଥିଲେ ମଧ୍ୟ ପିନ୍ଧିପାରୁ ନାହାନ୍ତି ।
କେବଳ ବୁଣାକାରମାନଙ୍କ ଆୟ ବୃଦ୍ଧି ଓ ସମ୍ମାନ ପାଇଁ ନିର୍ଦ୍ଦିଷ୍ଟ ଦିନରେ ହସ୍ତତନ୍ତ ପିନ୍ଧିବାପାଇଁ କର୍ମଚାରୀମାନଙ୍କୁ ଅନୁରୋଧ କରାଯାଇନଥିଲା ଶାରୀରିକ ଫିଟ୍ ରହିବାପାଇଁ ସପ୍ତାହର ଗୋଟିଏ ଦିନ ସାଇକେଲରେ ଅଫିସ ଆସିବାପାଇଁ ବିଏମସି କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହାକୁ ପ୍ରୋତ୍ସାହିତ ପାଇଁ ତତ୍କାଳୀନ ବିଏମସି କମିଶନର ମଧ୍ୟ ସାଇକେଲରେ ଦପ୍ତରକୁ ଆସିଥିଲା । ତାଙ୍କ ଦେଖାଦେଖି ଆଉ କିଛି କର୍ମଚାରୀ ବି ସାଇକେଲ ଚଢି ଆସିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହାକୁ ମଧ୍ୟ ସମସ୍ତେ ଭୁଲି ଯାଇଥିଲେ । (ତଥ୍ୟ)

