Home Election ପଞ୍ଚାୟତ ଉପ ନିର୍ବାଚନ କେବେ?

ପଞ୍ଚାୟତ ଉପ ନିର୍ବାଚନ କେବେ?

ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ଆସନ ପାଇଁ ହୋଇଥିôବା ଉପ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏବେ ସମସ୍ତଙ୍କ ନଜର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲି ପଡିଥିବା ଆସନଗୁଡ଼ିକର ଉପ ନିର୍ବାଚନ ଲାଗି ।

ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ କାରଣରୁ ଏବେ ସହସ୍ରାଧିକ ସଦସ୍ୟ ପଦବୀ ଖାଲି ପଡିଛି । ପ୍ରାୟ ୪ମାସ ତଳେ ଏହି ପଦବୀ ସବୁ ପୂରଣ କରିବା ପାଇଁ ଉପ ନିର୍ବାଚନ ଲାଗି ବ୍ୟବସ୍ଥା ହେଉଥିଲା । ତେବେ ମୌସୁମୀ ଆଗମନ କାରଣରୁ ଗାଁ ଗହଳରେ ସେ ସମୟରେ ନିର୍ବାଚନ କରିବା କଷ୍ଟକର ହେବ ବୋଲି ମନ କରାଯିବାରୁ ଏହି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ଏବେ ରାଜ୍ୟରେ ଶୀତ ଲହରି ଚାଲିଛି । ବିଶେଷକରି ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁକୁଳ ପାଣିପାଗ ରହୁଥିବାରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲି ପଡିଥିବା ଆସନଗୁଡ଼ିକ ପାଇଁ ନିର୍ବାଚନ କରିବା ଉତ୍କୃଷ୍ଟ ସମୟ ବୋଲି ମତ ପ୍ରକାଶ ପାଉଛି । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ମଧ୍ୟ କ୍ଷେତ୍ର ସ୍ତରରେ ଜନସଂପର୍କ ରକ୍ଷା ଅଭିଯାନ ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ଆଉ ୨ବର୍ଷ ପରେ ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକ ପାଇଁ ନିୟମିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ବିଧାନସଭା ଆସନ ଖାଲି ହେବାର ଦୁଇମାସ ଭିତରେ ନିର୍ବାଚନ ହେଇଯାଉଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ କିନ୍ତୁ ବିଭିନ୍ନ ଆଳରେ ଏହା ବିଳମ୍ବିତ ହେଉଥିବାରୁ ଅନେକ ଗାଁର ଏହି ବ୍ୟବସ୍ଥାରେ ଏବେ ପ୍ରତିନିଧିତ୍ୱ ନାହିଁ । ପ୍ରତିନିଧିମୂଳକ ତ୍ରିସ୍ତରୀ ପଞ୍ଚାୟତିରାଜ ବ୍ୟବସ୍ଥା ଯେଉଁଠି ଦୁର୍ବଳ ରହୁଛି ସେଠାରେ ଗ୍ରାମସଭା ଆଦି ମାଧ୍ୟମରେ ନିଷ୍ପତ୍ତି ନେବା କ୍ଷେତ୍ରରେ ସମସ୍ୟା ଉପୁଥିବାରୁ ଉନ୍ନୟନ କାର୍ଯ୍ୟ ମଧ୍ୟ ବ୍ୟାହତ ହେଉଛି ।

ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳମାନେ ଖାଲି ପଡିଥିବା ଆସନଗୁଡ଼ିକ ପାଇଁ ଉପ ନିର୍ବାଚନ ଲାଗି ଦାବି କରିଆସୁଛନ୍ତି । ବିଜେପି ନେତାମାନେ ମଧ୍ୟ କହୌୁଛନ୍ତି ଯେ ନିର୍ବାଚନ କମିଶନ ଯେବେ ନିର୍ବାଚନ କରିବେ ସେମାନେ ସେଥିରେ ଅଂଶଗ୍ରହଣ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଫେବୃଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାଗୁଡ଼ିକ ରହୁଥିବାରୁ ତାହାର ଢେର ପୂର୍ବରୁ ଏହି ଉପ ନିର୍ବାଚନ ସାରା ରାଜ୍ୟରେ ଗୋଟିଏ ଦିନରେ କରିବା ଲାଗି ବିଭିନ୍ନ ମହଲରୁ ମଧ୍ୟ ମତପ୍ରକାଶ ପାଉଛି । ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ନିର୍ବାଚନ କମିଶନ ନେବେ ବୋଲି ଆଶ କରାଯାଉଛି ।

ଇତିମଧ୍ୟରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଲାଗି ଏସ୍‍ଆଇଆର୍‍ ମଧ୍ୟ ଓଡ଼ିଶାରେ ହେବାକୁ ଯାଉଛି । ଏଭଳି ସ୍ଥିତିରେ ପଞ୍ଚାୟତି ସଂସ୍ଥାଗୁଡ଼ିକରେ ଖାଲି ପଡିଥିବା ଆସନ ପୂରଣ ପାଇଁ ନିର୍ବାଚନ ହେବ ନା ଏସ୍‍ଆଇଆର ଓ ଜନଗଣନା ଆଳରେ ପୁଣି ସମୟ ଗଡ଼ାଯିବ ସେ ସଂକ୍ରାନ୍ତରେ କେହି କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ କିଛି କହିପାରୁ ନାହାନ୍ତି । (ତଥ୍ୟ)